Image Courtesy of India Today
ସମ୍ବଲପୁର: ସମ୍ବଲପୁର ସହରରେ ଆଉ ଜଣେ ସାଇବର୍ ଠକେଇର ଶିକାର ହୋଇଛନ୍ତି। ରବିବାର ସନ୍ଧ୍ୟାରେ ସାଇବର୍ ଠକ ତାଙ୍କ ଆକାଉଣ୍ଟରୁ ୪୨ ହଜାର ଟଙ୍କା ନେଇ ଯାଇଥିବା ଧନୁପାଲି ଥାନାରେ ଲିଖିତ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଶ୍ରମିକ ନେତା ରତିକାନ୍ତ ମହାନ୍ତିଙ୍କ ପାଖକୁ ଅପରାହ୍ଣରେ ଏକ ଅଜଣା ନମ୍ବରରୁ କଲ୍ ଆସିଲା। ୱାର୍ଡର ପରିମଳ କାମ ପାଇଁ ଆପଣଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ପଠାଯିବ ବୋଲି ସାଇବର୍ ଠକ ଜଣକ କହିଥିଲା। ଆଉ ତାଙ୍କୁ ଫୋନ୍ ପେ’ ନମ୍ବର ମାଗିଥିଲା। କିନ୍ତୁ ତାଙ୍କର ଫୋନ୍ ପେ’ ନମ୍ବର ନଥିବାରୁ ସିଏ ନିଜ ଝିଅର ନମ୍ବର ଦେଇଥିଲେ। ଝିଅକୁ ମଧ୍ୟ ସେ ଏ ବିଷୟରେ କହିଦେଲେ। ଏହାପରେ ସାଇବର୍ ଠକ ଜଣକ ତାଙ୍କ ଝିଅ ସୌମ୍ୟାଙ୍କୁ କଲ୍ କରି ଭଲରେ କଥା ହେବା ସହ ଫୋନ୍ ପେ’ରେ ବେନିଫିସିଆରି ୟୁପିଆଇ ଆଇଡି ଆଡ୍ କରିବାକୁ କହିଥିଲା।
ଠକ କହିବା ଅନୁଯାୟୀ ସୌମ୍ୟା ଠକ ଦେଇଥିବା ନମ୍ବରକୁ ବେନିଫିସିଆରି ଆଡ୍ କରିଥିଲେ। ତାପରେ ଠକ ଜଣକ ଆମାଉଣ୍ଟ ପକାଇ ୟୁପିଆଇ ପିନ୍ ଦେବାକୁ କହିଥିଲା। ଏଭଳି ଭାବେ ୪ ଥର ଯୁବତୀ ଜଣକ ଠକ କଥାରେ ପଡ଼ି ପିନ୍ ଦେଇଥିଲେ। ତାଙ୍କ ଆକାଉଣ୍ଟରୁ ୪ ଥରରେ ମୋଟ ୪୨,୦୭୨ ଟଙ୍କା କଟି ତାହା ଶୂନ୍ୟ ହୋଇ ଯାଇଥିଲା। ଏହାପରେ ସେହି ନମ୍ବରକୁ ଆଉ କଲ୍ ବ୍ୟାକ୍ ହୋଇ ନଥିଲା। ଠକେଇର ଶିକାର ହୋଇଥିବା ଜାଣିବା ପରେ ସୌମ୍ୟା ରବିବାର ସନ୍ଧ୍ୟାରେ ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
Follow Us