କରୋନା ଖୋଲିବ କି ଆସିକା ସୂତାକଳ ଭାଗ୍ୟ? ଜଗିଛନ୍ତି ସୁରକ୍ଷାକର୍ମୀ, ପୁନରୁଦ୍ଧାର ଚିନ୍ତା ନାହିଁ

ପୁନଃ କାର୍ଯ୍ୟକ୍ଷମ ପାଇଁ ଉପଯୁକ୍ତ ସମୟ

କରୋନା ଖୋଲିବ କି ଆସିକା ସୂତାକଳ ଭାଗ୍ୟ? ଜଗିଛନ୍ତି ସୁରକ୍ଷାକର୍ମୀ, ପୁନରୁଦ୍ଧାର ଚିନ୍ତା ନାହିଁ

FashionNetwork.com

ଆସିକା(ଗିରିଶ ଚନ୍ଦ୍ର ତ୍ରିପାଠୀ): ଆସିକା ନିକଟସ୍ଥ କଲେଜଛକ ଠାରେ ଥିବା ସୂତାକଳ। ଗଞ୍ଜାମ ଜିଲ୍ଲାର ଗର୍ବ ଓ ଗୌରବ ବହନ କରୁଥିବା ଏହି ସୂତାକଳ ଆଜି ଭୂତକୋଠି ପାଲଟି ଯାଇଛି। ୧୯୮୩ ମସିହାରେ ନିର୍ମିତ ଏହି ସୂତାକଳ ବନ୍ଦ ହୋଇ ଇତିମଧ୍ୟରେ ୭ ବର୍ଷରୁ ଅଧିକ ସମୟ ବିତି ସାରିଲାଣି ସତ। କିନ୍ତୁ ଏହାର ପୁନରୁଦ୍ଧାର ଓ ପୁନଃକାର୍ଯ୍ୟକ୍ଷମ ଦିଗରେ ରାଜ୍ୟ ସରକାର କାହିଁକି ତତ୍ପରତା ଦେଖାଉନାହାନ୍ତି, ଏହାକୁ ନେଇ ବର୍ତ୍ତମାନ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ତ୍ତମାନ ପରିସ୍ଥିତିରେ ଲକ୍ଷାଧିକ ପ୍ରବାସୀ ଶ୍ରମିକ ରାଜ୍ୟ ବାହାରୁ ଭିଟାମାଟିକୁ ଫେରିଥିବା ବେଳେ ଏହି ସୂତାକଳ ବର୍ତ୍ତମାନ ଆଲୋଚନାର ପ୍ରସଙ୍ଗ ପାଲଟିଛି। ଗଣମାଧ୍ୟମଠୁ ଆରମ୍ଭ କରି ବୁଦ୍ଧିଜୀବୀଙ୍କ ସଭିଙ୍କ ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଖାଲି ଏତିକି ନୁହେଁ, କିଛି ପୁରୁଖା ରାଜନେତା ଓ ବୁଦ୍ଧିଜୀବୀମାନେ ଆସିକା ସୂତାକଳକୁ ପୁନଃକାର୍ଯ୍ୟକ୍ଷମ କରିବା ପାଇଁ ସରକାରଙ୍କ ପାଇଁ ଏହା ଉପଯୁକ୍ତ ସମୟ ବୋଲି ମତ ରଖିଛନ୍ତି। କାରଣ ସୂତାକଳ ବନ୍ଦ ହୋଇଯିବା ପରେ ୫୦୦ରୁ ଅଧିକ ପୁରୁଷ ଓ ମହିଳା ଶ୍ରମିକ ଜୀବିକା ହରାଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ପଳାଇଥିବା ବେଳ‌େ କେବଳ ୫ଜଣ ସୁରକ୍ଷାକର୍ମୀ ଏହାକୁ ଜଗି ରହିଛନ୍ତି। ଗଞ୍ଜାମ ଜିଲ୍ଲା ଯୁବକଯୁବତୀଙ୍କୁ ରୋଜଗାର ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ଅଧୀନ ଇଡକଲ୍ ସହଯୋଗିତାରେ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟରେ ଏହି ସୂତାକଳ ସ୍ଥାପନ ହୋଇଥିଲା। ୧୯୮୭ ମସିହାରେ ଏହା କାର୍ଯ୍ୟକ୍ଷମ ହେଲା। ଏଠାରୁ ପ୍ରସ୍ତୁତ କଟନ୍ ଓ ସିନ୍ଥେଟିକ୍ ସୂତାକୁ ଓଏସଏଚଡିସିଏଲ୍ ଭୁବନେଶ୍ବର, ଓଏସ୍‌ଏଚ୍‌ଡବ୍ଲୁସିଏସଏଲ୍ ଭୁବନେଶ୍ବର ଓ ଏନଏଚଡିସିଏଲ୍ ମୁମ୍ବାଇ, କୋଲକାତା, ହାଇଦ୍ରାବାଦ ଓ କାନପୁର ଭଳି ସହରକୁ ପଠାଯାଉଥିଲା। ଉନ୍ନତମାନର ଯନ୍ତ୍ରପାତି ସାଙ୍ଗକୁ ଗଞ୍ଜାମ ଜିଲ୍ଲା ଓ ବାହାରୁ ତୁଳା ଏବଂ ଅନ୍ୟ କଞ୍ଚାମାଲ୍ କିଣି ସୂତା ପ୍ରସ୍ତୁତ ହେଉଥିଲା। ଯାହାକି ସାରା ଦେଶରେ ସୁନାମ ଅର୍ଜନ କରିଥିଲା।

ହେଲେ ୨୦୦୦ ମସିହା ବେଳକୁ ଏହି ଶିଳ୍ପ ଉପରେ ଦୁର୍ଭାଗ୍ୟର କଳା ବାଦଲ ଘୋଟି ଆସିଲା। ଆଉ ଧୀରେ ଧୀରେ ସମୟଚକ୍ର‌ରେ ଏହା ବନ୍ଦ ହୋଇଗଲା। ନିଜସ୍ବ ଓ ଲିଜ୍ ଆକାରରେ ୬୬.୨୫ଏକର ଜାଗା ଉପରେ ନିର୍ମିତ ଏହି ସୂତାକଳକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୨୦୦୫ ମସିହା ଡିସେମ୍ବରରେ ନିଲାମ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହେଲା। ଆଉ ଶାଗମାଛଦରରେ କୋଲକାତାର 'ଜର୍ଜ ଡ୍ରିଷ୍ଟ୍ରିବ୍ୟୁଟର୍ସ ପ୍ରାଇଭେଟ୍ ଲିମିଟେଡ୍' ନାମକ ଏକ ସଂସ୍ଥାକୁ ସୂତାକଳକୁ ବିକ୍ରି କରିଦିଆ ଯାଇଥିଲା। ଉକ୍ତ ବେସକାରୀ ସଂସ୍ଥା ଏଠାରେ ପୁଣି ଉତ୍ପାଦନ କାମ ଆରମ୍ଭ କରିଥିଲେ। ୨୫୨୨୮ ସ୍ପିଣ୍ଡଲ୍‌ସ୍ କ୍ଷମତା ବିଶିଷ୍ଟ ଏହି ସୂତାକଳ ବେସରକାରୀ ସଂସ୍ଥା ହାତକୁ ଗଲା ସତ। କିନ୍ତୁ ଏହାର ଠିକ୍ ପରିଚାଳନା ହୋଇପାରିଲାନି। ଶ୍ରମିକଙ୍କ ମଜୁରି ବୃଦ୍ଧି ସମେତ ବିଭିନ୍ନ ସମସ୍ୟା କାରଣରୁ ୨୦୧୨ ମସିହାରେ ସୂତାକଳରେ ତାଲା ଠୁଙ୍କି ଦିଆଗଲା।

ଏହା ମଧ୍ୟରେ ୭ ବର୍ଷରୁ ଅଧିକ ସମୟ ବିତିସାରିଛି। ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବା ଲାଗି ସରକାରୀସ୍ତରରେ ବହୁବାର ଆଲୋଚନା ହେବା ସହ ଅନେକ ବୁଦ୍ଧିଜୀବୀ ଏଥିପାଇଁ ସ୍ବର ଉଠାଇଛନ୍ତି। ୨୦୧୩ ମସିହା ଅକ୍ଟୋବର ୧୨ ତାରିଖରୁ ଏହି ସୂତାକଳ ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି। ବିଧାନସଭା‌ରେ ତତ୍କାଳୀନ ବିଧାୟକ ଦେବରାଜ ମହାନ୍ତି ଏହାର କାର୍ଯ୍ୟକ୍ଷମ ହେବାକୁ ନେଇ ପ୍ରଶ୍ନ ଉଠାଇଥିଲେ। ୨୦୧୪ ମସିହା ନଭେମ୍ବର ୨୬ ତାରିଖରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜନପ୍ରତିନିଧି ଏବଂ ବିଭିନ୍ନ ବିଭାଗର ପଦାଧିକାରୀ, ଶ୍ରମ ଅଧିକାରୀ, ସୂତାକଳର ପଦାଧିକାରୀ ଓ ଶ୍ରମିକଙ୍କ ପ୍ରତିନିଧିଙ୍କୁ ନେଇ ଏକ ବୈଠକ ବସିଥିଲା। କିନ୍ତୁ ଏହାକୁ ଆରମ୍ଭ କରିବା ଲାଗି କୌଣସି ରାସ୍ତା ବାହାରି ନ ଥିଲା। ଫଳରେ କୋଟି କୋଟି ଟଙ୍କା ବ୍ୟୟ‌ରେ କିଣାଯାଇଥିବା ଯନ୍ତ୍ରପାତି ସବୁ ଖତ ଖାଉଛି। ଏହାସହ ହଜାର ହଜାର ବର୍ଗଫୁଟ କୋଠା ଏବେ ନଷ୍ଟ ହେବାକୁ ବସିଲାଣି। କୋଠା ପରିସରରେ ଲତାବୁଦା ମାଡ଼ିଯାଇଥିବା ବେଳ‌େ ରାସ୍ତାର ବି ସମାନ ଅବସ୍ଥା। ଭିତରେ ବାର୍‌ହା ରହୁଛନ୍ତି। ହେଲେ କ୍ଷୋଭର ବିଷୟ ହେଉଛି, ଏହାକୁ ବର୍ତ୍ତମାନ ପରିସ୍ଥିତିରେ ପୁନଃ କାର୍ଯ୍ୟକ୍ଷମ ପାଇଁ ପ୍ରକ୍ରିୟା ଆରମ୍ଭ କରି ପ୍ରବାସୀଙ୍କୁ ରୋଜଗାରକ୍ଷମ କରାଇବାରେ ସରକାର ଆନ୍ତରିକତା ଦେଖାଉନାହାନ୍ତି। କାରଣ ଏହା କାର୍ଯ୍ୟକ୍ଷମ ହେଲେ ତନ୍ତକଳା ଉପରେ ବହୁ ପ୍ରବାସୀଙ୍କ ଅଭିଜ୍ଞତା ଓ ଜ୍ଞାନର ସଦୁପଯୋଗ ହୋଇପାରିବ। ଅନ୍ୟ ଯୋଜନା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ବି ଏହାର ପୁନରୁଦ୍ଧାର ପାଇଁ ତିଳେ ମାତ୍ର ଚିନ୍ତା କରିନାହାନ୍ତି। କେବଳ ପର୍ଯ୍ୟାପ୍ତ କଞ୍ଚାମାଲ୍ ଯୋଗାଣ ଓ ରକ୍ଷଣାବେକ୍ଷଣ ହୋଇପାରିଲେ ଏହି ସୂତାକଳର ପୁଣି ସ୍ବାଭାବିକ ସ୍ଥିତି ଫେରିଆସିବ ଓ ଆଉ ଶତାଧିକ ପ୍ରବାସୀ ଏଥିରେ ନିୟୋଜିତ ହୋଇ ରୋଜଗାରକ୍ଷମ ହୋଇପାରିବେ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe