Image Courtesy of Zee News
ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଇବ୍ଭ୍ୟାଲି ଜିଏମ କମ୍ପ୍ଲେକ୍ସରେ ରହୁଥିବା ମୌଲାନନ୍ଦ ଝା ନାମକ ଜଣେ ବ୍ୟକ୍ତି ଅନ୍ଲାଇନ୍ରେ ଫ୍ଲାଇଟ୍ ଟିକେଟ କ୍ୟାନ୍ସଲ୍ କରିବା ବେଳେ ସାଇବର୍ ଠକଙ୍କ ହାବୁଡ଼ରେ ପଡ଼ିଥିଲେ। ଠକମାନେ ତାଙ୍କଠାରୁ ୧ ଲକ୍ଷ ୯୯ ହଜାର ଟଙ୍କା ଠକି ନେଇଥିବା ସେ ଶନିବାର ବ୍ରଜରାଜନଗର ଥାନାରେ ଅଭିଯୋଗ କରିଛନ୍ତି। ଘଟଣାଟି ଗତ ୧ ତାରିଖରେ ଘଟିଛି। ଅନ୍ୟପକ୍ଷରେ ସୌଭାଗ୍ୟକ୍ରମେ ଠକମାନେ ସେହିଦିନ ଦ୍ୱିତୀୟ ଥର ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଲୁଟି ନେଇଥିବା ୨ ଲକ୍ଷ ଟଙ୍କା କୌଣସି ପ୍ରକାରେ ପରଦିନ ତାଙ୍କ ଆକାଉଣ୍ଟକୁ ଫେରି ଆସିଥିଲା। ନଚେତ ୪ ଲକ୍ଷ ଟଙ୍କା ଲୁଟ୍ର ଶିକାର ହୋଇଥାନ୍ତେ ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ ଶ୍ରୀ ଝା ଗତ ୨୭ ତାରିଖ ଦିନ ଝାରସୁଗୁଡ଼ାରୁ ଭୁବନେଶ୍ୱର ଯିବାକୁ ଯାତ୍ରା ଡଟ୍ କମ୍ ସାଇଡ୍ରୁ ଏକ ବିମାନରେ ଟିକେଟ୍ କରିଥିଲେ। ମାତ୍ର ତାଙ୍କର ଭୁବନେଶ୍ବର ଯିବା କୌଣସି କାରଣରୁ ବାତିଲ ହୋଇଥିଲା। ସେ ଟିକେଟ୍ ବାତିଲ କରି ଟଙ୍କା ଫେରସ୍ତ ପାଇଁ କଷ୍ଟମର୍ କେୟାରକୁ୍ ଫୋନ୍ କରିଥିଲେ। ଏ ନେଇ ସେ ଏକ ୱେବ୍ ସାଇଟ୍କୁ ଯାଇ କ୍ୟାନସଲ୍ କରିବାକୁ କହିଥିଲେ। ଏଥିପାଇଁ ତାଙ୍କୁ ଏକ ଆପ୍ ଡାଉନ୍ଲୋଡ୍ କରିବାକୁ ନିର୍ଦେଶ ଆସିଥିଲା। ସେ ଆପ୍ ଡାଉନ୍ଲୋଡ୍ କରିବା ପରେ ସେଠାରୁ ଆସୁଥିବା ନିର୍ଦେଶ ଅନୁସାରେ ପଦକ୍ଷେପ ନେବାରୁ ତାଙ୍କ ଆକାଉଣ୍ଟ୍ରୁ ଲକ୍ଷାଧିକ ଟଙ୍କା କାଟି ଯାଇଥିବା ଜାଣିବାକୁ ପାଇଥିଲେ।
Follow Us