ଚୌଦ୍ବାର ବାଣୀପଦା ହତ୍ୟାକଣ୍ତ; ଆଉ ୫ ଗିରଫ

ଅଭିଯୁକ୍ତଙ୍କ ଭିତରେ ଅଛନ୍ତି ମା’-ପୁଅ, ଭାଇ-ଭାଇ

ଚୌଦ୍ବାର ବାଣୀପଦା ହତ୍ୟାକଣ୍ତ; ଆଉ ୫ ଗିରଫ

Sambad

କଟକ: ବେଆଇନ ମଦ କାରବାରକୁ ନେଇ ଚୌଦ୍ବାର ଥାନା ଅନ୍ତର୍ଗତ ବାଣିପଦା ହରିଜନ ସାହିରେ ହୋଇଥିବା ହତ୍ୟାକାଣ୍ତ ଘଟଣାରେ ଆଉ ୫ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଓକିଲ ଓରଫ ଅନୀଲ ସାମଲ, ହାକିମ ସାମଲ (୨୮), ନାଲୁଆ ଓରଫ ରାଜେନ୍ଦ୍ର ସାମଲ (୩୨), ସାଗର ସାମଲ (୨୨) ଓ ଅନୁସୟା ସାମଲ (୪୦)। ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ପୂର୍ବରୁ ଏହି ଘଟଣାରେ ମୃତକଙ୍କ ଭାଇ ମଣ୍ଟୁ ସାମଲ ଓ ତାଙ୍କ ପଡୋଶୀ ଆଶାଲତା ସାମଲଙ୍କୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିସାରିଛି।
ସୂଚନାଯୋଗ୍ୟ, ଟିପିଏମ୍ ଫାଣ୍ତି ଅ‌ଞ୍ଚଳର ବାଣୀପଦା ହରିଜନ ସାହିରେ ଗତ ୧ତାରିଖ ଦିନ ରାତି ୧୧ଟା ବେଳେ ସରୋଜ ସାମଲଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଗୁରୁତର ଅବସ୍ଥାରେ ସରୋଜଙ୍କୁ ବଡ଼ ମେଡିକାଲ୍‌ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତକଙ୍କ ପତ୍ନୀ ଲକ୍ଷ୍ମୀଙ୍କ ଅଭିଯୋଗ ପରେ ଘଟଣାର ତଦନ୍ତ କରି ପୁଲିସ୍‌ ଗତ ୫ ତାରିଖରେ ମଣ୍ଟୁ ଓ ଆଶାଲତାଙ୍କୁ ଗିରଫ କରିଥିଲା। ହେଲେ ଅନ୍ୟଅଭିଯୁକ୍ତମାନେ ଗାଁ ଛାଡ଼ି ଫେରାର୍‌ ହୋଇଯାଇଥିଲେ। ବିଭିନ୍ନ ସ୍ଥାନରେ ଚଢାଉ କରିବା ପରେ ଶନିବାର ଆଉ ୫ଜଣ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ୍‌ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଓକିଲ ଓ ହାକିମ ଦୁଇ ଭାଇ ହୋଇଥିଲାବେଳେ ଅନୁସୟା ଓ ସାଗର ମା'-ପୁଅ ବୋଲି ଜଣାପଡ଼ିଛି।

ଗ୍ରାମରେ ବେଆଇନ୍‌ ମଦ କାରବାରକୁ ନେଇ ଦୀର୍ଘ ଦିନରୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଛି। ହତ୍ୟାକାଣ୍ଡ ଦିନ ଉଭୟ ଗୋଷ୍ଠୀ ଫାଣ୍ଡିରେ ପରସ୍ପର ବିରୋଧରେ ଅଭିଯୋଗ କରିଥିଲେ। ଯାହାକୁ ଆଧାର କରି ଦୁଇଟି ପୃଥକ ମାମଲା ରୁଜୁ କରାଯାଇଥିଲା। ହେଲେ ସେହି ସମୟରେ କାରବାରକୁ ବିରୋଧ କରୁଥିବା ସରୋଜଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଟ୍ୟୁବ୍‌ୱେଲ ପାଖକୁ ତାଙ୍କ ଭାଇ ଡାକିଥିଲାବେଳେ ସେଠାରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା।

ପରେ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ କଟୁରୀରେ ସରୋଜଙ୍କୁ ହାଣି ଦେଇଥିଲେ। ହାଣିବା ପରେ ଘୋଷାଡ଼ି ଘୋଷାଡ଼ି ତାଙ୍କୁ କିଛି ବାଟ ନେଇଯାଇଥିଲେ। ପଡ଼ିଶା ଲୋକମାନେ ‌ଏବିଷୟରେ ଜାଣିପାରି ପୁଲିସ୍‌କୁ ଖବର ଦେଇଥିଲେ। ସ୍ବର୍ଗତ ଗୟାଧର ସାମଲଙ୍କ ଚତୁର୍ଥ ପୁଅ ସରୋଜଙ୍କର ଏକ ବର୍ଷକର ପୁଅ ଓ ସ୍ତ୍ରୀ ଅଛନ୍ତି। ହେଲେ ‌ବେଆଇନ୍ ମଦ କାରବାର ଯୋଗୁଁ ଏତେ ସବୁ ଅପରାଧ ହେଉଥିଲେ ବି ପୁଲିସ୍‌ ଏହାକୁ ବନ୍ଦ କରାଇବା ଦିଗରେ କୌଣସି ପଦକ୍ଷେପ ନେଉନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସ‌େନ୍ତାଷ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe