କଟକ ବାଲିଯାତ୍ରାକୁ ମିଳିବ ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା

Advertisment
କଟକ ବାଲିଯାତ୍ରାକୁ ମିଳିବ ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା

ଭୁବନେଶ୍ବର: କଟକର ଐତିହାସିକ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବର ମାନ୍ୟତା ମିଳିବ। ଏଥି ସହିତ ଏହି ସର୍ବବୃହତ ମୁକ୍ତାକାଶ ମେଳା ଯେଭଳି ଜାତୀୟସ୍ତରରେ ମାନ୍ୟତା ପାଇବ ସେଥିପାଇଁ ଉଦ୍ୟମ କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଆଜି ସୂଚନା ଦେଇଛନ୍ତି। ଲୋକସେବାଭବନଠାରେ କଟକ ବାଲିଯାତ୍ରା ସଂକ୍ରାନ୍ତରେ ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ମନ୍ତ୍ରୀ କହିଥିଲେ, କଟକର ମହାନଦୀକୂଳରେ କାର୍ତ୍ତିକ ପୂର୍ଣ୍ଣିମାଠାରୁ ଅନୁଷ୍ଠିତ ହେଉଥିବା ବାଲିଯାତ୍ରା ପ୍ରସ୍ତୁତି ସଂକ୍ରାନ୍ତରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଭିନ୍ନ ଦୃଷ୍ଟିକୋଣକୁ ବିଚାର କରି ଏହି ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମାନ୍ୟତା ଦେବା ପାଇଁ ସ୍ଥିର ହୋଇଛି। ଏହି ବାଲିଯାତ୍ରା କଟକ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସାଂସ୍କୃତିକ ଓ ବାଣିଜ୍ୟ ମେଳା ଭାବେ ପ୍ରତିବର୍ଷ ଆୟୋଜିତ ହେଉଛି। ବାଲିଯାତ୍ରାରେ ଦୈନିକ ପ୍ରାୟ ଏକ ଲକ୍ଷରୁ ଅଧିକ ଜନ ସମାଗମ ହେଉଥିବାବେଳେ ଚଳିତବର୍ଷ ଏହାକୁ ସୁବ୍ୟବସ୍ଥିତ ଓ ଅଧିକ ସରସ ସୁନ୍ଦର କରିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି।

ଏବେଠୁ ପର୍ଯ୍ୟଟନ ବିଭାଗର କ୍ୟାଲେଣ୍ଡରରେ କଟକ ବାଲିଯାତ୍ରା ସ୍ଥାନିତ ହେବା ସହିତ ବାର୍ଷିକ ୨୦ଲକ୍ଷ ଟଙ୍କା ଅନୁଦାନ ପାଇବ। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମଧ୍ୟ କଟକ ମହାନଗର ନିଗମକୁ ବାଲିଯାତ୍ରାର ଭିତ୍ତିଭୂମି ବିକାଶ ନିମନ୍ତେ ପ୍ରତିବର୍ଷ ୫୦ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଚଳିତ ବର୍ଷ ବାଲିଯାତ୍ରାରେ ପାନୀୟଜଳ ଓ ପରିମଳ ବିଭାଗ ପକ୍ଷରୁ ୧୦୦ଟି ଅସ୍ଥାୟୀ ଶୌଚାଳୟ ଏବଂ ବିଶୁଦ୍ଧ ପିଇବାପାଣିର ବ୍ୟବସ୍ଥା ହେବ। ଏହା ବ୍ୟତୀତ ଜଳସମ୍ପଦ, ପୂର୍ତ୍ତ, ସେସୁ ଓ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମଧ୍ୟ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ।
ଆଜିର ଏହି ବୈଠକରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ସଚିବ ବିଶାଳ ଦେବ, କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନୀଲ ସାମଲ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ପ୍ରେମ୍‍ କୁମାର ଝା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe