ସାଇବର୍‌ ଅପରାଧ: ଚାକିରି ଦେବା ନାଁରେ ଠକିନେଲେ ୧.୨୨ ଲକ୍ଷ ଟଙ୍କା

Advertisment
ସାଇବର ଠକେଇରେ ପଡିଲେ ପୁଲିସ ବାବୁ

Image Courtesy of India Today

ପୁରୀ: ଚାକିରି କରାଇଦେବାକୁ କହି ଜଣେ ସାଇବର ଅପରାଧୀ ଚାକିରୀ ଆଶାୟୀ ଜଣେ ଯୁବତୀଙ୍କଠାରୁ ପ୍ରାୟ ଏକ ଲକ୍ଷ ୨୨ ହଜାର ଟଙ୍କା ଠକି ନେଇଛି।ଏନେଇ ସଦର ଥାନାରେ ଅଭିଯୋଗ ହେବାରୁ ପୁଲିସ ୨୨୦/୨୨ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସଦର ଥାନା ଅନ୍ତର୍ଗତ ଅଠରନଳା ନିକଟ ନୀଳଚକ୍ର ନଗର ସାବିତ୍ରୀ ବିହାରର ସିମ୍‌ରନ୍‌ ମହାପାତ୍ର ଏହି ଠକେଇର ଶିକାର ହୋଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସେ ଚାକିରି କରିବାକୁ ବିଭିନ୍ନ ସ୍ଥାନରେ ଆବେଦନ କରୁଥିବା ବେଳେ ତାଙ୍କ ମୋବାଇଲକୁ ମେସେଜ୍‌ ଆସିଥିଲା କି ଫ୍ଲିପ୍‌କାର୍ଡ ଇ-କମର୍ସ ୱେବ୍‌ସାଇଟ୍‌ରେ ଆବେଦନ କଲେ ଚାକିରି ମିଳିବ। ତେଣୁ ସେ ଏହି ୱେବ୍‌ସାଇଟ୍‌କୁ ଯାଇ ସେଠାରେ ଯାଞ୍ଚ କରିବାରେ ଏଥିରେ କିଛି ଟଙ୍କା ଡିପୋଜିଟ୍‌ କରିବାକୁ ନିର୍ଦ୍ଦେଶ ରହିଥିଲା। ତେଣୁ ଏହି ଡିପୋଜିଟ୍‌ ଦେଲେ ଚାକିରି ତ ମିଳିବ, ତା ସହିତ ପୁରସ୍କାର ରାଶି ମଧ୍ୟ ମିଳିବ ବୋଲି ନିର୍ଦ୍ଦେଶ ରହିଥିଲା। ତେଣୁ ସିମ୍‌ରନ୍‌ ଏଥିରେ ୨୦ ହଜାର ଟଙ୍କା ପ୍ରଥମେ ଡିପୋଜିଟ୍‌ କରିଥିଲେ। ମାତ୍ର ଏହାପରେ ଅପର ପକ୍ଷରୁ ବିଭିନ୍ନ ବାହାନା ଦେଖାଇ ପୁନଃ ଡିପୋଜିଟ୍‌ କରିବାକୁ ମଧ୍ୟ ପରାମର୍ଶ ଆସିଥିଲା।

ଏହିଭଳି ଭାବେ ସିମ୍‌ରନ୍‌ ପ୍ରାୟ ୪/୫ ଥରରେ ଏକ ଲକ୍ଷ ୨୨ ହଜାର ଟଙ୍କା ଡିପୋଜିଟ୍‌ କରିଥିଲେ। ମାତ୍ର ଚାକିରି ତ ମିଳିଲାନାହିଁ, କିନ୍ତୁ ତାଙ୍କର ଲକ୍ଷାଧିକ ଟଙ୍କା ଚାଲିଯାଇଥିଲା। ‌ଶେଷରେ ସେ ହତାଶ ହୋଇ ଫୋନ୍‌ କରିଥିଲେ ମଧ୍ୟ କୌଣସି ଉତ୍ତର ଆସିନଥିଲା। ଶେଷରେ ସେ ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ସଦର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ ଏହିଭଳି ସାଇବର ଠକମାନେ ପୁରୀରେ ମାତିଥିବା ବେଳେ ବିଶେଷ କରି ଯୁବଗୋଷ୍ଠୀମାନେ ଏହି ଠକାମୀର ଶିକାର ହେଉଛନ୍ତି। ଗତ ଦୁଇ ବର୍ଷ ପୂର୍ବେ ମରିଚିକୋଟ୍‌ ଛକ ଦାଣ୍ଡିମାଳସାହିର ଜଣେ ଯୁବତୀ ଏହିଭଳି ସାଇବର ଠକେଇର ଶିକାର ହୋଇଥିଲେ। ସେ ତାଙ୍କ ବାପାଙ୍କ ଆକାଉଣ୍ଟରୁ ପ୍ରାୟ ୩୦ ହଜାର ଟଙ୍କା ହରାଇଥିଲେ। ଏନେଇ ସେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଏହିପରି ଠକେଇ ବାରମ୍ବାର ପୁରୀରେ ହେଉଥିଲେ ମଧ୍ୟ ପୁଲିସ ଅଭିଯୁକ୍ତ ପାଖରେ ପହଞ୍ଚି ପାରୁନାହିଁ। ବାରମ୍ବାର ସାଇବର ଅପାଧେ ଘଟିବାରୁ ପୁରୀରେ ଏକ ସାଇବର ଥାନା ମଧ୍ୟ ଖୋଲାଯାଇଥିଲା। ଏହି ଥାନାର ଅଧିକାରୀ ବହୁଦିନ ଧରି ଛୁଟିରେ ରହିବାରୁ ଥାନାଟି ଏକପ୍ରକାର ଅଚଳ ଅବସ୍ଥାରେ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe