Image Courtesy of Ottawa Citizen
ଝାରସୁଗୁଡ଼ା : ପୁରୀର ଏକ ଯାତ୍ରୀ ନିବାସ ବୁକିଂ ନାଁରେ ଝାରସୁଗୁଡ଼ାର ଆଇନଜୀବୀ ବିକାଶ ପଣ୍ଡାଙ୍କଠାରୁ ସାଇବର ଲୁଟେରା ୨୫୨୦ ଟଙ୍କା ଠକି ନେଇଥିବା ବେଳେ ଉପସ୍ଥିତ ବୁଦ୍ଧି ଯୋଗୁ ତାଙ୍କ ଆକାଉଣ୍ଟରେ ଥିବା ଅବଶିଷ୍ଟ ଟଙ୍କା କଟିବାରୁ ବର୍ତ୍ତି ଯାଇଥିଲା। ଏ ସଂକ୍ରାନ୍ତରେ ସେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁସାରେ, ଆଇନଜୀବୀ ଶ୍ରୀ ପଣ୍ଡା ଗୁରୁବାର ପୁରୀର ଏକ ଯାତ୍ରୀ ନିବାସରେ ରୁମ୍ ବୁକିଂ କରୁଥିଲେ। ଗୁଗଲରୁ ଉକ୍ତ ଯାତ୍ରୀନିବାସର ଅଫିସିଆଲ୍ ୱେବସାଇଟ୍କୁ ଯାଇ ନମ୍ବର ଆଣି ଶ୍ରୀ ପଣ୍ଡା ଫୋନ୍ କରିଥିଲେ। ଏହାପରେ ତାଙ୍କୁ ରୁମ୍ ବୁକିଂ ବାବଦକୁ ୨୫୨୦ ଟଙ୍କା ଅଗ୍ରିମ ଜମା କରିବାକୁ କୁହାଯାଇଥିଲା। ସେ ଏହି ଅର୍ଥ ପୈଠ କରିଥିଲେ। ପରେ ପୁଣି ଜଣେ ବ୍ୟକ୍ତି ମ୍ୟାନେଜର ବୋଲି ପରିଚୟ ଦେଇ ଫୋନ୍ କରିଥିଲା। ସେ ପଞ୍ଜୀକରଣ ପାଇଁ ଏକ ଆଇଡି ଦେଇ ଏକ ଗୁଗଲ ପେ’ର ଟ୍ରାଞ୍ଜାକ୍ସନ କରିବାକୁ କହିଥିଲା। ଏହି ଆଇଡି ପେଷ୍ଟ କରିବାରୁ ୧୯ ହଜାର ୩୨୬ ଟ୍ରାଞ୍ଜାକ୍ସନ ହେବାକୁ ଯାଉଥିବା ଜାଣି ସେ ଏଥିରୁ ବିରତ ହୋଇଥିଲେ। ଠକେଇର ଶିକାର ହେଉଥିବା ଜାଣି ଉକ୍ତ ନମ୍ବରକୁ ଶ୍ରୀ ପଣ୍ଡା ଫୋନ୍ କରିଥିଲେ। ମାତ୍ର ସମ୍ପୃକ୍ତ ବ୍ୟକ୍ତି ଆଉ କଲ୍ ରିସିଭ କରିନଥିଲା। କିନ୍ତୁ କିଛି ସମୟ ପରେ ଉକ୍ତ ନମ୍ବରରେ ଗୁଗଲ ପେ’ କରିବାକୁ ପୁଣିଥରେ ଫୋନ୍ ଆସିବା ପରେ ଶ୍ରୀ ପଣ୍ଡା ସାଇବର ଠକ ସନ୍ଦେହରେ ପୁଲିସର ଦ୍ବାରସ୍ଥ ହୋଇଥିଲେ।
  
 Follow Us