Sambad English
ଭୁବନେଶ୍ୱର : କଟକ-ଅନୁଗୁଳ, ଅନୁଗୁଳ-ସମ୍ବଲପୁର ଚାରି ଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟ ଅହେତୁକ ବିଳମ୍ବ ହେଉଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ରାସ୍ତାରେ ଯାତାୟାତ କରିବା ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ବିସହ ହୋଇପଡ଼ିଥିବାବେଳେ ଖରାପ ରାସ୍ତା ଯୋଗୁଁ ବସ୍ ଚଳାଚଳ କରିପାରୁନି। ତେଣୁ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ବିଭିନ୍ନ ମହଲରୁ ଦାବି ହେବା ପରେ ରାଜ୍ୟ ସରକାର ଏହାର ସମୀକ୍ଷା କରିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସବୁ ଦୋଷ ଠିକା ସଂସ୍ଥା ଉପରେ ଲଦିବା ସହ କହିଛନ୍ତି ଯେ, ଜୁନ୍, ୨୦୨୨ରେ ଏହି ୨୫୩କିମିର ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବ।
ଏହି ବୈଠକରେ ଏନ୍ଏଚ୍ଏଆଇର ଆଞ୍ଚଳିକ ମୁଖ୍ୟ ଆର୍.ପି ପଣ୍ଡା କହିଛନ୍ତି ଯେ, ଏହି ୨୫୩କିମିର ରାସ୍ତାକୁ ତିନିଟି ପ୍ୟାକେଜ୍ରେ କରାଯାଉଛି। ପ୍ୟାକେଜ୍-୧ରେ କଟକରୁ ଅନୁଗୁଳ ରାସ୍ତାର ୬୦.୨୦୦କିମି ପର୍ଯ୍ୟନ୍ତ ନିର୍ମାଣ ହେଉଥିବାବେଳେ ଏହାର ୫୨% ଶେଷ ହୋଇଛି।
ପ୍ୟାକେଜ୍-୨ରେ କଟକ-ଅନୁଗୁଳ ସେକ୍ସନର ୬୦.୨୦୦କିମିରୁ ୧୧୨କିମି ପର୍ଯ୍ୟନ୍ତ ରାସ୍ତାର ୫୧% କାମ ଶେଷ ହୋଇଥିବାବେଳେ ପ୍ୟାକେଜ୍-୩ରେ ଅନୁଗୁଳରୁ ସମ୍ବଲପୁର ପର୍ଯ୍ୟନ୍ତ (୧୧୨କିମିରୁ ୨୫୩କିମି ପର୍ଯ୍ୟନ୍ତ) ରାସ୍ତା ନିର୍ମାଣ ହେଉଥିବାବେଳେ ଏହାର ୫୫% ଶେଷ ହୋଇଛି। ଠିକା ସଂସ୍ଥା ଗାୟତ୍ରୀ ପ୍ରୋଜେକ୍ଟସ ଲିମିଟେଡ ଯୋଗୁଁ ଏହି କାମ ବିଳମ୍ବ ହେଉଛି। କିନ୍ତୁ ଆମେ ଜୁନ୍, ୨୦୨୨ ସୁଦ୍ଧା ଶେଷ କରିବାକୁ ଟାର୍ଗେଟ୍ ଦେଇଛୁ। ଏହି ରାସ୍ତା ବିଳମ୍ବ ପାଇଁ କେତେକ ସ୍ଥାନରେ ସ୍କୁଲ, ମନ୍ଦିର, ଆବାସିକ ଘର ଉଚ୍ଛେଦ ହେବାକୁ ଥିବାବେଳେ ତାହା ହୋଇପାରିନି। ଏହାବାଦ୍ ଜମି ଅଧିଗ୍ରହଣ, ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର, ହାତୀ କରିଡର ନିର୍ମାଣ ଭଳି ସମସ୍ୟା ଯୋଗୁଁ ଏହା ବିଳମ୍ବ ହୋଇଛି। ଏହାକୁ ତୁରନ୍ତ ସମାଧାନ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।
Follow Us