ଆଜିଠୁ ବର୍ଷା: ଗୋପାଳପୁର ପାଖ ଦେଇଯିବ ‘ଅସାନି’

Advertisment
ଆଜିଠୁ ବର୍ଷା: ଗୋପାଳପୁର ପାଖ ଦେଇଯିବ ‘ଅସାନି’

ପୁରୀ ବେଳାଭୂମିରେ ଅଟକି ରହିଛି ଡଙ୍ଗା

ଗୋପାଳପୁରଠୁ ୮୧ କିମି, ପୁରୀଠୁ ୯୨ କିମି ରହିବ ଦୂରତା
ତିନି ଜିଲ୍ଲାକୁ ୟେଲୋୱା‌ର୍ଣ୍ଣିଂ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଅସାନି’ ଗୋପାଳପୁର ଠାରୁ ମାତ୍ର ୮୧କିଲୋମିଟର ଦୂରରେ ଗତି କରିବ। ଓଡ଼ିଶାର ଉପକୂଳ ସହିତ ସମାନ୍ତରାଳ ଭାବେ ଗତିକରିବା ବେଳେ ଏତେ ନିକଟରେ ଆଉ କେଉଁଠାରେ ‘ଅସାନି’ ଘଷି ହୋଇଯିବାର ସୁଯୋଗ ନାହିଁ। ପାଣିପାଗ ବିଭାଗ ଆକଳନ କହୁଛି ଯେ ଏହା ପୁରୀଠାରୁ ୯୨ କିଲୋମିଟର ଦୂର ସମୁଦ୍ରରେ ଗତି କରିବ ଓ ରାଜଧାନୀ ଭୁବନେଶ୍ବର ପାଖରେ ପହଞ୍ଚିବା ବେଳେ ତାହା ସମୁଦ୍ର ଠାରୁ ୧୪୧ କିଲୋମିଟର ଦୂରରେ ଥିବ। ସବୁଠାରୁ ବଡ଼ କଥା ହେଲା, ଓଡ଼ିଶା ସୀମା ଛୁଇଁବା ପୂର୍ବରୁ ଭୀଷଣ ବାତ୍ୟା ରୂପ ଧାରଣ କରି ଉପକୂଳ ମୁହାଁଉଥିବା ‘ଅସାନି’ ଅବପାତ ରୂପ ନେଇସାରିଥିବ। ଏହି ରୂପ ଧରି ସେ ପୂରା ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଧିକ। ଆଜି ବାତ୍ୟା ପ୍ରଭାବ ଓଡ଼ିଶାର ଆକାଶରେ ସାମାନ୍ୟ ପରିଲକ୍ଷିତ ହୋଇଛି। ଆସନ୍ତାକାଲି କିନ୍ତୁ ଉପକୂଳ ଓଡ଼ିଶା ବାତ୍ୟାର ପ୍ରଭାବ ଅନୁଭବ କରିବେ। ମୁଖ୍ୟତଃ ୧୧ ଓ ୧୨ ତାରିଖରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ (ସ୍ଥଳବିଶେଷରେ ଘଣ୍ଟା ପ୍ରତି ୬୦ କିଲୋମିଟର ଛୁଇଁପାରେ) ଏବଂ କିଛି ଅଞ୍ଚଳରେ ବଡ ବର୍ଷା ହେବ। ଯଦିଓ ବାତ୍ୟା ସ୍ଥଳଭାଗ ଛୁଇଁବନି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ତଥାପି ଯେକୌଣସି ପରିସ୍ଥିତି ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଥିବା ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା କହିଛନ୍ତି।

publive-image

ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ର ସୂଚନାନୁଯାୟୀ, ୧୦ ତାରିଖ ସଂଧ୍ୟାରେ ‘ଅସାନି’ ଉତ୍ତର-ଆନ୍ଧ୍ର ଉପକୂଳରୁ ଦିଗ ବଦଳାଇବା ଆରମ୍ଭ କରିବ। ଏହା ଉତ୍ତର-ପଶ୍ଚିମ ମୁହାଁ ହୋଇ ଓଡ଼ିଶା ଉପକୂଳରେ ସମାନ୍ତରାଳ ଭାବେ ସମୁଦ୍ର ଭିତରେ ଉତ୍ତର-ପୂର୍ବ ଦିଗରେ ଗତି କରିବ। ଏବେ ଭୀଷଣ ସାମୁଦ୍ରିକ ଝଡ଼ ଭାବେ ଉପକୂଳମୁହାଁ ହେଉଥିବା ବେଳେ କ୍ରମଶଃ ଏହା ସାମୁଦ୍ରିକ ଝଡ଼ ଓ ପରେ ଅବପାତରେ ପରିଣତ ହେବ। ‘ଅସାନି’ ପ୍ରଭାବରେ ଆଜି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଆରମ୍ଭ ହୋଇଯାଇଛି। ଆସନ୍ତାକାଲିଠାରୁ ବର୍ଷାର ବିସ୍ତୃତି ବଢ଼ିବ। ଆସନ୍ତାକାଲି ଗଜପତି, ଗଞ୍ଜାମ ଓ ପୁରୀର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ୧୧ତାରିଖ ଦିନ ଗଞ୍ଜାମ, ଖୋର୍ଧା, ଜଗତ୍‌ସିଂହପୁର ଓ ପୁରୀର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସହ ୧୨ତାରିଖ ଦିନ ମଧ୍ୟ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା ଓ ବାଲେଶ୍ବରର କେତେକ ସ୍ଥାନରେ ବର୍ଷା ହେବ।

publive-image republicworld.com

ଏଣୁ ଆସନ୍ତା ୩ ଦିନ ପାଇଁ ଆଇଏମ୍‌ଡି ପକ୍ଷରୁ ଉକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଉତ୍ତର-ପଶ୍ଚିମ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳ, ୧୧ ତାରିଖ ବେଳକୁ ଉତ୍ତର-ପଶ୍ଚିମ ତତ୍‌ସଂଲଗ୍ନ ଉତ୍ତର-କେନ୍ଦ୍ରୀୟ ବଙ୍ଗୋପସାଗର ଓ ୧୨ତାରିଖ ଦିନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଧିକ ଅଶାନ୍ତ ରହିବ। ଏଣୁ ୧୨ ତାରିଖ ଯାଏ ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି।
ପଶ୍ଚିମ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରି ସନ୍ଧ୍ୟା ବେଳକୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୩୯୦ କିମି ଏବଂ ଦକ୍ଷିଣ ଦିଗରେ ଗୋପାଳପୁର ଠାରୁ ୫୧୦ କିଲୋମିଟର ଏବଂ ପୁରୀଠାରୁ ୫୮୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିଲା। ଏହା ଉତ୍ତର-ପଶ୍ଚିମ ଦିଗରେ ଗତିପଥ ବଜାୟ ରଖିବା ସହ ୧୦ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସମୁଦ୍ର ମଧ୍ୟରେ ଉତ୍ତର-ଆନ୍ଧ୍ର ଓ ଓଡ଼ିଶା ଉପକୂଳ ପହଞ୍ଚିବାର ସମ୍ଭାବନା ରହିଛି।

publive-image Current Affairs

ଏହା ପରବର୍ତ୍ତୀ ସମୟରେ ଗତିପଥ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବା ସହ ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସମୁଦ୍ର ମଧ୍ୟରେ ଓଡ଼ିଶା ଉପକୂଳମୁହାଁ ହେବ। ଆଗାମୀ ୩୬ ଘଣ୍ଟା ମଧ୍ୟରେ ଏହା ଧୀରେଧୀରେ ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ଏକ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ବୋଲି ଆଇଏମ୍‌ଡି କହିଛି। ତେବେ ଓଡ଼ିଶାରେ ବାତ୍ୟା ଲ୍ୟାଣ୍ଡଫଲ୍‌ ନ କଲେ ବି ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ।

ଆମେରିକାର ପାଣିପାଗ ସଂସ୍ଥା ଜଏଣ୍ଟ ଟାଇଫୁନ୍ ୱାର୍ଣ୍ଣିଂ ସେଣ୍ଟର (ଜେଟିଡବ୍ଲୁସି)ର ଆକଳନ ବାତ୍ୟାର ଭିନ୍ନ ଗତିପଥକୁ ଦର୍ଶାଉଛି। ଜେଟିଡବ୍ଲୁସିର ଆକଳନ ଅନୁଯାୟୀ, ବାତ୍ୟା ୧୧ ତାରିଖ ସକାଳେ ଆନ୍ଧ୍ରର ବିଶାଖାପାଟଣାଠାରେ ଆଂଶିକ ଭାବେ ସ୍ଥଳଭାଗ ଛୁଇଁବ। କିନ୍ତୁ ପଶ୍ଚିମା ଶୁଷ୍କବାୟୁ ପ୍ରଭାବରେ ଏହା ତେର୍‌ଛା ଭାବେ ଦିଗ ପରିବର୍ତ୍ତନ କରିବ ଓ ଉତ୍ତର-ପୂର୍ବ ଦିଗରେ ଗତି କରିବ। ଏହା କ୍ରମେ ଦୁର୍ବଳ ହୋଇ ବାଂଲାଦେଶ ଉପକୂଳମୁହାଁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe