ଏବେ ବି ବଞ୍ଚିବାର ରାହା ଖୋଜୁଛନ୍ତି ‘ଫନି’ ବିପନ୍ନ, କାଳ ସାଜୁଛି କାଳବୈଶାଖୀ

Advertisment
ଏବେ ବି ବଞ୍ଚିବାର ରାହା ଖୋଜୁଛନ୍ତି ‘ଫନି’ ବିପନ୍ନ, କାଳ ସାଜୁଛି କାଳବୈଶାଖୀ

ପିପିଲି : ସାମୁଦ୍ରିକ ବାତ୍ୟା ‘ଫନି’ରେ ବାସହରା ହୋଇଯାଇଥିବା ବିପନ୍ନଙ୍କ ପାଇଁ ଏବେ କାଳବୈଶାଖୀ କାଳ ସାଜୁଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ଝଡ଼ ତୋଫାନ ହେଉଥିବାରୁ ଭଙ୍ଗା ଘରେ ପଡ଼ିଥିବା ପଲିଥିନ୍‌ ସବୁ ଉଡ଼ି ଯାଉଛି। ଫଳରେ ଘର ଭିତରେ ବର୍ଷା ହେବା ଯୋଗୁଁ ସମସ୍ତ ଆସବାବପତ୍ର ଓଦା ହୋଇ ନଷ୍ଟ ହୋଇ ଯାଉଥିବା ଦେଖିବାକୁ ମିଳିଛି। ବାତ୍ୟାରେ ଜୀବନଜୀବିକା ହରାଇ ବଞ୍ଚିବାର ରାହା ଖୋଜୁଥିବା ଦୁର୍ଗତଙ୍କ ଚିନ୍ତାକୁ ଏହା ବଢ଼ାଇ ଦେଇଛି। ସେହିପରି ମୁଣ୍ତ ଉପରେ ମୌସୁମୀ ବର୍ଷା ଥିବା ବେଳେ ଏ ପର୍ଯ୍ୟନ୍ତ ଅଣ୍ଟା ସଳଖି ପାରି ନାହାନ୍ତି ବାତ୍ୟା ବିପନ୍ନ।

ମିଳିଥିବା ସୂଚନା ଅନୁଯାୟୀ, ଗତ ୪ ଧରି ଦିନ ହେବ ପିପିଲି ଅଞ୍ଚଳରେ କାଳବୈଶାଖୀ ହେଉଛି। ଫଳରେ ଖୋଲା ଆକାଶ ତଳେ ଥିବା ବାତ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା କ୍ରମଶଃ ବଢିବାରେ ଲାଗିଛି। ବାତ୍ୟା ମାଡ଼ରେ ପିପିଲି ଅଂଚଳରେ ୩୦ ହଜାରରୁ ଅଧିକ ଘର ଭାଙ୍ଗିଥିବା ବେଳେ ଲକ୍ଷାଧିକ ଲୋକେ ବାସହରା ହୋଇପଡ଼ିଛନ୍ତି। ବହୁ ପରିବାର ଏବେବି ଖୋଲା ଆକାଶ ତଳେ ଖରା, ବର୍ଷା ଓ କାକରରେ ଅତି ଦୟନୀୟ ଅବସ୍ଥାରେ ଅଛନ୍ତି। ସେପଟେ ମୁଣ୍ତ ଗୁଞ୍ଜିବାକୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ପଲିଥିନ୍‌ ଖଣ୍ଡେ ବି ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ପ୍ରଶାସନ ଅନ୍ଧାରରେ ବାଡ଼ି ବୁଲାଉଛି। ହିତାଧିକାରୀ ଚୟନରେ ରାଜନୈତିକ ହସ୍ତକ୍ଷେପ ରହୁଥିବା ବେଳେ ପ୍ରକୃତ ହିତାଧିକାରୀ ଚୟନ ହୋଇପାରୁନି। ବିପନ୍ନମାନେ ଖୋଲା ଆକାଶ ତଳେ ଆଉ କେତେଦିନ ରହିବେ। ସରକାରୀ ସାହାଯ୍ୟକୁ ଅପେକ୍ଷା ନ କରି ବାତ୍ୟାରେ ଉଜୁଡ଼ି ଯାଇଥିବା ଘରକୁ ନିଜେ ନିଜେ ସଜାଡ଼ିବାକୁ ଅଣ୍ଟା ଭିଡ଼ିଛନ୍ତି। ତେବେ ମଝିରେ ମଝିରେ ହେଉଥିବା କାଳବୈଶାଖୀ ଏଥିରେ ବାଧା ସୃଷ୍ଟି କରୁଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଘରଭଙ୍ଗା କ୍ଷୟକ୍ଷତି ଆକଳନ ସରିନି। ଫଳରେ ସହାୟତା କେବେ ମିଳିବ ସେନେଇ ବିପନ୍ନମାନେ ସନ୍ଦିହାନ ଅବସ୍ଥାରେ ଅଛନ୍ତି। ସେହିପରି ଗୁହାଳଗୁଡ଼ିକ ଭାଙ୍ଗି ଯାଇଥିବାରୁ ଗାଈଗୋରୁ, ଛେଳି, ମେଣ୍ଢା ଆଦି ଗୃହପାଳିତ ପଶୁ ମଧ୍ୟ ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe