ଉଜାଡ଼ିଦେଲା ବାତ୍ୟା ‘ଦାନା’: କାର୍ତ୍ତିକରେ ଅମଳ ହେଲାନି କୋବି

ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍‌ ମହମ୍ମଦନଗର ପାଟଣା ପଞ୍ଚାୟତର ସେକ୍‌ସରାଇ ଗାଁର ଚାଷୀ ଖକନ ଜେନା ଗତ ଆଶ୍ବିନ ମାସରେ ୧୧ ହଜାର ଓ ନବକୃଷ୍ଣ ନାୟକ ୧୭ ହଜାର ଫୁଲକୋବି ମଞ୍ଜି ଲଗାଇଥିଲେ।

sfssfsf

ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍‌ ମହମ୍ମଦନଗର ପାଟଣା ପଞ୍ଚାୟତର ସେକ୍‌ସରାଇ ଗାଁର ଚାଷୀ ଖକନ ଜେନା ଗତ ଆଶ୍ବିନ ମାସରେ ୧୧ ହଜାର ଓ ନବକୃଷ୍ଣ ନାୟକ ୧୭ ହଜାର ଫୁଲକୋବି ମଞ୍ଜି ଲଗାଇଥିଲେ। ଆଶା କରିଥିଲେ କାର୍ତ୍ତିକ ମାସରେ କୋବି ଅମଳ ହେବ ଏବଂ ବଜାରରେ ବିକ୍ରି ବେଶ୍‌ ଦୁଇପଇସା ଲାଭବାନ ହେବେ। କିନ୍ତୁ ବାତ୍ୟା ‘ଦାନା’ ସବୁ ଉଜାଡ଼ି ଦେଲା। ଫଳରେ ସେମାନେ ଦ୍ବିତୀୟଥର କୋବି ମଞ୍ଜି ରୋପଣ କଲେ। ଗାଁର କେବଳ ଖକନ କି ନବକୃଷ୍ଣ ନୁହନ୍ତି; ଶତାଧିକ ଚାଷୀଙ୍କ ଅବସ୍ଥା ସମାନ। ଦ୍ବିତୀୟ ଥର ରୋପଣ ଯୋଗୁଁ କାର୍ତ୍ତିକ ମାସରେ କୋବି ଅମଳ ହୋଇ ପାରିଲାନି। ଏହାର ସୁଯୋଗ ନେଇ ପଶ୍ଚିମବଙ୍ଗ ବେପାରୀ ଓଡ଼ିଶାରେ ଚଢ଼ାଦରରେ କୋବି ବିକ୍ରି କରୁଛନ୍ତି।  ଚାଷୀଙ୍କ କହିବା ଅନୁଯାୟୀ, କୋବି ଚାଷରୁ ସେକ୍‌ସରାଇ ଗାଁର ଚାଷୀମାନେ ଯେତିକି ରୋଜଗାର କରନ୍ତି, ଏହାର ୭୦ ପ୍ରତିଶତ କେବଳ କାର୍ତ୍ତିକ ମାସରେ ହୋଇଥାଏ।

ସେକ୍‌ସରାଇ ଗାଁର ଚାଷୀଙ୍କ ହାତ ଖାଲି
ପଶ୍ଚିମବଙ୍ଗ କୋବି ଗୋଟାକୁ ୫୦ରୁ ୬୦ ଟଙ୍କା

ଚଳିତ ବର୍ଷ ପାଣିପାଗର ଅନିୟମିତତା ଯୋଗୁଁ ଫୁଲକୋବି ଚାଷ ସେମାନଙ୍କୁ କ୍ଷତିରେ ପକାଇଛି। ଏବେ କୋବି ଚାଷର ଯାହା ସ୍ଥିତି, ମାର୍ଗଶୀର ମାସ ଅଧା ପରେ ହିଁ ଫୁଲକୋବି ଅମଳ ହେବ। ସୁବର୍ଣ୍ଣରେଖା ନଦୀତଟର ଗାଁ ସେକ୍‌ସରାଇ ସମେତ ଆଖପାଖ ଗାଁରୁ ଯେତିକି କୋବି ଉତ୍ପାଦନ ହୋଇଥାଏ, ଜଳେଶ୍ୱର ବଜାରରେ ଚାହିଦା ମେଣ୍ଟାଇବା ସହ ଅନ୍ୟତ୍ର ମଧ୍ୟ ରପ୍ତାନି ହୋଇଥାଏ। କିନ୍ତୁ ଏବର୍ଷ ଚାଷୀଙ୍କ ହାତ ଖାଲି। ଫଳରେ ଜଳେଶ୍ୱର ବଜାରରେ ଏବେ ପଶ୍ଚିମବଙ୍ଗ କୋବି ମିଳୁଛି। ଗୋଟିଏ ଛୋଟ କୋବି ଦାମ୍‌ ୫୦ରୁ ୬୦ ଟଙ୍କା ରହିଛି। 

ବିଶେଷକରି କାର୍ତ୍ତିକ ମାସରେ ଫୁଲକୋବିର ଭଲ ଦର ଥାଏ। ମାତ୍ର ଆଶ୍ବିନ ମାସରେ ଲଘୁଚାପ ଜନିତ ବର୍ଷା ଓ ପରେ ପରେ ‘ଦାନା’ ବାତ୍ୟା ଯୋଗୁଁ ସେକସରାଇ ଗାଁ ସମେତ ଉତ୍ତର ବାଲେଶ୍ବରରେ ସହସ୍ରାଧିକ ଚାଷୀ ଜମିରେ କୋବି ଚାଷ ଆରମ୍ଭ କରିପାରି ନଥିଲେ। ଯେଉଁମାନେ କୋବି ଲଗାଇଥିଲେ, ପ୍ରବଳ ବର୍ଷା ଯୋଗୁଁ ସବୁ ଉଜୁଡ଼ିଗଲା। ଫଳରେ ଦ୍ବିତୀୟ ଥର ପାଇଁ କୋବି ମଞ୍ଜି ରୋପଣ କରିବାକୁ ବାଧ୍ୟ ହେଲେ ବୋଲି ଖକନ ଜେନା, ନବକୃଷ୍ଣ ନାୟକଙ୍କ ସମେତ ହରିପଦ ମାନ୍ନା, ଶମ୍ଭୁ ମାଇତି, ଗୋପାଳ ସାହୁ, ସୁଶାନ୍ତ ପଲାଇ, ତାରା ଶଙ୍କର ନାଥ ପ୍ରମୁଖ ପ୍ରକାଶ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe