ବଜାରରେ ସୀତାଫଳର ପସରା: କମ୍ ଦାମ ଦେଇ ଜବରଦସ୍ତ ଆଦିବାସୀଙ୍କ ଝୁଡି ଝାମ୍ପୁଛନ୍ତି ଦଲାଲ

Advertisment
ବଜାରରେ ସୀତାଫଳର ପସରା: କମ୍ ଦାମ ଦେଇ ଜବରଦସ୍ତ ଆଦିବାସୀଙ୍କ ଝୁଡି ଝାମ୍ପୁଛନ୍ତି ଦଲାଲ

ରାୟଗଡା: ସପୁରୀ ଚାଷ ପାଇଁ ରାୟଗଡ଼ା ଜିଲ୍ଲା ଯେତିକି ପରିଚିତ ସୀତାଫଳ ଲାଗି ମଧ୍ୟ ସେତିକି ଜଣାଶୁଣା। ଏବେ ରାୟଗଡା ବ୍ଲକର ବିଭିନ୍ନ ଆଦିବାସୀ ଗାଁର ବାଡି ବଗିଚାମାନଙ୍କରେ ପ୍ରଚୁର ସୀତାଫଳ ଫଳିଛି। ସୀତାଫଳ ପାଚିବାର ବେଳ ଆସିଥିବାରୁ ଭୋର ସକାଳୁ ସୀତାଫଳ ତୋଳି ଝୁଡିମାନଙ୍କରେ ଲଦି ରାୟଗଡା ବଜାରକୁ ବିକ୍ରି ପାଇଁ ଆଦିବାସୀ ଭାଇଭଉଣୀମାନେ ଆଣନ୍ତି। ଏହା ପୂର୍ବରୁ ଦଲାଲମାନେ ରାୟଗଡା ବଜାରକୁ କବଜା କରିସାରିଥାନ୍ତି। ଆଦିବାସୀ ଭାଇଭଉଣୀମାନେ ବଜାରକୁ ଆସିବା ମାତ୍ରେ ଜବରଦସ୍ତ ଝୁଡିକୁ ଟାଣି ନେଇ କମ୍ ଦାମ ଦେବା ସହ ଯୁକ୍ତତର୍କ କରିଥାନ୍ତି। ଦାମ କମ୍ ଥିବାରୁ ଆଦିବାସୀ ଭାଇଭଉଣୀମାନେ ଦଲାଲଙ୍କୁ ସୀତାଫଳ ଦେବାକୁ ଅମଙ୍ଗ ହେଲେ ମଧ୍ୟ ଦଲାଲମାନେ ଝୁଡିକୁ ଟାଣି ନେଇ ନିଜ ଗାଡିରେ ପକାଉଥିବା ଦେଖିବାକୁ ମିଳିଛି।

ତେବେ ପଡୋଶୀ ରାଜ୍ୟରୁ ଏବଂ କିଛି ବାହାର ରାଜ୍ୟରୁ ଦଲାଲ ଏଠାରେ ଭିଡ ଜମାଉଥିବା ଦେଖିବାକୁ ମିଳିଛି। ଏବେ ପ୍ରତ୍ୟେକ ଆଦିବାସୀ ଗାଁରେ ସୀତାଫଳ ପାଚିଲାଣି।ପ୍ରତ୍ୟେକ ବାଡିରେ କ୍ବିଣ୍ଟାଲ କ୍ବିଣ୍ଟାଲ ସୀତାଫଳ ପାଚୁଥିବାରୁ ସେସବୁକୁ ରାୟଗଡା ବଜାରକୁ ଆଣି ବିକ୍ରି କରିଥାନ୍ତି। ଯେହେତୁ ପ୍ରଚୁର ସୀତାଫଳ ଫଳେ ସେଗୁଡିକକୁ ସେମାନେ ଝୁଡିରେ ରଖି ତାକୁ ୩୦୦ରୁ ୪୦୦ ଟଂକାରେ ବିକ୍ରି କରନ୍ତି। କିନ୍ତୁ ଦଲାଲମାନେ ଝୁଡିକୁ ୧୦୦ରୁ ୨୦୦ ଟଂକା ଦେଇ ଟାଣି ନେଇଥାନ୍ତି। ଦଲାଲଙ୍କୁ ଯେତେ କହିଲେ ମଧ୍ୟ ସେମାନେ ନଶୁଣି ଓଲଟା ୟୁକ୍ତି କରି ଆଦିବାସୀ ଭାଇଭଉଣୀମାନଙ୍କ ଠାରୁ ସୀତାଫଳ ଝୁଡିକୁ ନେଇଯାଉଥିବା ଦେଖିବାକୁ ମିଳିଛି।

ସାଧାରଣ ଲୋକ ସୀତାଫଳ ନେଇ ପରିବାର ସହ ବସି ଖାଇବାକୁ ଚାହୁଁଥିବା ବେଳେ ସେମାନଙ୍କୁ ଏହି ଫଳ ଅଧିକା ଦାମରେ କିଣି ନେବାକୁ ପଡୁଥିବା ଦେଖିବାକୁ ମିଳିଛି।ସ୍ଥାନୀୟ କିଛି ବ୍ୟକ୍ତି ଏହାକୁ ପ୍ରବଳ ବିରୋଧ ମଧ୍ୟ କରିଥିଲେ।ଦଲାଲମାନେ କାହିଁକି ଆଦିବାସୀ ଭାଇଭଉଣୀଙ୍କୁ ଏଭଳି ହିନସ୍ତା କରୁଛନ୍ତି। ସେମାନଙ୍କର ଦାମ ଠିକ ନମିଳିଲେ ସେମାନେ କାହିଁକି ବିକ୍ରି କରିବେ ବୋଲି କହିବା ସହ ଦଲାଲଙ୍କ ସହ ଯୁକ୍ତି ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା। ଟ୍ରକ ଟ୍ରକ ସୀତାଫଳ ଆସୁଥିବାରୁ ଦଲାଲ ମଧ୍ୟ ସେତିକି ପରିମାଣରେ ଏଠାକୁ ଆସି ସୀତାଫଳ ବିଭିନ୍ନ ଗାଡିରେ ଲଦି ନେଉଥିବା ଦେଖିବାକୁ ମିଳିଥିଲା।

ସ୍ଥାନୀୟ ଜଣେ ଗ୍ରାହକ ପ୍ରଶାନ୍ତ ସାହୁ ମଧ୍ୟ ଏହାକୁ ପ୍ରବଳ ବିରୋଧ କରିଥିଲେ। ଆଦିବାସୀ ଭଉଣୀମାନେ ପ୍ରାୟତଃ ସୀତାଫଳ ମୁଣ୍ଡରେ ବୋହି ୨୦ରୁ ୩୦ କିଲୋମିଟର ବାଟ ଚାଲି ରାୟଗଡା ବଜାରରେ ପହଞ୍ଚିଥାନ୍ତି। ଏତେ ଦୂର ଚାଲିଚାଲି ଆସିବା ପରେ ମଧ୍ୟ ସେମାନଙ୍କୁ ଉଚିତ ମୂଲ୍ୟ ନମିଳିବା କ୍ଷୋଭର ସହ ପ୍ରକାଶ କରିଥିଲେ। ପ୍ରଚୁର ସୀତାଫଳ ଆସୁଥିବାରୁ ଦଲାଲମାନେ ସେମାନଙ୍କୁ କମ୍ ଦାମରେ ବିକ୍ରି କରିବାକୁ ବାଧ୍ୟ କରିଥାନ୍ତି। ପରେ ଏମାନେ ହିଁ ଜିଲ୍ଲା ତଥା ଜିଲ୍ଲା ବାହାରେ ଚଢା ଦରରେ ଏହାକୁ ବିକ୍ରି କରିଥାନ୍ତି।ଓରମାସ କିମ୍ବା ଓଏଲଏମ ତରଫରୁ ସୀତାଫଳକୁ ମଧ୍ୟ ବଜାର ପ୍ରଦାନ କରାଯାଇଥିଲେ ହୁଏତ ଆଦିବାସୀ ଭାଇଭଉଣୀମାନେ ଏହାର ଉଚିତ ମୂଲ୍ୟ ପାଇପାରିଥାନ୍ତେ ବୋଲି କୁହାଯାଇଛି। ଓରମାସ ତରଫରୁ ଆଦିବାସୀ ଭାଇମାନଙ୍କ ଏହି ଫଳ ବିକ୍ରି କରିବା ପାଇଁ ସହଯୋଗ କଲେ ସେମାନେ ଦଲାଲ ମୁକ୍ତ ହେବା ସହ ଉପକୃତ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe