କଟକ : ଐତିହାସିକ କଟକ ବାଲିଯାତ୍ରାର ବାଲୁକା କଳା ବିଶ୍ବ ରେକର୍ଡସ୍ରେ ସ୍ଥାନ ପାଇବାକୁ ଯାଉଛି। ସୋମବାର ଦିନ ବାଲିଯାତ୍ରା ପଡ଼ିଆରେ ୨୫ ହଜାର ମାଟି ଦୀପରେ ୨୫ ଫୁଟ ଉଚ୍ଚର ବାଲି ବୋଇତ ନିର୍ମାଣ କରାଯାଇଛି। ବାଲିଯାତ୍ରର ତଳ ପଡ଼ିଆରେ ନିର୍ମାଣ ହୋଇଥିବା ‘କଟକ ଇନ୍ କଟକ ପାଭିଲିନୟନ୍’ରେ ସୋମବାର ଦିନ ଏହାକୁ ଉଦ୍ଘାଟନ କରାଯାଇଛି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଛନ୍ତି।
ସୂଚନା ଅନୁସାରେ, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଟିମ୍ ଦ୍ବାରା ଶହେଟନ୍ ବାଲିରେ ‘ବୋଇତ’ ପ୍ରସ୍ତୁତ କରାଯାଇଛି। ୨୦ରୁ ଅଧିକ ଛାତ୍ରଛାତ୍ରୀ ଏହି ପ୍ରସ୍ତୁତି କାର୍ଯ୍ୟରେ ସାମିଲ୍ ହୋଇଛନ୍ତି। ଏଥିରେ ୨୫ ହଜାର ୫ଶହ ମାଟିର ଦୀପ ବ୍ୟବହାର କରାଯାଇଛି। ଏହାର ଲମ୍ବ ୬୮ ଫୁଟ୍, ଚଉଡା ୪୨ ଫୁଟ୍ ଓ ଉଚ୍ଚତା ୨୫ ଫୁଟ୍ ରହିଥିବା ବେଳେ ଏଥିପାଇଁ ୩ଦିନ ସମୟ ଲାଗିଥିବା ଜଣାପଡ଼ିଛି। ଗୋଟିଏପଟେ ଲିମ୍କା ବୁକ୍ ଅଫ ରେକର୍ଡରେ ଏହାକୁ ସ୍ଥାନ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି। ସଂପୂର୍ଣ୍ଣ ସ୍ବତନ୍ତ୍ର ଧରଣର ଏହି ବାଲୁକା କଳାକୁ ଲିମ୍କା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ଦେବାକୁ ଏହାର କାର୍ଯ୍ୟାଳୟକୁ ଚିଠି କରାଯାଇଛି ବୋଲି ବାଲୁକା ଶିଳ୍ପୀ ଶ୍ରୀ ପଟ୍ଟନାୟକ କହିଛନ୍ତି।
ମୁଖ୍ୟଅତିଥି ଶ୍ରୀବଂଶଲ କହିଛନ୍ତି, ଏହି ବାଲୁକା କଳାଟି ବାଲିଯାତ୍ରାର ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ପ୍ରକାଶ କରୁଛି। ଉଦ୍ଘାଟନୀ ଉତ୍ସବରେ ମେୟର ସୁବାସ ସିଂହ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ପୌର ନିଗମ କମିସନର ନିଖିଲ୍ ପୱନ୍ କଲ୍ୟାଣ, କଟକ ଡିସିପି ପିନାକ ମିଶ୍ର, ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ, ଡିଆରଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କର, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ନିଗମର ସମସ୍ତ କର୍ପୋରେଟର, ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଉପସ୍ଥିତ ଥିଲେ।
Follow Us