ସମ୍ବଲପୁର: ସେକେଣ୍ଡ ହ୍ୟାଣ୍ଡ ସାମଗ୍ରୀ କିଣି ତାକୁ ବିକ୍ରି କରିବା ପାଇଁ ଫେସ୍ବୁକ୍ରେ ଆଡ୍ ଦେଖିଲେ। ତାପରେ ନିଜ ଆଡ଼ୁ ସାଇବର୍ ଠକକୁ ଯୋଗାଯୋଗ କଲେ ଆଉ ଦେଢ଼ଲକ୍ଷ ଟଙ୍କା ଠକେଇର ଶିକାର ହୋଇଗଲେ। ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ ରହୁଥିବା ଜଣେ ସରକାରୀ ବାବୁ ଏହି ଠକେଇର ଶିକାର ହୋଇଛନ୍ତି।
ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସରକାରୀ ବାବୁ ଫେସ୍ବୁକ୍ରେ ସେକେଣ୍ଡ ହ୍ୟାଣ୍ଡ ଜିନିଷ କିଣି, ତାକୁ ପୁଣିଥରେ ବିକ୍ରି କରି ଲାଭବାନ ହେବାର ଏକ ବିଜ୍ଞାପନ ଦେଖିଥିଲେ। ଏହା ଦେଖିବା ପରେ ଭଲ ଲାଭ ହେବ ବୋଲି ଭାବି ଉକ୍ତ ସାମଗ୍ରୀ କିଣିବା ପାଇଁ ବିଜ୍ଞାପନରେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କଲେ। ସାଇବର୍ ଠକ ଜଣକ ତାଙ୍କୁ ପ୍ରଲୋଭନ ଦେଖାଇବା ସହ ଏହା ଏକ ଭଲ ବ୍ୟବସାୟ ବୋଲି ମତାଇଥିଲା। ଏହାପରେ ସରକାରୀ ବାବୁ ଜଣକ ଜିନିଷ କିଣିବାକୁ ରାଜି ହେବା ସହ ଅଗ୍ରୀମ ୧ ଲକ୍ଷ ୪୮ ହଜାର ଟଙ୍କା ପଠାଇ ଦେଇଥିଲେ। କିନ୍ତୁ ଠକ ଜଣକ ଆଉ ଜିନିଷ ପଠାଇ ନଥିଲା। ଏହାପରେ ସାଇବର୍ ଠକ ତାଙ୍କ କଲ୍ ମଧ୍ୟ ଉଠାଇ ନଥିଲା। ଠକେଇର ସିକାର ହୋଇଥିବା ଜାଣିବା ପରେ ରବିବାର ସେ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Follow Us