ବାତ୍ୟା ସହାୟତା ମାଗିବା ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ

Advertisment
ହିନ୍ଦୁ, ହିନ୍ଦୁତ୍ବ ଓ ଭାରତୀୟତା ଭିତରେ ଫରକ ନାହିଁ: ନିରଞ୍ଜନ

photo by : newindianexpress.com

ଭୁବନେଶ୍ବର : ଓଡ଼ିଶା ବାରମ୍ବାର ପ୍ରାକୃତିକ ଦୁର୍ବିପାକର ଶିକାର ହେଉଛି। ଗତବର୍ଷ ଫନିରେ ୧୧ଟି ଜିଲ୍ଲା ଓ ଏ ବର୍ଷ ଅମ୍ଫାନ୍‌ ବାତ୍ୟାରେ ୪ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି। ଦୁଇଦିନିଆ କ୍ଷତିଗ୍ରସ୍ତ ଜିଲ୍ଲା ଗସ୍ତ ସାରି କେନ୍ଦ୍ରୀୟ ଟିମ୍‌ ଦିଲ୍ଲୀ ଫେରିଯାଇଛନ୍ତି। କିନ୍ତୁ ଗତକାଲି କେନ୍ଦ୍ରୀୟ ଟିମ୍‌ ଫେରିବା ପୂର୍ବରୁ ରାଜ୍ୟ ସରକାର ଆଲୋଚନା କଲାବେଳେ ବାତ୍ୟା ନିରୋଧୀ ପୁନର୍ନିମାଣ ବାବଦରେ ଯେଉଁ ୨୦ ହଜାର କୋଟି ଟଙ୍କାର ପ୍ରସ୍ତାବ ରଖିଛନ୍ତି, ତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ରୀୟ ସହାୟତା ଦାବି କଲାବେଳେ ସରକାରଙ୍କ ତାଳମେଳ ରହୁନଥିବା କଂଗ୍ରେସ ଅଭିଯୋଗ କରିଥିବାବେଳେ ସ୍ଥାୟୀ ପ୍ରତିକାର ପାଇଁ ସରକାରଙ୍କ ଯୋଜନା କଣ ସେ ସମ୍ପର୍କରେ ସ୍ପଷ୍ଟ କରିବାକୁ ବିଜେପି ଦାବି କରିଛି।

publive-image Livemint

ଏକ ପ୍ରେସ୍‌ ବିବୃତି ଜାରି କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି, ଅମ୍ଫାନ୍‌ କ୍ଷତିଗ୍ରସ୍ତ ଜିଲ୍ଲା ପାଇଁ ବାତ୍ୟା ନିରୋଧୀ ଭିତ୍ତିଭୂମି ନିର୍ମାଣ ବାବଦରେ ପ୍ରାଥମକି ଆକଳନ ଅନୁଯାୟୀ ସରକାର ଯେପରି ୨୦ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ଟିମ୍‌ ଆଗରେ ପ୍ରସ୍ତାବ ରଖିଛନ୍ତି, ସେଥିରେ ସରକାରଙ୍କ ଆନ୍ତରିକତା ନଥିବା ଭଳି ଲାଗୁଛି। ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ଅଗ୍ରୀମ ବାବଦରେ ୫୦୦ କୋଟି ଟଙ୍କା ଦେଇଛନ୍ତି। ସରକାର ଯେପରି ଭାବରେ ପ୍ରସ୍ତାବ ସବୁ ଉପସ୍ଥାପନ କରୁଛନ୍ତି, ସେଥିରେ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଗତବର୍ଷ ଫନି ବାତ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ପରେ ୧ ହଜାର କୋଟି ଟଙ୍କା ଅଗ୍ରୀମ ସହାୟତା ଦେବାକୁ ଘୋଷଣା କରିଥିଲେ। ସେତେବେଳେ ବି ମୁଖ୍ୟମନ୍ତ୍ରୀ ତାଙ୍କ ଆଗରେ ବାତ୍ୟା ନିରୋଧୀ ଭିତ୍ତିଭୂମି ନିର୍ମାଣ ନେଇ ପ୍ରସ୍ତାବ ରଖିଥିଲେ। ବର୍ଷେ ବିତିଲାଣି ସେ ଯୋଜନା କୁଆଡ଼େ ଗଲା କେହି ଜାଣିପାରୁନାହାନ୍ତି। ଫନି ବାତ୍ୟା ୧୧ଟି ଜିଲ୍ଲାରେ ଅଭୁତପୂର୍ବ କ୍ଷୟକ୍ଷତି ଘଟାଇଥିଲା। ଲୋକ ମରିଥିଲେ। ହଜାର ହଜାର ଏକର ଚାଷ ଜମି ନଷ୍ଟ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ କ୍ଷୟକ୍ଷତି ଆକଳନ କରି୯ ହଜାର ୯୩୬ କୋଟି ଟଙ୍କାର କ୍ଷତି ହୋଇଥିବା ନେଇ ରାଜ୍ୟ ସରକାର କେନ୍ଦ୍ରକୁ ଜଣାଇଥିଲେ। ଅଥଚ ଚୂଡାନ୍ତ ରିପୋର୍ଟ୍‌ ଆଧାରରେ ୫ ହଜାର ୨୨୭ କୋଟି ଟଙ୍କାର ସହାୟତା ମାଗିଥିଲେ। କିନ୍ତୁ କେନ୍ଦ୍ର ସରକାର ସହାୟତା ବାବଦରେ ଦେଇଥିଲେ ୩ ହଜାର ୩୩୮ କୋଟି। ସେହି ଅର୍ଥରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲାକୁ ୧୩୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ପରେ ସେଥିରୁ ୨୦୦ କୋଟି ଟଙ୍କା ପୁରୀ ଜିଲ୍ଲାପାଳ ଫେରାଇଦେଲେ। ବାକି ୧୧୦୦ କୋଟି ଟଙ୍କାରୁ ଏବେ ବି ୬୦୦ କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି। ଲୋକେ ସେମିତି ତାରପଲିନ୍‌ ପକାଇ ରହୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଏଯାଏଁ ବି ନଡ଼ିଆ ଚାଷୀଙ୍କୁ ସହାୟତା ମିଳିଲାନାହିଁ। ଏଥିରୁ ସାଧାରଣ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା କେତେ ବେଶ୍‌ ବାରି ହୋଇପଡ଼ୁଛି ବୋଳି ଶ୍ରୀ ପଟ୍ଟନାୟକ କହିଛନ୍ତି।

publive-image Bengal Daily

ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଅମ୍ଫାନ୍‌ ବାତ୍ୟା ପରେ କେନ୍ଦ୍ର ସରକାର ୫୦୦ କୋଟି ଟଙ୍କା ଆଗୁଆ ଅନୁଦାନ ଦେଇଛନ୍ତି। ରିଲିଫ୍‌ ଓ ପୁନରୁଦ୍ଧାର ବାବଦରେ ରାଜ୍ୟ ସରକାର ମାତ୍ର ୨୦୦ କୋଟି ଟଙ୍କା ଆକଳନ କରିଛନ୍ତି। ୫୦୦ କୋଟିର ଖର୍ଚ୍ଚ ପାଇଁ କସରତ ଚାଲିଥିବାବେଳେ ସ୍ଥାୟୀ ପ୍ରତିକାର ପାଇଁ ଯୋଜନା ନ କରି ୨୦ ହଜାର କୋଟି ମାଗିଛନ୍ତି। କିନ୍ତୁ ଏହାକୁ କିଭଳି ଖର୍ଚ କରିବେ, ତାର ଯୋଜନା ପ୍ରକାଶ କରିବା ଦରକାର।

ତେବେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ବିଜେଡି ଉପସଭାପତି ତଥା ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ କହିଛନ୍ତି, ବିଭିନ୍ନ ବିଭାଗର ପ୍ରସ୍ତାବ ଆଧାରରେ ବାତ୍ୟା ନିରୋଧୀ ଭିତ୍ତିଭୂମି ନିର୍ମାଣ ପାଇଁ ସରକାର ୨୦ ହଜାର କୋଟି ଟଙ୍କାର ଆକଳନ କରିଛନ୍ତି। ଏଥିପାଇଁ ନିଶ୍ଚିତ ଭାବେ ଯୋଜନା ପ୍ରସ୍ତୁତ ହୋଇଥିବ। ବାରମ୍ବାର ପ୍ରାକୃତିକ ଦୁର୍ବିପାକରେ କ୍ଷତିଗ୍ରସ୍ତ ହେଉଥିବା ଓଡ଼ିଶା ପାଇଁ କେନ୍ଦ୍ର ସରକାର ଅର୍ଥ ଯୋଗେଇବା କଥା। ଏଭଳି ସମୟରେ ଅଭିଯୋଗ ନ କରି କେନ୍ଦ୍ରରୁ କିଭଳି ଅର୍ଥ ଆସିବ ସେ ଦିଗରେ ବିରୋଧୀ ସହଯୋଗ କରିବାକୁ ଶ୍ରୀ ଘଡ଼େଇ ଆହ୍ବାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe