Photograph: (Odisha TV)
କଟକ: ଶୁକ୍ରବାର କଟକ ପୌର ନିଗମ କାଉନସିଲ୍ ବୈଠକରେ ଚୌକି ଫିଙ୍ଗିବା, ମାଇକ୍ରୋଫୋନ୍ ଭାଙ୍ଗିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏହାସହିତ ଗାଳିଗୁଲଜ ଘଟଣାକୁ ନେଇ ବିଜେପି ଓ ବିଜେଡି କର୍ପୋରେଟର୍ ମୁହାଁମୁହିଁ ହୋଇଥିବା ବେଳେ ବୈଠକରେ ଉପସ୍ଥିତ ଥିବା ସିଏମ୍ସି କମିସନର କିରଣଦୀପ କୌର ସହୋତା ଉଠି ପଳାଇ ଯାଇଥିଲେ। ଦୀର୍ଘ ସମୟ ଧରି ଏହାକୁ ନେଇ ଉତ୍ତେଜନା ଲାଗି ରହିଥିଲା। ୱାର୍ଡରେ କର୍ପୋରେଟର୍ଙ୍କ ଅଜାଣତରେ ଜିମ୍ ଉପକରଣ ବସାଇବାକୁ ନେଇ ଆଲୋଚନା ଚାଲିଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ପୌର ନିଗମର ଇଞ୍ଜିନିୟରିଂ ବିଭାଗର ମନମାନିକୁ ନେଇ ବିଜେପି କର୍ପୋରେଟର୍ ରାକେଶ ସ୍ବାଇଁ ମାଇକ୍ରୋଫୋନ୍, ଚୌକି, ଫୁଲଦାନି ଫିଙ୍ଗିବା ସହ ଟେବୁଲକୁ ଗୋଇଠା ମାରିଥିଲେ। ଏହାକୁ ବିଜେଡି କର୍ପୋରେଟର୍ ବିରୋଧ କରିବାରୁ ବିବାଦ ବଢ଼ିଥିଲା। ୱାର୍ଡ ନମ୍ବର ୫୧ରେ ନିଗମର ଇଞ୍ଜିନିୟରିଂ ବିଭାଗ ତରଫରୁ ଜିମ୍ ଉପକରଣ ଲଗାଯାଇଥିବା ସମୟରେ ତାଙ୍କୁ କୌଣସି ସୂଚନା ଦିଆଯାଇ ନଥିଲା ବୋଲି ବିଜେପି କର୍ପୋରେଟର୍ ରାକେଶ ସ୍ବାଇଁ ଅଭିଯୋଗ କରିବା ସହ ଏହି ଉପକରଣ ପାଇଁ ନିଗମର ଜଣେ ଇଞ୍ଜିନିୟର ତାଙ୍କ ୱାର୍ଡର ଏକ ସଂଗଠନରୁ ୩୦ ହଜାର ଟଙ୍କା ନେଇଥିବା ଅଭିଯୋଗ ଆଣିଥିଲେ।
ବିଜେପି-ବିଜେଡି କର୍ପୋରେଟର ମୁହାଁମୁହିଁ, ଉଠି ପଳାଇଲେ କମିସନର୍
/filters:format(webp)/sambad/media/media_files/2025/11/01/adggdgdzcv-2025-11-01-03-27-02.jpg)
ଏଭଳି ଆଲୋଚନା ସମୟରେ ଶ୍ରୀ ସ୍ବାଇଁ ପ୍ରଥମେ ମାଇକ୍ରୋଫୋନ୍ ଫୋପାଡିବା ସହ ଟେବୁଲକୁ ଗୋଇଠା ମାରିଥିଲେ। ପରେ ତାଙ୍କ ଚୌକିକୁ ସମ୍ମିଳନୀ କକ୍ଷ ମଝିକୁ ଫୋପାଡି ସଭା ମଝିକୁ ଉଠିଆସି ଫୁଲଦାନି ଫୋପାଡି ଥିଲେ। ସଭାରେ ଶ୍ରୀ ସ୍ବାଇଁଙ୍କ ଏପରି ଆଚରଣ ଦେଖି ବିଜେଡି କର୍ପୋରେଟର୍ ରବିନାରାୟଣ ସାହୁ ‘ରାସ୍କେଲ୍’ ବୋଲି କହିଥିଲେ। ଏହାକୁ ନେଇ ବିଜେପି କର୍ପୋରେଟର୍ ଗଗନ ଓଝା ବିଜେଡି କର୍ପୋରେଟରଙ୍କ ଏପରି ଶବ୍ଦ ବ୍ୟବହାରକୁ ନେଇ ପାଟିତୁଣ୍ଡ କରିଥିଲେ। ପରେ ବିଜେଡି ଓ ବିଜେପି କର୍ପୋରେଟର୍ଙ୍କ ମଧ୍ୟରେ ବିବାଦ ବଢିଯାଇଥିଲା। ଏପରି ସ୍ଥିତିରେ ପ୍ରଥମେ କମିସନର ପରେ ସମସ୍ତ ଅଧିକାରୀ ସଭା ଛାଡି ଚାଲିଯାଇଥିଲେ। ମେୟର ସୁବାସ ସିଂହ ଓ ଅନ୍ୟ ବରିଷ୍ଠ କର୍ପୋରେଟର୍ମାନେ ଉତ୍ତେଜିତ କର୍ପୋରେଟର୍ମାନଙ୍କୁ ବୁଝାସୁଝା କରି ସ୍ଥିତି ସମ୍ଭାଳି ଥିଲେ। ଏହାପରେ ଆଜିର ବୈଠକକୁ ମେୟରଙ୍କ ପକ୍ଷରୁ ବାତିଲ କରି ଦିଆଯାଇଥିଲା। ଗଣ୍ଡଗୋଳ ପରେ ମେୟର ସୁବାସ ସିଂହ ସମସ୍ତ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏପରି ଘଟଣା ବାରମ୍ବାର ଘଟୁଥିବା ବେଳେ ଅଧିକାରୀମାନେ ଆଗକୁ ବୈଠକକୁ ଆସିବେ ନାହିଁ ବୋଲି କହିଥିଲେ। ମେୟର ଶ୍ରୀ ସିଂହ ପୃଥକ ଭାବେ ସବୁ ଦଳର ବରିଷ୍ଠ କର୍ପୋରେଟର୍ଙ୍କୁ ନେଇ ଏ ପ୍ରସଙ୍ଗରେ ଆଲୋଚନା କରିବା ସହିତ ଆଗକୁ ବୈଠକରେ ଯେଭଳି ଭଙ୍ଗାରୁଜା ନ ଘଟିବ, ସେଥିପାଇଁ ଲିଖିତ ପ୍ରତିଶ୍ରୁତି ଦେବାକୁ ପରାମର୍ଶ ଦେଇଛନ୍ତି।
Follow Us