ସାଇବର ଠକେଇ : ଭୋଗରାଇରେ ହିମାଚଳ ପ୍ରଦେଶ ପୁଲିସ

Advertisment
ସାଇବର ଠକେଇ : ଭୋଗରାଇରେ ହିମାଚଳ ପ୍ରଦେଶ ପୁଲିସ

ଦେଉଳା: ସାଇବର ଠକେଇ ଅନେକଙ୍କ ପାଇଁ ମୁଣ୍ଡବନ୍ଧାର କାରଣ ପାଲଟିଥିବା ବେଳେ ଅନ୍ୟର ମୋବାଇଲ ନମ୍ବର ହ୍ୟାକ୍ କରି ଲୋକଙ୍କ ବ୍ୟାଙ୍କ ଜମାଖାତାରୁ ଟଙ୍କା ଲୁଟ ହେଉଥିବା ଦେଖିବାକୁ ମିଳୁଛି। ଏଭଳି ଏକ ସଂଗିନ ଅଭିଯୋଗର ତଦନ୍ତ ପାଇଁ ସୋମବାର ବାଲେଶ୍ବର ଜିଲ୍ଲା ଭୋଗରାଇରେ ହିମାଚଳ ପ୍ରଦେଶ ପୁଲିସ ପହଞ୍ଚିଥିଲା। ଯେଉଁ ମହିଳାଙ୍କ ନାଁରେ ଅଭିଯୋଗ ଥିଲା ତାଙ୍କୁ ଠାବ କରି ଚନ୍ଦନେଶ୍ବର ଫାଣ୍ଡିକୁ ଅଣାଯାଇଥିଲା। ହେଲେ ଫଟୋ ମେଳ ନଖାଇବାରୁ ତାଙ୍କୁ ଛାଡ଼ି ଦିଆଯାଇଛି।

ସୂଚନା ଅନୁଯାୟୀ, ଭୋଗରାଇ ବ୍ଲକ ଜଳସୋହରିଆ ପଞ୍ଚାୟତ ଅଧୀନ ମନ୍ଦାରୀ ଗାଁର ହରିପଦ ସାହୁଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ସାଇବର ଠକେଇ କରିଥିବା ଅଭିଯୋଗ ହୋଇଥିଲା। ୭୮୭୩୫୭୨୨୬୭ ଟେଲିଫୋନ ନମ୍ବର ଜରିଆରେ ଏହି ଠକେଇ ହୋଇଥିଲା। ହିମାଚଳ ପ୍ରଦେଶ ସିମଲା ଅଞ୍ଚଳର ଶଶି ଭାଇଲାକଙ୍କ ଜମାଖାତାରୁ ୭୦ ହଜାର ଟଙ୍କା ଠକେଇ ହୋଇଥିବା ୨୦୨୧ ଜୁନ ୫ ତାରିଖରେ କୁମାରସେନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ ମୂଳେ କୁମାରସେନ ଥାନାରେ ନଂ.୫୩/ ୨୧ରେ ଏକ ମାମଲା ରୁଜୁ କରିଥିଲା ପୁଲିସ।

ଏହାର ତଦନ୍ତ ପାଇଁ ହିମାଚଳ ପ୍ରଦେଶରୁ ଏସଆଇ ମନମୋହନ କାଲିଆ, କନଷ୍ଟେବଳ ବିକାଶ ତୋଡ଼ଙ୍କ ସମେତ ୩ଜଣିଆ ଏକ ସ୍ବତନ୍ତ୍ର ପୁଲିସ ଟିମ୍ ଆଜି ଚନ୍ଦନେଶ୍ବର ଫାଣ୍ଡିରେ ପହଞ୍ଚିଥିଲେ। ଫାଣ୍ଡି ଅଧିକାରୀ ବିଶ୍ବନାଥ କରଙ୍କ ସହଯୋଗରେ ପୁଲିସ ଦଳ ମନ୍ଦାରୀ ଗାଁକୁ ଯାଇ ଲକ୍ଷ୍ମୀପ୍ରିୟାଙ୍କୁ ଭେଟିଥିଲେ। ଲକ୍ଷ୍ମୀପ୍ରିୟାଙ୍କ ସ୍ବାମୀ ଗତ ୧୦ ବର୍ଷ ହେଲା ମାନସିକ ରୋଗଗ୍ରସ୍ତ ହୋଇ ଘରେ ରହୁଛନ୍ତି। ପରିବାର ଅତ୍ୟନ୍ତ ଗରିବ ହୋଇଥିବା ବେଳେ ପୁଲିସ ଆଣିଥିବା ଫଟୋ ଲକ୍ଷ୍ମୀପ୍ରିୟାଙ୍କ ସହ ମେଳ ଖାଇନଥିଲା। ଫଳରେ ତାଙ୍କୁ ଛାଡ଼ିଦେବା ସହିତ ହିମାଚଳ ପ୍ରଦେଶ ପୁଲିସ ଫେରିଯିବାକୁ ବାଧ୍ୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe