କନ୍‌ଭେୟର୍‌ ବେଲ୍ଟରେ କଟିଯାଇଥିଲା: ଯୋଡ଼ାଗଲା କଟା ହାତ

କାରଖାନାର କନଭେୟର ବେଲ୍ଟରେ କହୁଣୀଠୁ ଉପରକୁ ହାତ ଦୁଇ ଖଣ୍ଡ ହୋଇଯାଇଥିଲା। ଏହି କଟା ହାତ ଯୋଡ଼ି ହୋଇଛି। ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକଙ୍କ ନେତୃତ୍ବରେ ଏସ୍‌ବିଏମ୍ ପ୍ଲାଷ୍ଟିକ ସର୍ଜରି ହସ୍‌ପିଟାଲରେ ଅସ୍ତ୍ରୋପଚାର ସଫଳ ହୋଇଛି।

adgadgdazv

କଟକ: କାରଖାନାର କନଭେୟର ବେଲ୍ଟରେ କହୁଣୀଠୁ ଉପରକୁ ହାତ ଦୁଇ ଖଣ୍ଡ ହୋଇଯାଇଥିଲା। ଏହି କଟା ହାତ ଯୋଡ଼ି ହୋଇଛି। ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକଙ୍କ ନେତୃତ୍ବରେ ଏସ୍‌ବିଏମ୍ ପ୍ଲାଷ୍ଟିକ ସର୍ଜରି ହସ୍‌ପିଟାଲରେ ଅସ୍ତ୍ରୋପଚାର ସଫଳ ହୋଇଛି। ଏବେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସୂଚନା ମିଳିଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ରୋହିତ ନାୟକଙ୍କ ପୁଅ ରାହୁଲ ନାୟକ(୨୦) ଏକ ଘରୋଇ କମ୍ପାନିରେ ଶ୍ରମିକ ଭାବେ କାମ କରୁଥିଲେ। ୨୦୨୫ ଅଗଷ୍ଟ ୨୮ ତାରିଖ ସକାଳ ୮ଟା ୩୦ ରେ କନଭେୟର ବେଲ୍ଟ ଯାଞ୍ଚ କରିବା ସମୟରେ ରାହୁଲଙ୍କ ବାମହାତ ଦୁଇ ଖଣ୍ଡ ହୋଇଯାଇଥିଲା। ଏହା ପରେ ତାଙ୍କୁ କଟକ ବାଲିକୁଦାରେ ଥିବା ଏସ୍‌ବିଏମ୍ ପ୍ଲାଷ୍ଟିକ ସର୍ଜରି ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୬ ଘଣ୍ଟା ଧରି ଅସ୍ତ୍ରୋପଚାର ହୋଇଥିଲା। 

ପ୍ଲାଷ୍ଟିକ ସର୍ଜରି ବିଭାଗର ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକଙ୍କ ନେତୃତ୍ବରେ ଡାକ୍ତର ପ୍ରଶାନ୍ତ ବଳ, ଡାକ୍ତର ଆଶିଷ ପଟ୍ଟନାୟକ, ଡାକ୍ତର ରଶ୍ମିରଞ୍ଜନ ମହାନ୍ତି, ଡାକ୍ତର ସତ୍ୟବ୍ରତ ରାଉତରାୟ, ନିଶ୍ଚେତକ ଡାକ୍ତର ଦେବ ମହାନ୍ତି ପ୍ରମୁଖ ଏହି ଅସ୍ତ୍ରୋପଚାରରେ ସାମିଲ ହୋଇଥିଲେ। ଏ ନେଇ ଡାକ୍ତର ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଅବସରରେ ଏସ୍‌ବିଏମ୍ ପ୍ଲାଷ୍ଟିକ ସର୍ଜରି ହସ୍‌ପିଟାଲର ପରିଚାଳନା ନିର୍ଦ୍ଦେଶକ ହରେକୃଷ୍ଣ ଦାସ ଓ ଅନ୍ୟ ଡାକ୍ତରମାନେ ଉପସ୍ଥିତ ଥିଲେ। 

ଡାକ୍ତର ବିଭୂତି ଭୂଷଣ ନାୟକ କହିଛନ୍ତି ଯେ, ରୋଗୀ ପହଞ୍ଚିବା ପୂର୍ବରୁ ଓଟିରେ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ଅତ୍ୟଧିକ ରକ୍ତସ୍ରାବ ହୋଇଥିବାରୁ ପ୍ରଥମେ ରକ୍ତକୁ ବନ୍ଦ କରି ତୁରନ୍ତ ହାତକୁ ରକ୍ତ ସଂଚାଳନ କରାଯାଇଥିଲା। ଏଭଳି ମାମଲାରେ ରୋଗୀ ଡାକ୍ତରଖାନାରେ ପହଞ୍ଚିବାରେ ବିଳମ୍ବ ହେଲେ କଟା ଅଙ୍ଗ ଯୋଡ଼ାହେବା ସମ୍ଭବପର ହୋଇନଥାଏ। କିନ୍ତୁ ରାହୁଲ ଶୀଘ୍ର ଡାକ୍ତରଖାନାରେ ପହଞ୍ଚିଯିବାରୁ ଅସ୍ତ୍ରୋପଚାର ସଫଳ ହୋଇଥିବା ଡାକ୍ତର ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe