କଟକ ଭସାଣି ‌ଉତ୍ସବରେ ନୂଆ ଇତିହାସ: ଶୋଭାଯାତ୍ରାରେ ୪ ଶହ ମହିଳା

ଚଳିତ ବର୍ଷ ପ୍ରଥମ ଥର କଟକର ଐତିହାସିକ ଦଶହରା ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ଶତାଧିକ ମହିଳା। ଦୁଇଟି ପୂଜା କମିଟି ବିଡ଼ାନାସୀ ଓ ନାୟକସାହିର ଚାରି ଶହରୁ ଅଧିକ ମହିଳା ଭସାଣି ଶୋଭାଯାତ୍ରାରେ ସାମିଲ ହେବା ସହିତ ନୂଆ ପରମ୍ପରା ସୃଷ୍ଟି କରିଛନ୍ତି।

sfsfsxcxcxc

କଟକ: ଚଳିତ ବର୍ଷ ପ୍ରଥମ ଥର କଟକର ଐତିହାସିକ ଦଶହରା ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ଶତାଧିକ ମହିଳା। ଦୁଇଟି ପୂଜା କମିଟି ବିଡ଼ାନାସୀ ଓ ନାୟକସାହିର ଚାରି ଶହରୁ ଅଧିକ ମହିଳା ଭସାଣି ଶୋଭାଯାତ୍ରାରେ ସାମିଲ ହେବା ସହିତ ନୂଆ ପରମ୍ପରା ସୃଷ୍ଟି କରିଛନ୍ତି। ଦଶହରା ଅବସରରେ ‘ସମ୍ବାଦ’ ପକ୍ଷରୁ ସହରର ବିଭିନ୍ନ ପୂଜା କମିଟି ଅଞ୍ଚଳର ମହିଳାମାନଙ୍କୁ ନେଇ ଆୟୋଜନ ହୋଇଥିବା ସ୍ବତନ୍ତ୍ର କୁଇଜ୍ କାର୍ଯ୍ୟକ୍ରମ ‘ସମ୍ବାଦ ଶକ୍ତି ରୂପେଣ ସଂସ୍ଥିତା’ରେ ଅତିଥିମାନେ ଏ ପ୍ରକାର ଆହ୍ବାନ ଦେଇଥିବା ବେଳେ ଏହାକୁ କାର୍ଯ୍ୟକାରୀ କରି ଦୁଇଟି ପୂଜା ମଣ୍ଡପ ଉଦାହରଣ ସୃଷ୍ଟି କରିଛନ୍ତି। ଏତେ ସଂଖ୍ୟକ ମହିଳା ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଯିବାର ଦୃଶ୍ୟ ସହରବାସୀଙ୍କୁ ବି ଆଶ୍ଚର୍ଯ୍ୟ ଚକିତ କରିଛି। 

ସାରଳା ଭବନରେ ମେଟ୍ରୋ ଗ୍ରୁପ୍ ସହଯୋଗରେ ଆୟୋଜିତ ‘ସମ୍ବାଦ ଶକ୍ତି ରୂପେଣ ସଂସ୍ଥିତା’ର ଉଦ୍‌ଯାପନ ସମାରୋହରେ ଯୋଗ ଦେଇଥିବା ଅନ୍ୟତମ ସମ୍ମାନିତ ଅତିଥି, କଟକ ମହାନଗର ପୂଜା କମିଟିର ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଏ ସଂପର୍କରେ କହିଛନ୍ତି ଯେ ‘ଶକ୍ତିରୂପେଣ ସଂସ୍ଥିତା’ କାର୍ଯ୍ୟକ୍ରମରେ ଆମେ ଦେଇଥିବା ଆହ୍ବାନ ଏଭଳି ଢଙ୍ଗରେ ତୁରନ୍ତ ଆରମ୍ଭ ହେବା ଅତ୍ୟନ୍ତ ସ୍ବାଗତଯୋଗ୍ୟ। କିନ୍ତୁ ଏହା ଆରମ୍ଭ ମାତ୍ର। ଆଗାମୀ ବର୍ଷ ଏହାର ପ୍ରଭାବ ନିଶ୍ଚିତ ଭାବେ ଅଧିକ ଦେଖିବାକୁ ମିଳିବ। ମହିଳାମାନେ ଶୋଭାଯାତ୍ରାରେ ଆସିବା ଦ୍ବାରା ଯୁବକମାନେ ଅଧିକ ଶୃଙ୍ଖଳିତ ଢଙ୍ଗରେ ଭସାଣି ଶୋଭାଯାତ୍ରାକୁ ଆଗକୁ ବଢ଼ାଉଛନ୍ତି। ତେଣୁ ‘ସମ୍ବାଦ’ ଏଥର ଦଶହରା ପୂର୍ବରୁ ଯେଉଁ ଅଭିଯାନ ଆରମ୍ଭ କରିଥିଲା, ତାହା ବାସ୍ତବିକ ପ୍ରଶଂସନୀୟ। ଏଥିପାଇଁ ଭସାଣିରେ ସାମିଲ ହୋଇଥିବା ସମସ୍ତ ମହିଳାଙ୍କୁ ଧନ୍ୟବାଦ ତଥା କୃତଜ୍ଞତା ଜଣାଉଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। 

‘ସମ୍ବାଦ’ର ‘ଶକ୍ତି ରୂପେଣ ସଂସ୍ଥିତା’ ଆହ୍ବାନକୁ କାର୍ଯ୍ୟକାରୀ କଲେ

ବିଡ଼ାନାସୀ ପୂଜା କମିଟି ଉପଦେଷ୍ଟା ଟୁକୁନା ସେନାପତି କହିଛନ୍ତି ଯେ ମହିଳାଙ୍କୁ ଏକାଠି କରିବାର ଉତ୍ସାହ ଓ ପ୍ରେରଣା ଆମକୁ ‘ସମ୍ବାଦ’ର ଶକ୍ତିରୂପେଣ ସଂସ୍ଥିତା କାର୍ଯ୍ୟକ୍ରମ ପ୍ରଦାନ କରିଛି। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଆମେ ଏ ପ୍ରକାର ଏକ ଯୋଜନା କରିଥିଲୁ। ମହିଳାମାନଙ୍କୁ ଶୋଭାଯାତ୍ରାରେ ସାମିଲ ‌କରି ଶୋଭାଯାତ୍ରାର ନେତୃତ୍ବ ପୂଜା କମିଟି ସଭାପତି ସଂପାଦକ ଶିବେନ୍ଦ୍ର ବେହେରା, କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ସାହୁ, ଉପସଭାପତି ବିଜୟ ସେଠୀ, କର୍ମକର୍ତ୍ତା ଉମେଶ ବେହେରା, ଦିଲ୍ଲୀପ ବେହେରା, ନାରାୟଣ ମୁଦୁଲି, ଗୋପାଳ ମିଶ୍ର, ଅଜୟ ସେନାପତି ପ୍ରମୁଖ ନେଇଥିଲେ। ସେହିଭଳି ନାୟକ ସାହି ପୂଜା କମିଟି ସଂପାଦକ ଦୀପକ କୁମାର ଦାଶ କହିଛନ୍ତି ଯେ ‘ସମ୍ବାଦ’ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମ ପରେ ପରେ ଆମେ ସାହିରେ ଆଲୋଚନା କରି ଏଥିପାଇଁ ଯୋଜନା କରିଥିଲୁ। ଏଥିରେ ଆଜି ଯେଉଁ ମହିଳାମାନେ ସାମିଲ ହୋଇଥିଲେ ସମସ୍ତଙ୍କୁ ଉତ୍ତରୀୟ ଓ ଫୁଲହାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଆମେ ମହିଳାମାନଙ୍କୁ ବକ୍ସିବଜାର ଛକରୁ ଫେରିଯିବାକୁ କହିବାରୁ ସେମାନେ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ। ପୂଜା କମିଟିର ସଭାପତି ଅମିତାଭ ନାୟକ, ଉପସଭାପତି ବିଜୟ ମହାପାତ୍ର, କୋଷାଧ୍ୟକ୍ଷ ରାକେଶ ମହାରଣା, ଆଇନଜୀବୀ ରାଧାରମଣ ଦାସନାୟକ, ଅଧିକାରୀ ଅଶୋକ ଦାସ, ମହନ୍ତ ନିର୍ମଳ ମହାପାତ୍ର ପ୍ରମୁଖ ନେତୃତ୍ବ ନେଇଥିଲେ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଦଶହରା ପୂର୍ବରୁ ତିନି ସପ୍ତାହ ଧରି କେବଳ ମହିଳାମାନଙ୍କୁ ନେଇ ଆୟୋଜନ ହୋଇଥିବା ‘ସମ୍ବାଦ ଶକ୍ତି ରୂପେଣ ସଂସ୍ଥିତା’ ନିଆରା କୁଇଜ୍‌ କାର୍ଯ୍ୟକ୍ରମରେ ୯୭ଟି  ପୂଜା କମିଟିର ୧ ହଜାରରୁ ଅଧିକ ମହିଳା ଭା‌ଗ ନେଇଥିଲେ। ସେପ୍ଟେମ୍ବର ୨୬ରେ ସାରଳା ଭବନରେ ଅନୁଷ୍ଠିତ ଗ୍ରାଣ୍ଡ୍‌ ଫାଇନାଲ୍‌ରେ ୧୭ଟି ପୂଜା କମିଟିର ୩ଶହରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ମହିଳାମାନେ ଏଭଳି ଆଗକୁ ଆସିବା ଦ୍ବାରା ନିଶାମୁକ୍ତ ସମାଜ ଗଠନ ସମ୍ଭବ ହେବ ବୋଲି କହିବା ସହିତ ଏ ଦିଗରେ ଆଗକୁ ବଢ଼ିବାକୁ ଆହ୍ବାନ ଦେଇଥିଲେ। ଦଶହରା ଭସାଣିରେ ମହିଳାମାନେ ସାମିଲ ହେଲେ ନିଶାମୁକ୍ତ ଭସାଣି ଯୋଜନା ଆପେ ଆପେ ସଫଳ ହୋଇଯିବ ବୋଲି ଅନ୍ୟ ବିଶିଷ୍ଟ ଅତିଥିମାନେ କହିଥିବା ବେଳେ ତାହାର ପ୍ରତିଫଳନ ଆଜି ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe