Image Courtesy of Ottawa Citizen
ଚଣ୍ଡିଖୋଲ : ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଗୋପାଳପୁର କ୍ଷେତ୍ର ଚିକିତ୍ସାଳୟର ଷ୍ଟାଫନର୍ସ ତଥା ବାଲିଚନ୍ଦ୍ରପୁର ଗ୍ରାମର ବନ୍ଦିତା ସେନାପତି ସାଇବର ଠକେଇର ଶିକାର ହୋଇଛନ୍ତି। ତାଙ୍କ ସ୍ଥାୟୀ ଜମାଖାତା (ଫିକ୍ସ ଡିପୋଜିଟ)ରେ ଥିବା ମୋଟ ୪ ଲକ୍ଷ ଟଙ୍କାରୁ ତାଙ୍କ ଅଜାଣତରେ ଋଣ ଆକାରରେ କେହି ୩ ଲକ୍ଷ ୬୦ ହଜାର ଟଙ୍କା ଉଠାଇ ନେଇଛି। ବାଲିଚନ୍ଦ୍ରପୁରସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା କାର୍ଯ୍ୟାଳୟରେ ବନ୍ଦିତା ଗତ ୨୦୨୨ ଜାନୁଆରି ୬ ତାରିଖରେ ସ୍ଥାୟୀଜମା ଭାବେ ୪ ଲକ୍ଷ ଟଙ୍କା ରଖିଥିଲେ। ସେହି ସ୍ଥାୟୀ ଜମାଖାତାକୁ ରିନୁ କରିବା ପାଇଁ ସେ ଗତ ଫେବ୍ରୁଆରି ମାସରେ ବ୍ୟାଙ୍କକୁ ଯାଇଥିବା ବେଳେ ତାଙ୍କ ଟଙ୍କା ଋଣ ଆକାରରେ ଗାଏବ ହୋଇଥିବା ଜାଣିବାକୁ ପାଇଥିଲେ।
ଏନେଇ ସେ ବ୍ୟାଙ୍କ ମୁଖ୍ୟ ପରିଚାଳକଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ବାଲିଚନ୍ଦ୍ରପୁର ଥାନା ଓ କଟକସ୍ଥିତ ସାଇବର ଥାନାରେ ଅଭିଯୋଗ କରିଥିଲେ। ତେବେ ଏସମ୍ପର୍କରେ କୌଣସି ତଦନ୍ତ ଆରମ୍ଭ ହୋଇନାହିଁ। ବନ୍ଦିତା କାହାକୁ ତାଙ୍କ ଆକାଉଣ୍ଟର କୌଣସି ଲିଙ୍କ ଦେଇନାହାନ୍ତି ବୋଲି କହୁଥିବା ବେଳେ ତାଙ୍କ ସ୍ଥାୟୀ ଜମାଖାତାରୁ ଋଣ ଆକାରରେ ଏତେ ଟଙ୍କା କିଏ କେମିତି ଉଠାଇ ନେଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାର ବିଧିବଦ୍ଧ ତଦନ୍ତ କରାଯିବାକୁ ଦାବି ହେଉଛି। ତେବେ ‘ଆମେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟିକୁ ଏହା ଆଣିଛୁ’ ବୋଲି ଶାଖା ପରିଚାଳକ ଚନ୍ଦନ କୁମାର ମହଲା କହିଛନ୍ତି।
Follow Us