ଦୁଇ କରୋନା ସନ୍ଦିଗ୍ଧଙ୍କ ସାଂଘାତିକ କାର୍ଯ୍ୟ, ବିପଦରେ କଟକ ଶିଶୁଭବନ!

Advertisment

ତଥ୍ୟ ଲୁଚାଇ ୨ ଅସୁସ୍ଥ ଶିଶୁଙ୍କୁ ଭର୍ତ୍ତି କରିଥିଲେ, ତୁରନ୍ତ ବିଶୋଧନ କରାଗଲା ୨ ୱାର୍ଡ

ତଥ୍ୟ ଲୁଚାଇ ୨ ଅସୁସ୍ଥ ଶିଶୁଙ୍କୁ ଭର୍ତ୍ତି କରିଥିଲେ, ତୁରନ୍ତ ବିଶୋଧନ କରାଗଲା ୨ ୱାର୍ଡ

ଦୁଇ କରୋନା ସନ୍ଦିଗ୍ଧଙ୍କ ସାଂଘାତିକ କାର୍ଯ୍ୟ, ବିପଦରେ କଟକ ଶିଶୁଭବନ!

Odisha Samaya

କଟକ: ଦୁଇ କରୋନା ସନ୍ଦିଗ୍ଧଙ୍କ ମାରାତ୍ମକ କାର୍ଯ୍ୟ କଟକ ଶିଶୁଭବନ ସମେତ ଏବେ ଅନେକଙ୍କୁ ବିପଦ ମୁହଁକୁ ଟାଣି ଆଣିଛି। ଦୁବାଇ ଫେରନ୍ତା ଏକ ପରିବାର ନିଜ ସମ୍ପର୍କରେ ତଥ୍ୟ ଲୁଚାଇ ଦୁଇ ଅସୁସ୍ଥ ଶିଶୁଙ୍କୁ ଚିକିତ୍ସା ପାଇଁ ଆଣି କଟକ ଶିଶୁ ଭବନରେ ଭର୍ତ୍ତି କରିଛନ୍ତି। କିନ୍ତୁ ସେମାନଙ୍କ ସମ୍ପର୍କରେ ତଥ୍ୟ ଜଣାପଡ଼ିବା ପରେ ଆସିଥିବା ଦୁଇ ଅସୁସ୍ଥ ଶିଶୁ ଓ ସେମାନଙ୍କ ସମସ୍ତ ଅଭିଭାବକଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଏହାସହିତ ଶିଶୁଭବନର ୱାର୍ଡକୁ ସୁରକ୍ଷା ଦୃଷ୍ଟିରୁ ସମ୍ପୂର୍ଣ୍ଣ ବିଶୋଧନ କରାଯାଇଛି। ଏଭଳି ସାଂଘାତିକ କାର୍ଯ୍ୟ କରିଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ଦୁବାଇରୁ ଫେରିଥିବା ବେଳେ ଅନ୍ୟଜଣେ ହେଉଛନ୍ତି ଭଦ୍ରକର କରୋନା ଚିହ୍ନଟ ହୋଇଥିବା ଯୁବକଙ୍କ ପଡ଼ୋଶୀ।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ତିହି଼ଡ଼ିର ଦୁବାଇ ଫେରନ୍ତା ଜଣେ ଓଡ଼ିଆ ବ୍ୟକ୍ତି କରୋନା ସନ୍ଦେହରେ ୧୦୪ରେ ନାମ ପଞ୍ଜୀକରଣ କରିଥିଲେ। ଏହା ସହିତ ତାଙ୍କ ସ୍ବାବ୍‌ ନମୁନା ବି ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। କିନ୍ତୁ, ଏଯାଏ ତାଙ୍କର ରିପୋର୍ଟ ଆସିନାହିଁ। ଏଭଳି ସ୍ଥିତିରେ ଗତକାଲି ବିଳମ୍ବିତ ରାତିରେ ସେ ତାଙ୍କ ଅସୁସ୍ଥ ପୁତୁରାକୁ ଶିଶୁ ଭବନରେ ଚିକିତ୍ସା ପାଇଁ ଆଣିଥିଲେ। କିନ୍ତୁ ସେ ଦୁବାଇରୁ ଫେରିଥିବା ସମ୍ପର୍କରେ ଶିଶୁଭବନ କର୍ତ୍ତୃପକ୍ଷଙ୍କୁ ଜଣାଇ ନ ଥିଲେ। ଶିଶୁଭବନ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଜାଣିବା ପରେ ଆଜି ହଇଚଇ ସୃଷ୍ଟି ହୋଇଥିଲା। କିନ୍ତୁ ସେତେବେଳକୁ ସମ୍ପୃକ୍ତ ଶିଶୁକୁ ଡାକ୍ତର ପୁରୁଣା ମେଡିକାଲର ବେଡ୍‌ ନମ୍ବର ୧୫୩ରେ ଭର୍ତ୍ତି କରିସାରିଥିଲେ। ଶିଶୁକୁ ଜ୍ବର ହୋଇଥିବାରୁ ତା’ର ଚିକିତ୍ସା କରାଯାଉଥିଲା। ଆଜି ସକାଳେ ସମ୍ପୃକ୍ତ ଦୁବାଇ ଫେରନ୍ତା ବ୍ୟକ୍ତିଙ୍କ ସମେତ ତାଙ୍କ ପୁତୁରା ଏବଂ ଶିଶୁର ମା’ଙ୍କୁ ଶିଶୁଭବନ ଆମ୍ବୁଲାନ୍ସରେ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ପୁରୁଣା ମେଡିକାଲ ୱାର୍ଡରେ ଥିବା ଅନ୍ୟ ରୋଗୀଙ୍କୁ ବାହାରକୁ କଢ଼ାଯାଇ ୱାର୍ଡକୁ ସମ୍ପୂର୍ଣ୍ଣ ବିଶୋଧନ କରାଯାଇଛି।

ସେହିପରି ଭଦ୍ରକ ଚନ୍ଦନବଜାର ଅଞ୍ଚଳର ଆଉ ଜଣେ ଶିଶୁ ରୋଗୀଙ୍କ ପରିବାରକୁ ନେଇ ମଧ୍ୟ ଆଲୋଡ଼ନ ସୃଷ୍ଟି ହୋଇଛି। ସେ ଭଦ୍ରକରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ପଡ଼ୋଶୀ ବୋଲି ଜଣାପଡ଼ିଛି। ବାରମ୍ବାର ସେ ଘର ଠିକଣା ବଦଳାଉ ଥିବାରୁ ସନ୍ଦେହ ବଢ଼ି ଯାଇଛି। ତାଙ୍କ ୪ ବର୍ଷର ପୁଅକୁ ଥଣ୍ଡା, ଛିଙ୍କ ଓ ଛାତିରେ ଯନ୍ତ୍ରଣା ସହ ତାକୁ ଡାଇରିଆ ୱାର୍ଡ ଉପରେ ସ୍ବତନ୍ତ୍ର କରୋନା ୱାର୍ଡରେ ଭର୍ତ୍ତି କରାଯାଇଥିଲା। କରୋନା ଆକ୍ରାନ୍ତଙ୍କ ସେ ପଡ଼ୋଶୀ ବୋଲି ଶିଶୁଭବନ କର୍ତ୍ତୃପକ୍ଷଙ୍କୁ ଲୁଚାଇଥିଲେ। ୪ ବର୍ଷର ଶିଶୁ ରୋଗୀଙ୍କ ସମେତ ତାଙ୍କ ବାପା, ମା’ ଓ ସାନଭାଇକୁ ବି ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଦିଆଯାଇଛି। ସେମାନଙ୍କୁ ସ୍ଥାନାନ୍ତର କରାଯିବା ପରେ ଉକ୍ତ ୱାର୍ଡ ଏବଂ ଆଖପାଖ ଅଞ୍ଚଳକୁ ମଧ୍ୟ ବିଶୋଧନ କରାଯାଇଛି। ଭଦ୍ରକ ଜିଲ୍ଲାରୁ ଏହି ଦୁଇ ଶିଶୁ ରୋଗୀ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ନେଇ ଆଜି ଶିଶୁଭବନରେ ସୃଷ୍ଟି ହୋଇଥିବା ଏ ପ୍ରକାର ଘଟଣା ଆଗକୁ କି’ ପ୍ରକାର ବିପଦକୁ ବାଟ କଢ଼ାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe