ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ରାଉର‌କେଲା ସରକାରୀ ହସ୍ପିଟାଲରେ ଉତ୍ତେଜନା, ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର

ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ରାଉର‌କେଲା ସରକାରୀ ହସ୍ପିଟାଲରେ ଉତ୍ତେଜନା, ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର

ରାଉରକେଲା : ରାଉରକେଲା ସ୍ବତନ୍ତ୍ର କାରାଗାରରେ ଥିବା ଜଣେ ହତ୍ୟା ଅଭିଯୁକ୍ତ ବିଚାରାଧୀନ କଏଦୀ ଯୋଶେଫ୍‌ ତିର୍କୀ (୩୯)ଙ୍କର ମୃତ୍ୟୁକୁ ନେଇ ଆଜି ରାଉରକେଲା ସରକାରୀ ହସପିଟାଲରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଜେଲ୍‌ରେ ଚିକିତ୍ସା ଅବହେଳାରୁ ଯୋଶେଫଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ସେମାନେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଓ ଜେଲ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବୁରୁଟୋଲାର ଯୋଶେଫଙ୍କୁ ୨୦୧୭ ଅଗଷ୍ଟ ୨୫ ତାରିଖରେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଭାବେ ପୁଲିସ ଗିରଫ କରିଥିଲା। ବୁରୁଟୋଲାରେ ପଡ଼ୋଶୀ ମନ୍‌ସା ଲୋହାରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଯୋଶେଫ୍‌ ଓ ତାଙ୍କ ସାନଭାଇ ଅଜିତ ତିର୍କୀ ଜେଲ୍‌ ଯାଇଥିଲେ। କିଛି ଦିନ ପୂର୍ବେ ଅଜିତ ଜାମିନ ପାଇଯାଇଥିବାବେଳେ ଯୋ‌ଶେଫଙ୍କ ଜାମିନ ନାମଞ୍ଜୁର ହେବାରୁ ସେ ଜେଲ୍‌ ହାଜତରେ ରହିଥିଲେ। ତେବେ ୨/୩ ଦିନ ତଳେ ଯୋଶେଫ୍‌ ଅସୁସ୍ଥ ହୋଇପଡ଼ିଥିଲେ। ପ୍ରଥମେ ଜେଲ୍‌ ଭିତରେ ତାଙ୍କର ଚିକିତ୍ସା କରାଯାଇଥିଲା। ତେବେ ଗତକାଲି ପୂର୍ବାହ୍ନ ସାଢ଼େ ୧୧ଟାରେ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ଦିନ ପ୍ରାୟ ୧୨ଟା ପାଖାପାଖି ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)କୁ ନିଆ ଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଚିକିତ୍ସାରେ ଅବହେଳା କରାଯାଇଥିବାରୁ ଯୋଶେଫ୍‌ଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପତ୍ନୀ ପାର୍ବତୀ ତିର୍କୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଆଜି ଦିନ ତମାମ ଆର୍‌ଜିଏଚ୍‌ ପରିସରରେ ଉତ୍ତେଜନା ଲାଗି ରହିଥିଲା। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବ୍ୟବଚ୍ଛେଦ କରାଯିବ ନାହିଁ ବୋଲି ସେମାନେ ଜିଦ୍‌ରେ ଅଟଳ ରହିଛନ୍ତି। ତେଣୁ ଶବ ବ୍ୟବଚ୍ଛେଦ ହୋଇପାରିନାହିଁ। ତେବେ ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ଅପରପକ୍ଷରେ ଚିକିତ୍ସା ଅବହେଳା ଅଭିଯୋଗକୁ ଜେଲ୍‌ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଜେଲ୍‌ର ସୂଚନା ଅନୁସାରେ, ଯୋଶେଫ୍‌ ଅସୁସ୍ଥ ହେବାପରେ ତାଙ୍କୁ ତୁରନ୍ତ ଚିକିତ୍ସା ପ୍ରଦାନ କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ଆର୍‌ଜିଏଚ୍‌କୁ ନିଆଯାଇଥିଲା, ମାତ୍ର ହସ୍‌ପିଟାଲରେ ପହଞ୍ଚିବାବେଳକୁ ଯୋଶେଫଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe