Advertisment

ଫନି’ର ସାତ ଦିନ ପରେ ଗଛମୂଳେ ଆଶ୍ରୟ ନେଇଛନ୍ତି ବିପନ୍ନ

Advertisment

ପହଞ୍ଚିଲାନି ପ୍ରଶାସନ, ମିଳିଲାନି ପଲିଥିନ, କ୍ଷେତରେ ଭାସୁଛି ମୁଗ, ବିରି ଓ ଧାନ ଫସଲ, ଗାଡିଆରେ ମାଛ, ୧୩ହଜାର ଘର ଓ ୧୪ହଜାର ଗୁହାଳ ମାଟିରେ ମିଶିଲା

ପହଞ୍ଚିଲାନି ପ୍ରଶାସନ, ମିଳିଲାନି ପଲିଥିନ, କ୍ଷେତରେ ଭାସୁଛି ମୁଗ, ବିରି ଓ ଧାନ ଫସଲ, ଗାଡିଆରେ ମାଛ, ୧୩ହଜାର ଘର ଓ ୧୪ହଜାର ଗୁହାଳ ମାଟିରେ ମିଶିଲା

ଫନି’ର ସାତ ଦିନ ପରେ ଗଛମୂଳେ ଆଶ୍ରୟ ନେଇଛନ୍ତି ବିପନ୍ନ

କଟକ/ନିଆଳି : ଅଶୋକ ପ୍ରଧାନ। ଘର ନିଆଳି ବ୍ଲକ୍‌ର ମଝିଖଣ୍ଡ ଗାଁର ବାସିନ୍ଦା। ମୁଣ୍ଡ ଗୁଞ୍ଜିବାକୁ ଏବେ ଚାଳ ନାହଁ। ସାତ ଦିନ ପରେ ବି ନା ପହଞ୍ଚିଲା ପ୍ରଶାସନ, ନା’ ମିଳିଲା ଖଣ୍ଡିଏ ପଲିଥିନ। ସେହି ଭଙ୍ଗାଘରେ ଜୀବନ କାଟୁଛନ୍ତି ତାଙ୍କ ପରିବାର। ୫୦ହଜାର ଟଙ୍କାରେ ପନ୍ଦରଦିନ ତଳେ ପାନବରଜ କାମ କରିଥିଲେ। ହେଲେ ଏବେ ନିଜ ଆଖିଆଗରେ ଘର, ପାନବରଜ ସବୁ ଉଜୁଡିଗଲା। କେବଳ ଅଶୋକ ନୁହନ୍ତି ତାଙ୍କ ଭଳି ଜୟକୃଷ୍ଣ, ମାଗୁଣି, ସୁରେନ୍ଦ୍ରଙ୍କ ଭଳି ଅନେକ ପରିବାରର ଏଭଳି ଦୟନୀୟ ଅବସ୍ଥା। ସାତ ଦିନ ପରେ ବି ସରକାରୀ ବାବୁ, ରାଜନେତାଙ୍କ ପାଦ ଗାଁରେ ପାଦ ପଡୁନଥିବାରୁ ‘ସମ୍ବାଦ’ ଟିମ୍‌କୁ ଦେଖିବାପରେ ଓଳାଂଶ ଗ୍ରାମବାସୀ ନିଜର କ୍ଷୋଭ ଆଉ ଦୁଃଖ ବ୍ୟକ୍ତ କରିଥିଲା। ସବୁ ଉଜୁଡି ଗଲା, ଆମର ଆଉ କଣ ଅଛି... ମୁଗ ବିଲରେ ପଡି ପଚି ସଢିଗଲାଣି, ମାଛ ଗାଡିଆରେ ମରି ଭାସୁଛନ୍ତି... ଆଉ କଣ କହିବୁ ବୋଲି କହିଥିଲେ ଗ୍ରାମବାସୀ।

ଗୁରୁତର ଭାବେ ଫନିରେ କ୍ଷତିଗ୍ରସ୍ତ କଟକ ଜିଲ୍ଲାର ନିଆଳି ବ୍ଲକ୍‌ର ଅନେକ ଗ୍ରାମରେ ଏବେ ଏଭଳି ସ୍ଥିତି। ବ୍ଲକ୍‌ର ହେକ୍ଟର ହେକ୍ଟର ଚାଷ ଜମିରେ ଖରାଟିଆ ଧାନ, ମୁଗ, ବିରି ସବୁ ପଚିସଢି ଯାଇଥିବାବେଳେ ପାନବରଜର ଅବସ୍ଥା ନକହିବା ଭଲ। ସରକାରୀ ତଥ୍ୟ ଅନୁସାରେ ଏହି ବ୍ଲକ୍‌ରେ ୧୩ ହଜାରରୁ ଅଧିକ ଘର, ୧୪ ହଜାର ଗୁହାଳ ଘର ଭାଙ୍ଗିଯାଇଛି। ଅନେକ ଲୋକଙ୍କ ଚାଳଘର ମାଟିରେ ମିଶି ଯାଇଛି। କିନ୍ତୁ ୭ଦିନ ପରେ ନା କ୍ଷୟକ୍ଷତିର ଆକଳନ ପାଇଁ ସରକାରୀ ବାବୁଙ୍କ ପାଦ ଗାଁରେ ପଡିଛି ନା କାହାକୁ ପଲିଥିନ ଖଣ୍ଡିଏ ମିଳିଛି। ନିଜ ହାତରୁ କିଏ ପାଲ ଟାଣି ରହୁଛି ତ କିଏ ଗଛମୂଳରେ ନେଇଛି ଆଶ୍ରୟ। ଗୋଟିଏ ପଟେ ସରକାର କ୍ଷତିଗ୍ରସ୍ତଙ୍କ ପାଇଁ ଅନେକ ଘୋଷଣା କରୁଥିବାବେଳେ ବାସ୍ତବକ୍ଷେତ୍ରରେ ମୁଣ୍ଡ ଗୁଞ୍ଜିବାକୁ ପଲିଥିନ ଖଣ୍ଡିଏ ମଧ୍ୟ କାହାକୁ ଦିଆଯାଇ ନାହିଁ। ଦେଢଶହ କୁକୁଡା ଫାର୍ମ କ୍ଷତିଗ୍ରସ୍ତ ହୋଇଥିବାବେଳେ ହଜାର ହଜାର କୁକୁଡା ମରିଛନ୍ତି। ଓଳାଂଶ ଗ୍ରାମରେ ସୁମନ୍ତ ଓ ଶଶି ପଟେଲ ଦୁଇଟି ଗାଡିଆକୁ ଲିଜରେ ନେଇଥିଲେ। ସବୁ ମାଛ ମରି ଗାଡିଆରେ ଭାସିବା ସହ ଦୁର୍ଗନ୍ଧରେ ଅଞ୍ଚଳରେ ରହିବା ମୁସ୍କିଲ। ଏଭଳି ସଙ୍ଗୀନ ଓ ଦୟନୀୟ ସ୍ଥିତିରେ ସାତ ଦିନ ହେଲା ଜୀବନ ସଂଗ୍ରାମ ଚଳାଇଛନ୍ତି ନିଆଳି ବ୍ଳକ୍‌ର ଓଳାଂଶ, ମଝିଖଣ୍ଡ, ଦେବୀ-କନ୍ଦଳ ଦୀପାଞ୍ଚଳର ଅନେକ ଗାଁର ଅଧିବାସୀ। ଆଜି କିଛି ସ୍ଥାନରେ ସରକାରଙ୍କ ଘୋଷଣା ଅନୁସାରେ ୫ଶହ ଟଙ୍କା ପ୍ରଦାନ କରାଯାଇଛି। କିନ୍ତୁ ଚା‌ଉଳ ନଥିବାରୁ ଆସନ୍ତାକାଲି ଚାଉଳ ଦିଆଯିବ ବୋଲି କୁହାଯାଇଛି।

ସେହିପରି ନିଆଳି ବ୍ଲକ୍‌ର ପୂର୍ବଖଣ୍ଡ ମୁଣ୍ଡାସାହି‌େର ମଧ୍ୟ ସମାନ ଅବସ୍ଥ‌ା । ବାତ୍ୟା ପାଇଁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍କୁଲ ଘରେ ନେଇ ରଖାଯାଇଥିଲା। କିନ୍ତୁ ସେଠାରୁ ଫେରି ଦେଖିବାପରେ ଘର ସଂପୂର୍ଣ୍ଣ ଉଜୁଡି ଯାଇଛି। ପାଖାପାଖି ୫୦ରୁ ଉର୍ଦ୍ଧ୍ବଘର ମାଟିରେ ମିଶିଯାଇଥିବାବେଳେ କେବଳ ପଲିଥିନ ଖଣ୍ଡିଏ ମିଳିଛି । କିନ୍ତୁ ଅନ୍ୟ ସରକାରୀ ସହାୟତାରୁ ଏହି ବସ୍ତି ବାସିନ୍ଦା ବଂଚିତ। ସେମାନଙ୍କ ନାମରେ ଘରବାଡି ପଟ୍ଟା ନଥିବାରୁ ୧୯୯୯ ମହାବାତ୍ୟାରେ ମଧ୍ୟ ସେମାନଙ୍କୁ କିଛି ସହାୟତା ମିଳିନଥିବା କହିଛନ୍ତି ବସ୍ତିର କାଳିଆ ପିଙ୍ଗୁଏ, ରାମ ଗଇପୋଇ ଓ ଲଳି ଚାପ୍‌ଦାର। କେବଳ ଭୋଟ ଦେଉ, ହେଲେ ସରକାରୀ ରେକର୍ଡରୁ ଆମେ ବାଦ୍‌ ପଡୁବୋଲି କହିଛନ୍ତି ସେମାନେ। ସେହିପରି ଓଳାଂଶ, ମଝିଖଣ୍ଡ ଓ ଅନ୍ୟାନ୍ୟ ଗାଁରେ ବ୍ୟାପକଭାବେ ନଡା ଛପର ଘର, ଆଜବେ‌ଷ୍ଟସ ଘର ସବୁ ଉଡିଯାଇଥିବାବେଳେ ସେମାନଙ୍କ ଘର ୧୯୯୯ ମହାବାତ୍ୟାରେ ମଧ୍ୟ ସଂପୂର୍ଣ୍ଣ ଉଜୁଡିଯାଇଥିଲା ବୋଲି କହିଛନ୍ତି। କିନ୍ତୁ ସେମାନଙ୍କୁ ଆବାସ ଯୋଜନାରେ ପକ୍କାଘର ଖଣ୍ଡିଏ ଆଜି ପର୍ଯ୍ୟନ୍ତ ମିଳିପାରୁନାହିଁ। ଗାଁରେ ପାଣି ନାହିଁ, ବିଜୁଳି ନାହିଁ କି ମୋବାଇଲ କାମ କରୁନି। କେତେକ ଲୋକଙ୍କୁ ଦଳୀୟ ଭିତ୍ତିରେ ପଲିଥିନ ବଣ୍ଟାଯାଉଛି ବୋଲି ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ ଅଧିବାସୀ। ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ବ୍ଲକ୍‌ କାର୍ଯ୍ୟାଳୟରେ ବସି ରୁଦ୍ଧଦ୍ବାର ସମୀକ୍ଷା ବୈଠକ କରି ସରକାରଙ୍କୁ ରିପୋର୍ଟ ଦେଉଛନ୍ତି, କିନ୍ତୁ କେହି ବାସ୍ତବ ସ୍ଥିତି ଦେଖିବାକୁ ଆସିନଥିବା ଅଭିଯୋଗ କରିଛନ୍ତି ଓଳାଂଶର ଅଧିବାସୀ। ନିଆଳି ବ୍ଲକ୍‌ରେ ୧୦ ହଜାର ପାନବରଜ, ନଡିଆ, ବିଭିନ୍ନ ଫଳବଗିଚା ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏବେବ ଏମିତି ସ୍ଥିତି ଯେ, ଘରେ ଛଣ କରିବା ପାଇଁ ନଡା ମିଳୁନି। ନଡା ଦର ୬ ଦିନରେ ହଜାରେ ଟଙ୍କା ବଢି ୩ହଜାରରେ ପହଞ୍ଚିଛି। ତୁରନ୍ତ ନିଆଳି , କଣ୍ଟାପଡା ବ୍ଲକ୍‌ର କ୍ଷୟକ୍ଷତି ଆକଳନ କରାଯାଇ ‘ଏ’ ଗ୍ରେଡ୍‌ କ୍ଷତିଗ୍ରସ୍ତ ଅଂଚଳଭାବେ ଅଧିବାସୀଙ୍କୁ କ୍ଷତିପୂରଣ ଦେବା ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe