ସରକାରୀ ୱେବସାଇଟ୍‌ର ସୁରକ୍ଷା ଚିନ୍ତା : ତିନି ମାସ ଭିତରେ ସରିବ ସାଇବର ଅଡିଟ୍‌

Advertisment
ସରକାରୀ ୱେବସାଇଟ୍‌ର ସୁରକ୍ଷା ଚିନ୍ତା : ତିନି ମାସ ଭିତରେ ସରିବ ସାଇବର ଅଡିଟ୍‌

ଭୁବନେଶ୍ବର : ବିଭିନ୍ନ ସରକାରୀ ୱେବସାଇଟ୍‌ରେ ସୁରକ୍ଷାଗତ ତ୍ରୁଟି ପରିଲକ୍ଷିତ ହେଉଥିବାରୁ ଏହାର ସାଇବର ଅଡିଟ୍ ଲାଗି କର୍ତୃପକ୍ଷଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ତିନିମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ। ଏହା ଛଡ଼ା ସମସ୍ତ ସରକାରୀ ୱେବସାଇଟ୍‌ ଏବଂ ୱେବ୍‌ ଆପ୍ଲିକେସନ୍‌ ଗୁଡ଼ିକ କିପରି ସୁରକ୍ଷିତ ଭାବେ କାମ କରିବ ସେନେଇ ସାଇବର ସୁରକ୍ଷା ଯୋଜନାର ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ଏନେଇ ଗୃହ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ଶ୍ରୀ ତ୍ରିପାଠୀ ସାଇବର ସୁରକ୍ଷାର ସମୀକ୍ଷା କରିବା ସହ ସମସ୍ତ ବିଭାଗ କିପରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ତା’ ଉପରେ ଗୁରୁତ୍ବାରୋପ କରିଛନ୍ତି। ତେବେ ଇଲେକ୍୍‌ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ସଚିବ ସି ଜେ ଭେନୁଗୋପାଳ ଏସଂପର୍କିତ କାର୍ଯ୍ୟର ସମନ୍ବୟ ରକ୍ଷା କରୁଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟ ଉଦ୍ୟାନ କୃଷି ନିର୍ଦେଶାଳୟ ଓ ପୂର୍ତ ବିଭାଗର ୱେବସାଇଟ୍‌ର ସୁରକ୍ଷା ବ୍ୟବସ୍ଥା ଢିଲା ଥିବା ଜଣାପଡ଼ିଥିଲା। ଏନେଇ ଅଭିଯୋଗ ପାଇବା ପରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ତଦନ୍ତ ହୋଇଥିଲା। ତେବେ ତଦନ୍ତ କାଳରେ ୱେବସାଇଟ୍‌ରେ ସେଭଳି କୌଣସି ସମସ୍ୟା ଦେଖିବାକୁ ମିଳିନଥିଲା। କିନ୍ତୁ ଏହାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗମ୍ଭୀର ଭାବେ ଗ୍ରହଣ କରାଯିବା ସହ ସାଇବର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଲାଗି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦେଶ ଦେଇଛନ୍ତି। ୱେବସାଇଟ୍‌ଗୁଡ଼ିକ ଯେପରି ଭାବେ ହ୍ୟାକ୍‌ ନହେବ ସେଥିପାଇଁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ସ୍ବତନ୍ତ୍ର ଭାବେ ମାର୍ଗନିର୍ଦେଶିକା ଜାରି ହୋଇଛି। ଏଥିରେ ଯେଉଁ ବିଭାଗର ୱେବସାଇଟ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥାର ଅଡିଟ କରାଯାଉନାହିଁ, ସେମାନଙ୍କୁ ଆସନ୍ତା ତିନିମାସ ମଧ୍ୟରେ ତାହା ସାରିବାକୁ ସ୍ପଷ୍ଟ ଭାବେ କୁହାଯାଇଛି। ତେବେ ଯଦି କୌଣସି ୱେବସାଇଟ୍‌ର ଏହି ସମୟସୀମା ମଧ୍ୟରେ ଅଡିଟ ହେବନାହିଁ, ତାହା ଷ୍ଟେଟ ଡାଟା ସେଣ୍ଟର କିମ୍ବା ଆଇଟି ସେଣ୍ଟରରେ ଉପଲବ୍ଧ ହେବନାହିଁ ବୋଲି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe