ବର୍ଷାରେ ଭିଜିଲା ଧାନ ଓ କପା: ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ

Advertisment
ବର୍ଷାରେ ଭିଜିଲା ଧାନ ଓ କପା: ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ

ରାୟଗଡ଼ା: ରାୟଗଡା ଜିଲ୍ଲାରେ ବାତ୍ୟା ମିଗଜୋମ ପ୍ରଭାବରେ ତିନି ଦିନ ଧରି ବର୍ଷା ଲାଗି ରହିଛି। ଫଳରେ ଚାଷୀମାନଙ୍କର ଫସଲ ନଷ୍ଟ ହୋଇଛି। ଏବେ ସରକାରୀ ସାହାଯ୍ୟ ସହଯୋଗକୁ ଅପେକ୍ଷା କରି ରହିଛନ୍ତି ଚାଷୀ। ବାତ୍ୟାର ପ୍ରଭାବରେ ବୁଧବାର ଦିନ ଦମାମ ବର୍ଷା ଲାଗି ରହିଛି। ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଧାନ କାଟି ଚାଷୀ ଜମିରେ ହିଁ ଧାନ ଛାଡି ଦେଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁଁ ଧାନ ଖୋଳାକୁ ଆଣିପାରିନଥିବା ବେଳେ ଅଦିନିଆ ବର୍ଷା ଚାଷୀଙ୍କ ବର୍ଷକର ଖାଦ୍ୟକୁ ଧୋଇଦେଇଛି। ଧାର କରଜ କରି ଚାଷୀ ଚାଷ କରି ଏବେ ଅମଳ ଅପେକ୍ଷାରେ ରହିଥଇବା ବେଳେ ବାତ୍ୟା ସବୁ ବିଗାଡିଦେଲା। ଆଗକୁ ବର୍ଷା ଲାଗି ରହିଲେ ଫଳିଥିବା ଧାନ ସଂପୂର୍ଣ୍ଣ ନଷ୍ଟ ହେବାର ଆଶଂକା ରହିଛି, ଯାହାକୁ ନେଇ ଚାଷୀଙ୍କ ମନରେ ଏବେ ଭାଲେଣି ପଡିଛି। ବର୍ଷକ ନିମନ୍ତେ ନିଜ ପରିବାରର ପୋଷଣ କିପରି କରିବ ତାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଚାଷୀ।

ସେହିପରି କପା ମଧ୍ୟ ଅମଳ କରାଯାଇଥିବା ବେଳେ ଚାଷୀ ସାଇତି ରଖି ପାରିନଥିବାରୁ କପା ମଧ୍ୟ ନଷ୍ଟ ହୋଇଯିବା ନେଇ ଆଶଂକା କରିଛନ୍ତି ଚାଷୀ। ବୁଧବାର ଜିଲ୍ଲାରେ ରେକର୍ଡ କରାଯାଇଥିବା ବର୍ଷାର ପରିମାଣ ହେଲା ରାୟଗଡାରେ ୧୬.୮ ମିମି। କୋଲନରା ବ୍ଲକରେ ୧୪.୮ ମିମି, କଲ୍ୟାଣସିଂହପୁର ବ୍ଲକରେ ୨୭ ମିମି, କାଶୀପୁର ବ୍ଲକରେ ୧୩.୭ ମିମି, ଗୁଣୁପୁର ବ୍ଲକରେ ୧୪ ମିମି, ପଦ୍ମପୁର ବ୍ଲକରେ ୪.୩ ମିମି, ଗୁଡାରି ବ୍ଲକରେ ୭.୮ ମିମି, ରାମନାଗୁଡା ବ୍ଲକରେ ୧୯.୮ ମିମି, ବିଷମକଟକ ବ୍ଲକରେ ୧୬.୬ ମିମି, ମୁନିଗୁଡା ବ୍ଲକରେ ୨୩.୬ ମିମି, ଚନ୍ଦ୍ରପୁର ବ୍ଲକରେ ୪.୨ ମିମି ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାରେ ମୋଟ ୧୬୨.୪ ମିମି ବର୍ଷା ହୋଇଥିବା ବେଳେ ଏଭେରେଜ ୧୪.୭୮ ବୋଲି କୁହାଯାଇଛି। ଜିଲ୍ଲାରେ ୪୦ ହଜା ହେକ୍ଟରରୁ ଊର୍ଦ୍ଧ୍ବ ଜମିରେ ଧାନ ଚାଷ ହୋଇଥିବା ବେଳେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ହେକ୍ଟର ଜମିରେ ଧାନ ବିଲରେ ପଡି ରହିଥିବା ସୂଚନା ମିଳିଛି।

ସେହିପରି ୪୯ ହଜାରରୁ ଊର୍ଦ୍ଧ୍ବ ହେକ୍ଟର ଜମିରେ କପା ଚାଷ ହୋଇଥିବା ବେଳେ ପ୍ରାୟ ୪୦ ପ୍ରତିଶତ ଜମିରୁ କପା ଅମଳ କରାଯାଇପାରି ନାହିଁ ବୋଲି ଜଣାପଡ଼ିଛି। ବର୍ଷା କପା ଚାଷର ଶତ୍ରୁ। ଅନ୍ୟଦିଗରେ କପା ଏବେ ଅମଳ ଚାଲିଥିବା ବେଳେ ମଣ୍ଡି ମଧ୍ୟ ପ୍ରଶାସନ ତରଫରୁ ଆରମ୍ଭ କରାଯାଇଛି। କିନ୍ତୁ କପା ମଣ୍ଡି ଖୋଲିନଥିବା ସହ କେହି ଅଧିକାରୀ ନଥିବା ଦେଖିବାକୁ ମିଳିଛି। ଲଗାଣ ବର୍ଷାରେ ଧାନ ଓ କପା ସହ ଅନ୍ୟାନ୍ୟ ଫସଲ ମଧ୍ୟ ନଷ୍ଟ ହେବାର ଆଶଙ୍କା ଦେଖା ଦେଇଛି। କିନ୍ତୁ ଚାଷୀଙ୍କ ନିକଟରେ ଆଜି ପର୍ଯନ୍ତ ସରକାରୀ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କେହି ପହଞ୍ଚିନଥିବା ବେଳେ କୌଣସି ସାହାଯ୍ୟ ସହଯୋଗ ପହଁଚି ନଥିବା ଜଣାପଡିଛି। ଧାନ ଓ କପା ସମେତ କ୍ଷେତରେ ଏବେ ପନିପରିବା, ହରଡ଼, ହଳଦୀ, ମକା ଏବଂ ମାଣ୍ଡିଆ ଆଦି ବିଭିନ୍ନ କିସମର ଖାଦ୍ୟଶସ୍ୟ ଚାଷ କରିଛନ୍ତି ଚାଷୀ।ଯାହା ଏବେ ବର୍ଷା କାରଣରୁ ଚାଷୀଙ୍କ ଆଖିଆଗରେ ସବୁ ନଷ୍ଟ ହୋଉଛି। ଯାହାକୁ ନେଇ ଚିନ୍ତାରେ ଚାଷୀ କୁଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe