ବାଲେଶ୍ବର: ବାଲେଶ୍ବର ସହରର ଭୁଜାଖିଆପିରସ୍ଥିତ ଅଞ୍ଚଳରେ କୌଣସି ପ୍ରସଙ୍ଗକୁ ନେଇ ଗତ ସୋମବାର ସୃଷ୍ଟି ହୋଇଥିବା ଗୋଷ୍ଠୀ ସଂଘର୍ଷ ପୋଲିସ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ଉଦ୍ୟମ ଯୋଗୁ ଆପାତତଃ ଏବେ ନିୟନ୍ତ୍ରଣାଧୀନ ରହିଛି।
ସହରରେ କର୍ଫ୍ୟୁ ଗୁରୁବାର ସକାଳ ୭ଟା ପର୍ଯ୍ୟନ୍ତ ବଳବତ୍ତର ଥିବାବେଳେ ସକାଳ ୭ରୁ ୧୧ଟା ପର୍ଯ୍ୟନ୍ତ କୋହଳ କରାଯାଇଛି। ସହରବାସୀ ଅତ୍ୟାବଶ୍ୟକୀୟ ଜିନିଷ ଯଥା ପନିପରିବା, ରାଶନ, କ୍ଷୀର ଓ ଅନ୍ୟାନ୍ୟ ଜିନିଷ କିଣିବା ପାଇଁ ବଜାରରେ ଭିଡ଼ ଜମାଇଥିବାର ଦେଖିବାକୁ ମିଳିଛି।
ସ୍କୁଲ କଲେଜ ଆହୁରି ଦୁଇଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କୁହାଯାଉଛି। ତେବେ ସ୍ଥିତି ସ୍ବାଭାବିକ ହେଉଥିବା କୁହାଯାଉଛି। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସହରର କେତେକ ଅଞ୍ଚଳରେ ଦୋକାନ ବଜାର ଖୋଲା କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।
କେବଳ ଲ୍ୟାଣ୍ଡଲାଇନ୍ ଫୋନରେ ଇଣ୍ଟରନେଟ ସେବା ମିଳୁଛି । ଏହି ଘଟଣାରେ ୩୪ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ସୁରକ୍ଷା ପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । କର୍ଫ୍ୟୁ ସମୟରେ ଘରୁ ନ ବାହାରି ପୋଲିସକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅପିଲ୍ କରାଯାଇଛି ।
ଗତ ଦୁଇଦିନ ଭିତରେ କୌଣସି ଗଣ୍ଡଗଳ ହୋଇ ନ ଥିବା ବେଳେ ସନ୍ଧ୍ୟା ଓ ସକାଳ ସମୟରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅତିଷ୍ଠ କରୁଥିବାର ବୁଦ୍ଧିଜୀବୀ ମହଲରେ ଅଲୋଚନା ହେଉଛି।
Follow Us