ଚୌଦ୍ବାର ଜେଲ ସ୍ଥିତି ଭୟଙ୍କର: ରାହୁଲକୁ ବାରିପଦା, ସକିଲକୁ କେନ୍ଦୁଝର ସ୍ଥାନାନ୍ତର

Advertisment
ଚୌଦ୍ବାର ଜେଲ ସ୍ଥିତି ଭୟଙ୍କର: ରାହୁଲକୁ ବାରିପଦା, ସକିଲକୁ କେନ୍ଦୁଝର ସ୍ଥାନାନ୍ତର

New Indian Express

କଟକ: ଚୌଦ୍ବାର ସର୍କଲ୍ ଜେଲରେ ରାହୁଲ ଓ ସକିଲ ଗ୍ୟାଙ୍ଗ୍‌ ଭିତରେ ଗୋଷ୍ଠୀସଂଘର୍ଷ ଭୟଙ୍କର ରୂପ ନେଲାଣି। ପରିସ୍ଥିତି ଏଭଳି ହୋଇଛି ଯେ ବାଧ୍ୟହୋଇ ଜେଲ୍ କର୍ତ୍ତୃପକ୍ଷ ରାହୁଲକୁ ବାରିପଦା ସର୍କଲ ଜେଲ୍ ଏବଂ ସକିଲକୁ କେନ୍ଦୁଝର ଜିଲ୍ଲା ଜେଲକୁ ସ୍ଥାନାନ୍ତର କରିଛନ୍ତି। ଗୋଷ୍ଠୀ ବିବାଦ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବାରୁ ପରିସ୍ଥିତିର ମୁକାବିଲା ପାଇଁ କର୍ତ୍ତୃପକ୍ଷ ଏପରି ପଦକ୍ଷେପ ନେଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଚୌଦ୍ବାର ସର୍କଲ ଜେଲରେ ଥିବା ସକିଲ୍‌କୁ ୩ ମାମଲାରେ ଜାମିନ ମିଳିଥିବାବେଳେ ଗୋଟିଏ ମାମଲାର ବିଚାର ଚାଲିଥିଲା। ବାରମ୍ବାର ଜେଲରେ ସେଲ୍ଫି ଉଠାଇବା ଏବଂ ଆନନ୍ଦ ସ୍ପୋର୍ଟସ୍‌ ମାଲିକଙ୍କୁ ବଟି ମାଗିବା ଘଟଣା ପରେ ତାକୁ ସ୍ବତନ୍ତ୍ର ସେଲକୁ ସ୍ଥାନାନ୍ତର କରିଦିଆଯାଇଥିଲା। ଅନ୍ୟପଟେ କେସିଆ ହତ୍ୟାକାଣ୍ଡରେ ଅଭିଯୁକ୍ତ ସେକ୍ ରାହୁଲ ଗୋଟିଏ ମାମଲାରେ ଆଜୀବନ ସଜା କାଟୁଥିବା ବେଳେ ଅନ୍ୟ ଗୋଟିଏ ମାମଲାରେ ବିଚାର ଚାଲିଥିଲା। ତାକୁ କନଭିକ୍ଟ୍‌ ୱାର୍ଡରେ ରଖାଯାଇଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ବଟି ବିବାଦକୁ କେନ୍ଦ୍ର କରି ଦୀର୍ଘଦିନ ହେବ ଶତ୍ରୁତା ଲାଗି ରହିଥିବାରୁ ଜେଲ କର୍ତ୍ତୃପକ୍ଷ ଗଲା ଏକମାସ ହେବ କଡ଼ା ନଜରରେ ରଖିଥିଲେ। ଦୁଇଗୋଷ୍ଠୀର ପାଖାପାଖି ୪୦ ସହଯୋଗୀଙ୍କୁ ସ୍କାନରରେ ରଖାଯାଇଥିଲା। ଏବେ କିନ୍ତୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଗଣ୍ଡଗୋଳରେ ସକିଲର ଜଣେ ସହଯୋଗୀଙ୍କୁ ମୁଣ୍ଡ ଫାଟିଥିବା କୁହାଯାଉଛି। ଏପରିକି ଜେଲ୍‌ର ୱାର୍ହର୍‌ଙ୍କୁ ଧମକାଇବା ସହିତ ଦୁର୍ବ୍ୟବହାର ବି କରୁଥିଲେ। ଜେଲ୍ ବାହାରେ ବି ଏମାନଙ୍କ ଉତ୍ପାତ କିଛି କମ୍ ନାହିଁ। ଜେଲ୍ ଭିତରେ ଥାଇ ରାହୁଲ ବାହାରେ ନୂଆ ଗ୍ୟାଙ୍ଗ୍ ପ୍ରସ୍ତୁତ କରିସାରିଛି। ରାହୁଲ୍‌ର ଭାଇ ଟିପୁ ନୂଆ ଗ୍ୟାଙ୍ଗ୍‌ ଗଢ଼ିବାର ନେତୃତ୍ବ ନେଉଥିବା କୁହାଯାଉଛି। ଟିପୁ ସହିତ ସହଯୋଗୀ ଅଫସର‌୍‌, କାଲା ସାହାରୁ, ଧଳସାମନ୍ତ ସହଯୋଗୀ ତଥା ସାର୍ପସୁଟର‌୍‌ ଆରିଫ୍‌ ଖାଁର ଭିଣୋଇ ଲାଲ୍‌ବାଗ ଦିଵାନବଜାର ତନ୍ତିସାହିର ରାହୁଲ୍‌ ଓରଫ ଶେଖ୍‌ ହାଇଦର‌୍‌ ପରସ୍ପର ଭିତରେ ଏକାଠି ହୋଇଯାଇଛନ୍ତି। ଏମାନଙ୍କୁ ସେକ୍‌ ସାହାରୁଖ୍‌ ମାସିକିଆ ଟଙ୍କା ଯୋଗାଉଥିବା କୁହାଯାଉଛି। ଗୋଟେ ସମୟରେ ଗ୍ୟାଙ୍ଗଷ୍ଟର‌୍‌ ଟିଟୋ ଏବ˚ ସକିଲ୍‌ ସହିତ କାମ କରୁଥିବା ରାହୁଲ୍‌ ଏବେ ଉଭୟଙ୍କଠାରୁ ଅଲଗା ହୋଇ ଏବେ ନିଜ ରାସ୍ତା ପ୍ରସ୍ତୁତ କରିଛି। ଧଳସାମନ୍ତ ଗ୍ୟାଙ୍ଗ୍‌ର ପ୍ରମୁଖ ସହଯୋଗୀ ଆରିଫ୍‌ ସହିତ ହାତ ମିଶାଇ ଦେଇଛି। ରାହୁଲ୍‌ର ଭାଇ ଏବ˚ ଆରିଫ୍‌ର ଭିଣୋଇ ଏବେ ବାହାରେ ଏକାଠି ମିଶି ନୂଆ ଗ୍ୟାଙ୍ଗ୍‌ ଗଢ଼ିବାକୁ ଯୋଜନା ଚଳାଇଛନ୍ତି।

ତେବେ ଜଗତପୁର ଆଇ.ବି ରୋଡ୍‌ରେ ଗଲା ଜାନୁଆରି ୬ ତାରିଖରେ ମଦଦୋକାନ କର୍ମଚାରୀଙ୍କୁ ଆକ୍ରମଣ କରି ୫ ଲକ୍ଷ ଟଙ୍କା ଡକାୟତି ଘଟଣାରେ ରାହୁଲ୍‌ ଓ ଆରିଫ୍‌ଙ୍କ ନୂଆଗ୍ୟାଙ୍ଗ୍‌ର ସମ୍ପୃକ୍ତି ରହିଛି। ପୂରା ଡକାୟତି ଘଟଣାର ଯୋଜନା ପ୍ରସ୍ତୁତ କରିଥିବା ଆରିଫ୍‌ର ମା କାଫଲାବଜାରର ଜୋହର ବିବିକୁ ଗଲା ୧୫ ତାରିଖରେ ଜଗତପୁର ଥାନା ପୁଲିସ ଗିରଫ କରିଥିଲା। ଏହି ଡକାୟତି ଘଟଣାରେ ପାଖାପାଖି ୫ ଜଣଙ୍କ ସମ୍ପୃକ୍ତି ଥିଲା। ଜୋହର‌୍‌ଙ୍କ ସମେତ ସହଯୋଗୀ ସେକ୍‌ ଇର୍ସାଦ ମହମ୍ମଦ, ଆରିଫ୍‌ର ସହଯୋଗୀ ଟାଙ୍ଗୀର ସାହେଦ୍‌ ଖାଁ, ମହମ୍ମଦ ଜସିମ୍‌, ବନ ଓରଫ ବନମାଳୀ ବେହେରା, ମିଟୁ ଓରଫ ସତ୍ୟଜିତ ନାଥ, ଲାଲବାଗର ସେକ୍‌ ଇର୍ସାଦ ମହମ୍ମଦକୁ ଗିରଫ କରାଯାଇଥିଲା। ଅନ୍ୟପଟେ ବାଲୁବଜାରର ଶ୍ରୀ ଶ୍ରୀ ଅଳଙ୍କାର ମାଲିକ ପାରସନାଥ ସାହାଙ୍କୁ ରାହୁଲ ଗ୍ୟାଙ୍ଗ୍ ଗଲା ୨୫ ତାରିଖରେ ୨ ଲକ୍ଷ ଟଙ୍କା ବଟି ମାଗିଥିଲା। ପାରସନାଥ ପୂର୍ବରୁ ସକିଲ ଗ୍ୟାଙ୍ଗକୁ ବିଭିନ୍ନ ସମୟରେ ବଟି ଦେଇଥିବାରୁ ରାହୁଲ୍ ବି ଧମକାଇବା ଆରମ୍ଭ କରିଥିଲା। ଏହି ମାମଲାରେ ରାହୁଲର ଭାଇ ସଦୟ ଖାଁଙ୍କ ସମେତ ନୂଆଗ୍ୟାଙ୍ଗର ସହଯୋଗୀ ସେକ୍ ଅଫସର୍ ବଟି ମାଗିଥିଲେ। ଲାଲବାଗ ଥାନା ପୁଲିସ ଏହି ଘଟଣାରେ ଏମାନଙ୍କ ସମେତ ସୟଦ ସଦ୍ଦାମକୁ ବି ଗିରଫ କରି ୨୭ ତାରିଖରେ କୋର୍ଟ ଚାଲାଣ କରିଥିଲା। ରାହୁଲର ଭାଇ ସମେତ ୩ ଜଣ ଜେଲରେ ପହଞ୍ଚିବା ପରେ ସକିଲ ସହିତ ଗଣ୍ଡଗୋଳ ଉଗ୍ର ରୂପ ନେଇଥିବା କୁହାଯାଉଛି। ପୂର୍ବରୁ ତେଲ ବ୍ୟବସାୟୀ ଗୋପାଳ ଗୁପ୍ତାଙ୍କୁ ଚୌଦ୍ବାର ଜେଲରେ ୫୦ ଲକ୍ଷ ଟଙ୍କାର ବଟି ମାଗିବା ଘଟଣାରେ ଧଳସାମନ୍ତ ସହଯୋଗୀ ଲିଟୁକୁ ଢେଙ୍କାନାଳ ଜିଲ୍ଲା ଜେଲ ଓ ପିଣ୍ଟାକୁ ଅନୁଗୁଳ ଜିଲ୍ଲା ଜେଲକୁ ଫେବ୍ରୁଆରି ମାସରେ ସ୍ଥାନାନ୍ତର କରାଯାଇଥିଲା। ଲିଟୁଆ ବିରୋଧରେ ତିନୋଟି ମାମଲା ଏବଂ ପେଣ୍ଟା ବିରୋଧରେ ଗୋଟିଏ ମାମଲା ଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe