ମାତିଛନ୍ତି ସାଇବର ଅପରାଧୀ, ନକଲି ଆକାଉଣ୍ଟ ଜରିଆରେ ଅର୍ଥ ଲୁଟ୍‌

Advertisment
ମାତିଛନ୍ତି ସାଇବର ଅପରାଧୀ, ନକଲି ଆକାଉଣ୍ଟ ଜରିଆରେ ଅର୍ଥ ଲୁଟ୍‌

The Economic Times

ଜଳେଶ୍ବର: ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ଜଳେଶ୍ବର ଅଞ୍ଚଳର ବିଭିନ୍ନ ବର୍ଗର ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି ସାଇବର ଅପରାଧୀ। ବିଶେଷ କରି ଗଣମାଧ୍ୟମ ବ୍ୟବହାରକାରୀ ବହୁ ନାମିଦାମୀ ଲୋକଙ୍କ ଫଟୋ ବ୍ୟବହାର କରି ଏମାନେ ନକଲି ଆକାଉଣ୍ଟ ଖୋଲି ଅସୁବିଧାରେ ପଡ଼ିଛି ଏଭଳି ବାହାନା ଦେଖାଇ ଦୂରଦୂରାନ୍ତରେ ରହୁଥିବା ସମ୍ପର୍କୀୟ ଓ ଆତ୍ମୀୟସ୍ବଜନ ତଥା ପରିଚିତ ଲୋକଙ୍କୁ ମୋଟା ଅଙ୍କର ଅର୍ଥ ମାଗୁଥିବା ଅଭିଯୋଗ ହୋଇଛି।

ଭୋଗରାଇସ୍ଥିତ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ତଥା ଜଳେଶ୍ବର ନିବାସୀ କାର୍ତ୍ତିକ ଚନ୍ଦ୍ର ଦାସଙ୍କ ଫଟୋକୁ ବ୍ୟବହାର କରି ଫେସବୁକରେ ତାଙ୍କରି ନାମରେ କେହି ଜଣେ ଆକାଉଣ୍ଟ ଖୋଲିବା ସହ ଗତ ଦୁଇଦିନ ଧରି ବହୁ ଲୋକଙ୍କୁ ଫ୍ରେଣ୍ଡ୍ ରିକ୍ବେଷ୍ଟ ମଧ୍ୟ ପଠାଇଥିଲା। ଅନେକ ଜଣ ଶ୍ରୀ ଦାସଙ୍କୁ ଜାଣିଥିବାରୁ ରିକ୍ବେଷ୍ଟ ଆକସେପ୍ଟ ମଧ୍ୟ କରିଥିଲେ। ତାପରେ ସେହି ନକଲି ଆକାଉଣ୍ଟରୁ ଶ୍ରୀ ଦାସଙ୍କ ସହ ବନ୍ଧୁତା ଥିବା ତାଙ୍କ ସମ୍ପର୍କୀୟ, ଆତ୍ମୀୟସ୍ବଜନ ଓ ବନ୍ଧୁବାନ୍ଧବଙ୍କୁ ଚିକିତ୍ସା ପାଇଁ ଅର୍ଥ ଦରକାର କହି ମେସେଞ୍ଜର ଜରିଆରେ ମେସେଜ ପଠାଉଥିବା ଜଣା ପଡ଼ିଛି। ଏପରିକି ଟଙ୍କା ମାଗୁଥିବା ବେଳେ ଏହି ଅପରାଧୀ ଜଣକ ଜଣେ ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାର ଫଟୋ ମଧ୍ୟ ପ୍ରେରଣ କରୁଛି। ଶ୍ରୀ ଦାସଙ୍କ ଘନିଷ୍ଠ ସମ୍ପର୍କୀୟ କମର୍ଦ୍ଦା ଥାନା ବଡମନ୍ଦାରୁଣୀ ଗ୍ରାମର ଅବସରପ୍ରାପ୍ତ ସାମରିକ କର୍ମଚାରୀ ଦେବବ୍ରତ ପ୍ରଧାନଙ୍କ ନିକଟକୁ ଏହିପରି ଏକ ମେସେଜ ମେସେଞ୍ଜରରେ ଆସିବା ପରେ ତାଙ୍କର ସନ୍ଦେହ ହେବାରୁ ସେ ସିଧାସଳଖ ଫୋନରେ ଶ୍ରୀ ଦାସଙ୍କ ସହ ଯୋଗାଯୋଗ କରିଥିଲେ। ଯୋଗାଯୋଗ ପରେ ଆସିଥିବା ମେସେଜ ମିଥ୍ୟା ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ।

ଏହାର କିଛିଦିନ ପୂର୍ବରୁ ଅନୁରୂପ ଭାବେ କୃଷି ବିଭାଗର କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ସୁଗୋ ଗ୍ରାମର ଅରୁଣ ପରିଡ଼ାଙ୍କ ଫଟୋ ମଧ୍ୟ ବ୍ୟବହାର କରାଯାଇ ତାଙ୍କ ନାମରେ ଏକ ନକଲି ଆକାଉଣ୍ଟ ଖୋଲାଯିବା ସହ ବହୁ ଲୋକଙ୍କୁ ଟଙ୍କା ମଗା ଯାଇଥିଲା। ଏପରିକି ଅରୁଣଙ୍କୁ ଜାଣିଥିବା ତାଙ୍କର ଦୁଇ ବନ୍ଧୁ ୯ ହଜାର ଟଙ୍କା ଦେଇ ଦେଇଥିଲେ। ଏ ସମ୍ପର୍କରେ ଅରୁଣ ଜାଣିବା ପରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ତାଙ୍କର ସ୍ପଷ୍ଟୀକରଣ ରଖିଥିଲେ। କେବଳ ଏହି ଦୁଇଟି ଘଟଣା ନୁହେଁ ଜଳେଶ୍ବର ଅଞ୍ଚଳରେ ପ୍ରତିଦିନ ସାଇବର ଅପରାଧୀମାନେ ଏହି ଉପାୟରେ ସାଧାରଣ ଲୋକଙ୍କୁ ଚୂନ ଲଗାଇବା ପାଇଁ ନକଲି ଆକାଉଣ୍ଟ ଜରିଆରେ ଅର୍ଥର ନିତାନ୍ତ ଆବଶ୍ୟକ ରହିଛି କହି ମେସେଜ ଦେଉଛନ୍ତି। ଏନେଇ ବାଲେଶ୍ବର ସାଇବର ଥାନା ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe