କଟକ-ଭୁବନେଶ୍ବର-ପୁରୀ ହେବ ଟ୍ରିପଲ୍ ସିଟି: ଟ୍ରାଫିକ୍‌ ଛକରୁ ହଟିବ ସିଗ୍‌ନାଲ୍‌ ବ୍ୟବସ୍ଥା

ଭିଡ଼ ନିୟନ୍ତ୍ରଣ ପାଇଁ ବଦଳିବ ରାସ୍ତା ଡିଜାଇନ୍‌

କଟକ-ଭୁବନେଶ୍ବର-ପୁରୀ ହେବ ଟ୍ରିପଲ୍ ସିଟି: ଟ୍ରାଫିକ୍‌ ଛକରୁ ହଟିବ ସିଗ୍‌ନାଲ୍‌ ବ୍ୟବସ୍ଥା

The Economic Times

ଭୁବେନଶ୍ବର: ଏବେ ଭୁବନେଶ୍ବର-କଟକକୁ ଟ୍ବିନ୍ ସିଟି କୁହାଯାଉଛି। ଆଗକୁ ସହରାଞ୍ଚଳ ସମ୍ପ୍ରସାରଣକୁ ନଜରରେ ରଖି କଟକ-ଭୁବନେଶ୍ବର-ପୁରୀକୁ ଟ୍ରିପଲ୍ ସିଟି ଗଠନ କରାଯାଉ। ମେଟ୍ରୋ ସମେତ ସାଧାରଣ ପରିବହନ ବ୍ୟବସ୍ଥାକୁ ସେହି ଢାଞ୍ଚାରେ ନିର୍ମାଣ କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପୁରୀରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଜନା କରିଥିଲେ ହେଁ ସରକାରଙ୍କ ପ୍ରମୁଖ ଯୋଜନା, କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଆଦି ଭୁବନେଶ୍ବର-କଟକ ମଧ୍ୟରେ ସୀମିତ ରହିଯାଇଛି। ନିକଟରେ ପୁରୀ-ଭୁବନେଶ୍ବର ମଧ୍ୟରେ ରେଳ ଚଳାଚଳ ସମୟ ଯେପରି କମିବ ସେଥିପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଖୋର୍ଦ୍ଧା ରୋଡ୍‌ (ଜଟଣୀ) ଠାରେ ୧୯୨ କୋଟି ଟଙ୍କାରେ ଏକ ଫ୍ଲାଏ ଓଭର ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଏପରିସ୍ଥଳେ ମନ୍ତ୍ରୀଙ୍କ ଏହି ଯୋଜନା କାର୍ଯ୍ୟକାରୀ ହେଲେ ପୁରୀ-ଭୁବନେଶ୍ବର-କଟକକୁ ନେଇ ଓଡ଼ିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିବ। ଏହା ସହ ରାଜଧାନୀ ସମେତ ବିଭିନ୍ନ ସହରାଞ୍ଚଳରେ ଯେପରି ଅଯଥା ଭିଡ଼କୁ ନିୟନ୍ତ୍ରଣ କରାଯାଇପାରିବ ସେଥିପାଇଁ ରାସ୍ତା ଡିଜାଇନ୍ ଉପରେ ଫୋକସ୍‌ କରିବା, ନାଲି ବତୀ ସିଗ୍‌ନାଲ ଯୋଗୁ ସୃଷ୍ଟି ହେଉଥିବା ଭିଡ଼କୁ ନିୟନ୍ତ୍ରଣ କରିବାକୁ ଅଧିକ ଓଭରବ୍ରିଜ୍, ଆପ୍ରୋଚ୍ ରୋଡ୍ ନିର୍ମାଣ କରିବା, ଲୋକ ଯେପରି କମ୍‌ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ ତାହାକୁ ନଜରରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ମନ୍ତ୍ରୀ କହିଛନ୍ତି। ସହରାଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବାକୁ ଅଧିକରୁ ଅଧିକ ସିସିଟିଭି ଲଗାଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ପୁରୀ-ଭୁବନେଶ୍ବର ମଧ୍ୟରେ ରେଳ ଚଳାଚଳ ସୁଗମ ପାଇଁ ଜଟଣୀରେ ଫ୍ଲାଏ ଓଭରର ନିର୍ମାଣ
ଭିଡ଼ ନିୟନ୍ତ୍ରଣ ପାଇଁ ବଦଳିବ ରାସ୍ତା ଡିଜାଇନ୍‌
ଟ୍ରାଫିକ୍‌ ଛକରୁ ହଟିବ ସିଗ୍‌ନାଲ୍‌ ବ୍ୟବସ୍ଥା

ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସହରାଞ୍ଚଳ ପ୍ରଶାସନର ପ୍ରାଥମିକତା ନେଇ ପୌର ଅଧିକାରୀଙ୍କ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶ୍ରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏସବୁ କହିଥିଲେ। ମନ୍ତ୍ରୀ କହିଥିଲେ, ବିଭାଗୀୟ ଅଧିକାରୀମାନେ ଦପ୍ତରରେ ବସି ନରହି କ୍ଷେତ୍ର ଗସ୍ତରେ ଯାଆନ୍ତୁ। ଦିନକୁ ଅତି କମ୍‌ରେ ତିନିରୁ ଚାରି ଘଣ୍ଟା ୱାର୍ଡ ପରିଦର୍ଶନ କରନ୍ତୁ। ସେହିପରି ସହରାଞ୍ଚଳରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ରକ୍ଷଣାବେକ୍ଷଣ ସମ୍ପୃକ୍ତ ନିର୍ମାଣକାରୀ ସଂସ୍ଥା ଓ ଠିକାଦାରମାନେ କରିବା ଉପରେ ମନ୍ତ୍ରୀ ଜୋର ଦେଇଛନ୍ତି। ଯିଏ ଯେଉଁ ପ୍ରକଳ୍ପ କରୁଛି ସିଏ ଅତି କମ୍‌ରେ ତିନି ବର୍ଷ ପର୍ଯ୍ୟନ୍ତ ତାହାର ରକ୍ଷଣାବେକ୍ଷଣ କରିବ। ଯଦି ଏଥିରେ କେହି ଖିଲାପ କରିବେ ତେବେ ସେମାନଙ୍କ ବିରୋଧରେ ଫୌଜଦାରୀ ମୋକଦ୍ଦମା ରୁଜୁ କରାଯିବ ବୋଲି ମନ୍ତ୍ରୀ ଚେତାଇ ଦେଇଛନ୍ତି।

ବିଭାଗର ଅତରିକ୍ତ ମୁଖ୍ୟ ସଚିବ ଜି. ମାଥିଭାଥନନ ସ୍ୱାଗତ ଭାଷଣ ଦେଇଥିଲେ। ବର୍ଷାଋତୁରେ ଡ୍ରେନ୍‌ଜନିତ ଦୁର୍ଘଟଣା ପ୍ରତି ସତର୍କ ରହିବାକୁ କୁହାଯାଇଛି। ଯେଉଁଠାରେ ସ୍ଲାବ ପକାଯାଇ ପାରୁନାହିଁ ସେ ସବୁ ସ୍ଥାନରେ ବାଡ଼ ବୁଲାଇବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବିଭାଗ ତରଫରୁ ପ୍ରତ୍ୟେକ ପୌର ସଂସ୍ଥାକୁ ମାର୍ଗଦର୍ଶିକା ପଠାଯାଇଛି। ଯଦି କୌଣସି ସ୍ଥାନରେ ଦୁର୍ଘଟଣା ଘଟେ ତେବେ ସେହି ସ୍ଥାନ ଦାୟିତ୍ୱରେ ଥିବା ଯନ୍ତ୍ରୀମାନଙ୍କୁ ଦାୟୀ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଏହି ପ୍ରଶିକ୍ଷଣ କର୍ମଶାଳାରେ ବିଏମ୍‍ସି କମିସନର ରାଜେଶ ପ୍ରଭାକର ପାଟିଲ, ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍‍ ନାୟକ, ସୁଡାର ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା, ଅତିରିକ୍ତ ସଚିବ ଦୁର୍ଗେଶ ନନ୍ଦିନୀ ସାହୁ ପ୍ରମୁଖ ସେମାନଙ୍କ ଅଧୀନରେ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe