Times of India
ପୁରୀ : ପୁରୀରେ ପୁଣି ମାତିଛନ୍ତି ସାଇବର ଅପରାଧୀ। ଆକ୍ସିସ୍ ବ୍ୟାଙ୍କରୁ ଫୋନ୍ କରୁଥିବା ଦର୍ଶାଇ ଜଣେ ସାଇବର ଅପରାଧୀ ଜଣେ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟ୍ରୁ ୨ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଛି। ତେବେ ଏହି ଘଟଣା ଫେବ୍ରୁଆରି ମାସରେ ହୋଇଥିବା ବେଳେ ପୁଲିସ ଏପର୍ଯ୍ୟନ୍ତ ଏହାକୁ ନେଇ ମାମଲା ରୁଜୁ କରିନଥିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ମଙ୍ଗଳବାର ଏନେଇ ଅଭିଯୋଗକାରୀ ବ୍ରହ୍ମଗିରି ଥାନା ଅନ୍ତର୍ଗତ ବରଗୁଦି ଗ୍ରାମର ସତ୍ୟବାଦୀ ବେହେରା ଏସ୍ପିଙ୍କ ଦ୍ବାରସ୍ଥ ହେବାରୁ ବାଧ୍ୟ ହୋଇ ସାଇବର ଥାନାରେ ୩/୨୨ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି।
ଖବର ନେବାରେ ଗତ ଫେବ୍ରୁଆରି ମାସ ୨୮ ତାରିଖ ଅପରାହ୍ନ ୩ଟା ସମୟରେ ସତ୍ୟବାଦୀଙ୍କ ପାଖକୁ ଏକ ଫୋନ୍ ଆସିଥିଲା। ଏହି ଟ୍ରୁ-କଲରରେ ଏହି ଫୋନ୍ଟି ଆକ୍ସିସ୍ ବ୍ୟାଙ୍କର ବୋଲି ଦର୍ଶାଉଥିଲା। ଫୋନ୍ରେ ତାଙ୍କୁ ବ୍ୟାଙ୍କ ପକ୍ଷରୁ ପୁରସ୍କାର ୧୦ ହଜାର ଟଙ୍କା ଆସିଛି ବୋଲି କୁହାଯାଇଥିଲା। ଏଥିପାଇଁ ସେ ଆମାଜନ୍ କିମ୍ବା ଫ୍ଲିପ୍କାର୍ଡରୁ କିଛି କିଣିଲେ ରିହାତି ମିଳିବ ବୋଲି ସାଇବର ଅପରାଧୀ ଜଣକ କହିଥିଲା। ଏହାପରେ ତାଙ୍କୁ ଏହାର ସୁବିଧା ଉଠାଇବା ପାଇଁ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଆପ୍ ମାଧ୍ୟମରେ କ୍ରେଡିଟ୍ କାର୍ଡର ରିୱାର୍ଡ ପଏଣ୍ଟକୁ ଯାଇ ଫର୍ମ ପୂରଣ କରିବାକୁ ପଡ଼ିଥିଲା। ଏହାପରେ ସତ୍ୟବାଦୀ ତାଙ୍କୁ ଚାରିଟିକିଆ ପିନ୍ ନମ୍ବର ଦେବା ପରେ ତାଙ୍କ ଆକାଉଣ୍ଟରୁ ପ୍ରଥମେ ଅଢ଼େଇ ଲକ୍ଷ ଟଙ୍କା ଚାଲିଯାଇଥିଲା। ଏହାପରେ ପୁଣି ସାତ ଦଫାରେ ଆଉ ଦଶ ହଜାର ଟଙ୍କା ଚାଲିଯାଇଥିଲା। ସେ ସାଇବର କ୍ରାଇମ୍ର ଶିକାର ହେବା ଜାଣିବାପରେ ଆକ୍ସିସ୍ ବ୍ୟାଙ୍କକୁ ଯାଇ ତାଙ୍କ ଆକାଉଣ୍ଟ ନମ୍ବରଟିକୁ ବ୍ଲକ୍ କରିଥିଲେ। ଏହାପରେ ଏନେଇ ସେ ସାଇବର ଥାନାକୁ ଯାଇ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏନେଇ କୌଣସି ମାମଲା ରୁଜୁ କରାଯାଇନଥିଲା। ଏଥିପାଇଁ ସେ ଆକ୍ସିସ ବ୍ୟାଙ୍କ, ସାଇବର ଥାନା ଏବଂ କଟକ ସାଇବର ଥାନାର ମୁଖ୍ୟାଳୟକୁ ବାରମ୍ବାର ଯିବା ପରେ ଶେଷରେ ଆଜି ଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିଲେ।
Follow Us