ମହଙ୍ଗା ପଡ଼ିଲା ନାବାଳକ ପୁଅର ଇନ୍‌ଷ୍ଟାଗ୍ରାମ୍‌ ନିଶା: ବାପା-ମା’ଙ୍କ ଆକାଉଣ୍ଟ୍‌ରୁ ଅଢ଼େଇ ଲକ୍ଷ ଗାଏବ

ଦୁବାଇରୁ ଉପହାର ଦେବା ଲୋଭ ଦେଖାଇ ଲୁଟିନେଲା ସାଇବର୍‌ ଠକ

ମହଙ୍ଗା ପଡ଼ିଲା ନାବାଳକ ପୁଅର ଇନ୍‌ଷ୍ଟାଗ୍ରାମ୍‌ ନିଶା: ବାପା-ମା’ଙ୍କ ଆକାଉଣ୍ଟ୍‌ରୁ ଅଢ଼େଇ ଲକ୍ଷ ଗାଏବ

ଅନୁଗୁଳ : ଦଶମ ଶ୍ରେଣୀ‌‌‌‌ରେ ପଢ଼ୁଥିବା ପୁଅର ଇନ୍‌ଷ୍ଟାଗ୍ରାମ୍‌ ନିଶା ବାପା-ମା’ଙ୍କୁ ମହଙ୍ଗା ପଡ଼ିଛି। ଇନ୍‌ଷ୍ଟାଗ୍ରାମ୍‌ ଜରିଆରେ ୧୫ ବର୍ଷର ପୁଅକୁ ଫସାଇ ବାପା ଓ ମା’ଙ୍କ ଆକାଉଣ୍ଟ୍‌ରୁ ୨୨ଥରରେ ମୋଟ୍ ୨ଲକ୍ଷ ୫୭ହଜାର ଟଙ୍କା ନେଇଯାଇଛି ସାଇବର୍‌ ଠକ। ଏନେଇ ନାବାଳକଙ୍କ ବାପା, ମା’ ଥାନାରେ ଏତଲା ଦେଲା ପରେ ଘଟଣା ପଦାକୁ ଆସିଛି।

ଏତଲା ମୁତାବକ, ଠକେଇର ଶିକାର ହୋଇଥିବା ଏହି ଦମ୍ପତିଙ୍କ ଘର ଗୋପାଳପ୍ରସାଦ ଥାନା ତିଳେଇପଶି ଗାଁରେ।ତାଙ୍କ ପୁଅ ଅନୁଗୁଳ ସହର ଉପକଣ୍ଠ ଏକ ଶିଶୁ ମନ୍ଦିରରେ ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି। ଆଖିଧରିବାରୁ ଗତ ୧୮ ତାରିଖ ଦିନ ପୁଅ ଘରକୁ ପଳାଇ ଆସିଥିଲା। ସୋସିଆଲ୍ ମିଡିଆ​ରେ ଅଭ୍ୟସ୍ତ ପୁଅ ବାପାଙ୍କ ମୋବାଇଲ୍‌ରେ ଇନ୍‌ଷ୍ଟାଗ୍ରାମ୍‌ ଚଳାଇଥିଲା। ସେଥିରୁ ସୁନ୍ଦର ସୁନ୍ଦର ରିଲ୍‌ ସବୁ ଦେଖିଲା ବେଳେ ଗୋଟିଏ ଭିଡିଓରୁ ହିଁ ସେ ଫସିଥିଲା। ସେଥିରେ ଦୁବାଇରୁ ସୁନ୍ଦର ଉପହାର ପାର୍ସଲ କରାଯିବ ବୋଲି କୁହାଯାଇଥିଲା। ଏହି ଭିଡିଓ ବାର୍ତ୍ତାରେ ଫସି ନାବାଳକ ଭିଡିଓରେ ଦିଆଯାଇଥିବା ହ୍ବାଟ୍‌ସ-ଅପ୍‌ ନମ୍ବରରେ କଲ୍‌ କରିଥିଲା। ଏ ପାଖରୁ ଗୋଟିଏ କଲ୍‌ ଯିବା କ୍ଷଣି ସେପାଖରୁ ଦୁଇ ଦୁଇଟା ଅଜଣା ନମ୍ବରରୁ କଲ୍ ଆସିଥିଲା। ଆପଣଙ୍କର ଉପହାର ପାର୍ସଲ ହୋଇଯାଇଛି, ଏହାର ଚାର୍ଜ ବାବଦକୁ ଦୁଇ ହଜାର ଟଙ୍କା ଦେବାକୁ ସାଇବର ଠକ ନାବାଳକକୁ କହିଥିଲା।

କେବଳ ଇନ୍‌ଷ୍ଟାଗ୍ରାମ୍‌ ନୁହେଁ, ନାବାଳକଜଣକ ଫୋନ୍‌-ପେ’ର ବି ବ୍ୟବହାର ଜାଣିଥିଲା। ତେଣୁ ତାଙ୍କ ନିଜ ମା’ଙ୍କ ଆକାଉଣ୍ଟକୁ ସାଇବର ଠକକୁ ଦୁଇ ହଜାର ଟଙ୍କା ପଠାଇ ଦେଇଥିଲେ। ତା’ ପରେ ଠକ ପାର୍ସଲ୍‌ ରେଜିଷ୍ଟ୍ରେସନ୍‌ ଫି’ ବାବଦକୁ ୫ ହଜାର ଟଙ୍କା ପୁଣି ମାଗିଥିଲା। ନାବାଳକ ତାହା ବି ପଠାଇଥିଲା। ଦୁବାଇ ଗେଟ୍ ପାସ୍‌ ଚେକିଂ ପାଇଁ ୨୫ ହଜାର, ପୁଲିସ ଚେକିଂ ପାଇଁ ୧୫ ହଜାର, ଇଣ୍ଡିଆ ଗେଟ୍‌ ଚେକିଂ ପାଇଁ ୧୫ ହଜାର, ବ୍ୟାଙ୍କ୍‌ କରେନ୍‌ସି ଏକ୍ସଚେଞ୍ଜ୍‌ ପାଇଁ ୮୦ ହଜାର ଆଦି ବିଭିନ୍ନ କାମ ପାଇଁ ଠକ ଟଙ୍କା ମାଗି ଚାଲିଥିଲା। ଦୁବାଇରୁ ଉପହାର ଆସିବା ଲୋଭରେ ନାବାଳକ ଥରକ ପରେ ଥରେ ଟଙ୍କା ଦେଇ ଚାଲିଥିଲା। ମା’ ଆକାଉଣ୍ଟ୍‌ରୁ ଟଙ୍କା ସରିଗଲା ପରେ ବାପାଙ୍କ ଆକାଉଣ୍ଟ୍‌କୁ ବି ବ୍ୟବହାର କରିଥିଲା। ଗତ ୨୪ ତାରିଖ ଦିନ ନାବାଳକଙ୍କ ବାପା ଏ ସଂପର୍କରେ ଜାଣିବା ପରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe