ସାଇବର୍ ଠକେଇ: ବିହାରର ୨ ଭାଇ ଗିରଫ

Advertisment

ବଡ଼ ଏମ୍‌ବିଏ, ସାନ ବିସିଏ ଛାତ୍ର; ୫ ଆକାଉଣ୍ଟରେ ୩ କୋଟି!

ବଡ଼ ଏମ୍‌ବିଏ, ସାନ ବିସିଏ ଛାତ୍ର; ୫ ଆକାଉଣ୍ଟରେ ୩ କୋଟି!

ସାଇବର୍ ଠକେଇ: ବିହାରର ୨ ଭାଇ ଗିରଫ

କଟକ : ଘର ଭିତରେ କଲ୍ ସେଣ୍ଟର୍ ଖୋଲି ସାରାଦେଶରେ ଲୋକଙ୍କୁ ଋଣ ଯୋଗାଇବା ଆଳରେ ଟଙ୍କା ଚଳୁ କରୁଥିବା ବିହାରର ଦୁଇ ଠକ ଭାଇଙ୍କୁ କଟକ ସାଇବର୍ ଥାନା ପୁଲିସ ଗିରଫ କରିଛି। ଗିରଫ ଦୁଇଭାଇ ହେଲେ, ବିହାର ସମସ୍ତିପୁର ଜିଲ୍ଲା ମହମ୍ମଦ ସମସାଦ ଉଦ୍ଦିନ୍(୩୫) ଓ ମହମ୍ମଦ ଅଫତାବ୍ ଉଦ୍ଦିନ(୨୮)। ଏମାନଙ୍କ ନିକଟରୁ ଯେଉଁ ୫ଟି ବ୍ୟାଙ୍କ୍ ଆକାଉଣ୍ଟ ଜବତ ହୋଇଛି, ଏଥିରେ ୩ କୋଟିରୁ ଅଧିକ ଟଙ୍କାର କାରବାର ହୋଇଥିବା ଜଣାପଡ଼ିଛି। ଏମାନଙ୍କ ଜାଲରେ କଟକ ସମେତ ଦେଶର ବିଭିନ୍ନ ରାଜ୍ୟର ଲୋକ ପଡ଼ିଥିବା ଜଣାପଡ଼ିଛି।

ଏଇ ଦୁଇ ଅପରାଧୀ କିଭଳି ଧରାପଡ଼ିଲେ, ତାହାର ବିସ୍ତୃତ ସୂଚନା ଜଣାପଡ଼ିଛି। ସୂଚନା ଅନୁସାରେ, ୨୦୧୯ ମାର୍ଚ୍ଚରେ ମଙ୍ଗଳାବାଗ ବକ୍ସିବଜାର ଅଞ୍ଚଳର ବିଜୟ କୁମାର ସିଂହ ଏକ ଫୋନ୍ କଲ୍ ପାଇଥିଲେ। ଦିଲ୍ଲୀ ରିଲାଏନ୍ସ କ୍ୟାପିଟାଲ୍ ଫିଲ୍ଡ ମ୍ୟାନେଜର ବିକାଶ ଜୈନ ପରିଚୟ ଦେଉଥିବା ଜଣେ ବ୍ୟକ୍ତି ନିକଟରୁ ଏହି ଫୋନ୍ କଲ୍ ଆସିଥିଲା। ଯଦି ଭାରତୀ ଏକ୍ସା ଜୀବନ ବୀମା ଥିବ ତେବେ ୫ ଲକ୍ଷ ଟଙ୍କା ଋଣ ମଞ୍ଜୁର କରାଇଦେବାକୁ ପ୍ରଲୋଭନ ଦେଖାଇଥିଲେ। ଫୋନ୍ କଲ୍ ମିଳିବା ପରେ ବିଜୟ ଭୁବନେଶ୍ବର ତୁରନ୍ତ ଯାଇ ସେଠାରେ ଭାରତୀ ଏକ୍ସା ଜୀବନ ବୀମା କରିଥିଲେ। ବୀମା କମ୍ପାନି ନିକଟରୁ ବଣ୍ଡ୍‌ ମିଳିବା ପରେ ସେ ବିକାଶ ଜୈନଙ୍କୁ ଫୋନ୍ କରିଥିଲେ। ବିକାଶ ଋଣ କରାଇଦେବାକୁ କହି ପ୍ରୋସେସିଂ ଫି, ବ୍ୟାଙ୍କ୍ ଚାର୍ଜ, ଜିଏସ୍‌ଟି, ଇନକମ୍ ଟ୍ୟାକ୍ସ ଇତ୍ୟାଦି ଆଳ ଦେଖାଇ ମୋଟ ୧୧ ଲକ୍ଷ ୧୮ ହଜାର ଟଙ୍କା ଲୁଟି ନେଇଥିଲେ। ସାଇବର୍ ଅପରାଧୀ ଏଭଳି ଠକେଇ କରିଥିବା ଜାଣିପାରି ଗଲା ଜାନୁଆରି ୭ ତାରିଖରେ କଟକ କମିସନରେଟ୍ ପୁଲିସର ସାଇବର୍ ଥାନାରେ ଏକ ଏତଲା ଦେଇଥିଲେ।

ସାଇବର୍ ଥାନା ପୁଲିସ ତଦନ୍ତ କରି ବିକାଶ ଯେଉଁ ମୋବାଇଲ ନମ୍ବରରୁ ଫୋନ୍ କରିଥିଲା ସାଇବର୍ ଥାନା ଉକ୍ତ ନମ୍ବରର ସିଡିଆର୍ ଯାଞ୍ଚ କରିଥିଲା। ବିଜୟ ଯେଉଁ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ ଉକ୍ତ ବ୍ୟାଙ୍କ୍ ଆକାଉଣ୍ଟ ଯାଞ୍ଚ ହୋଇଥିଲା। ଏହି ଦୁଇଟି ଯାଞ୍ଚ କରିବା ପରେ ପୁଲିସ ଟାଉନ୍ ଥାନା ଅନ୍ତର୍ଗତ ପ୍ରଫେସର କଲୋନିର ଓ୍ବାର୍ଡ ନଂ ୨୭ରେ ରହୁଥିବା ମହମ୍ମଦ ସମସାଦ ଉଦ୍ଦିନ୍, ମହମ୍ମଦ ଅଫତାବ୍ ଉଦ୍ଦିନକୁ ଠାବ କରିଥିଲା। ସମସାଦ ଏମବିଏ ଛାତ୍ର ଓ ସାନ ଭାଇ ବିସିଏ କରିଛି। ଏମାନେ ଦିଲ୍ଲୀର ଏକ କଲ୍ ସେଣ୍ଟରରେ କାମ କରୁଥିବା ବେଳେ କରୋନା ହେବାରୁ ଗଲା ଦୁଇ ବର୍ଷ ହେବ ଘରେ ରହି ଆଉ ଏକ କଲ୍ ସେଣ୍ଟର ଖୋଲିଥିଲେ। ଏହି ଗୋଷ୍ଠୀ ଏଚଡିଏଫସି, ମ୍ୟାକ୍ସ ଜୀବନ ବୀମା, ଏକ୍ସା ଲାଇଫ୍ ବୀମା ଇତ୍ୟାଦି ଜୀବନ ବୀମା ପ୍ରଦାନକାରୀ ସଂସ୍ଥାରେ ଯେଉଁ ବୀମାଧାରୀ ଅଛନ୍ତି, ସେମାନଙ୍କ ଯୋଗାଯୋଗ ନମ୍ବର ସଂଗ୍ରହ କରି ଋଣ ପ୍ରଦାନ କରିବାକୁ ପ୍ରଲୋଭନ କରୁଥିଲେ। ଯେଉଁମାନଙ୍କ ଋଣ ନଥାଏ, ସେମାନଙ୍କୁ ଋଣ କରିବାକୁ ପ୍ରବର୍ତ୍ତାଇଥାନ୍ତି। ଋଣ କରିବା ପରେ ବଣ୍ଡ୍‌ ହ୍ବାଟସଆପ୍ ମଧ୍ୟମରେ ମାଗୁଥିଲେ। ବଣ୍ଡ୍‌ ସେମାନଙ୍କ ନିକଟରେ ପହଞ୍ଚିବା ପରେ ଋଣ ବାବଦ ପ୍ରୋସେସିଂ ଫି ଆଳ ଦେଖାଇ ଟଙ୍କା ଲୁଟି ନେଉଥିଲେ।

ସାଇବର୍ ଥାନା ପୁଲିସ ଏହି ଦୁଇ ଜଣଙ୍କ ଘରେ ଚଢ଼ଉ କରିଥିଲା। ବିହାର ସମସ୍ତିପୁର ଟାଉନ ଥାନା ପୁଲିସ ସହୟତାରେ କଟକ ସାଇବର୍ ଥାନା ପୁଲିସ ଚଢ଼ଉ କରିଥିଲା। ଏମାନଙ୍କ ନିକଟରୁ ୫ଟି ବ୍ୟାଙ୍କ ଆକାଉଣ୍ଟ ଜବତ ହୋଇଛି। ଏହି ଆକାଉଣ୍ଟରେ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କାରବାର ହୋଇଛି। ଦିଲ୍ଲୀ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶର ବିଭିନ୍ନ ବ୍ୟାଙ୍କ ଖାତାଧାରୀଙ୍କ ନାଁରେ ଏହି ଆକାଉଣ୍ଟ ରହିଛି। ଭଡ଼ାରେ ଏହି ଆକାଉଣ୍ଟ ଆଣି ଦୁଇ ଭାଇ ଚଳାଉଥିବା ତଦନ୍ତରୁ ଜଣାପଡ଼ିଛି। ସାଇବର୍ ଥାନା ଆଇଆଇସି ଚନ୍ଦ୍ରୀକା ସ୍ବାଇଁଙ୍କ ନେତୃତ୍ବରେ ଅନିଲ କୁମାର ଦାସ, ପି.ଟି ଗଣେଶ ସାହୁ, ସ୍ବତନ୍ତ୍ର ସ୍କ୍ବାଡର କର୍ମଚାରୀଙ୍କୁ ନେଇ ଏକ ଟିମ୍ ବିହାର ଯାଇ ଏହି ଦୁଇ ଠକ ସାଇବର୍ ଭାଇଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe