୧୦ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ବାତ୍ୟା ରୂପ ନେବ କି ନାହିଁ ଏବେ ବି ଅସ୍ପଷ୍ଟ

Advertisment
୧୦ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ବାତ୍ୟା ରୂପ ନେବ କି ନାହିଁ ଏବେ ବି ଅସ୍ପଷ୍ଟ

Skymet Weather

ଭୁବନେଶ୍ବର : ମାଡ଼ି ଆସୁଛି ଆଉ ଏକ ବାତ୍ୟା। ଗତବର୍ଷ ବାତ୍ୟା ‘ଅମ୍ଫାନ’ ଭଳି ଏହା ମଧ୍ୟ ଶକ୍ତିଶାଳୀ ହେବ। ମେ’ ଦ୍ବିତୀୟ ସପ୍ତାହ ଅର୍ଥାତ ପ୍ରାୟ ୧୩ ତାରିଖ ବେଳକୁ ଏହି ବାତ୍ୟା ଆସିପାରେ। କିଛି ମ‌ଡେଲ୍‌ ଏମିତି ପୂର୍ବାନୁମାନ କରିଛନ୍ତି। ଆମେରିକାର ଗ୍ଲୋବାଲ୍‌ ଫୋର୍‌କାଷ୍ଟ୍‌ ମଡେଲର ସୂଚନା ମୁତାବକ, ମେ’ ୧୦ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରବର୍ତ୍ତୀ ମୁହୂର୍ତ୍ତରେ ଏହା ଘନୀଭୂତ ହୋଇ ୧୨ ତାରିଖ ବେଳକୁ ଲଘୁଚାପରେ ଓ ଅଧିକ ଘନୀଭୂତ ହୋଇ ୧୩ ତାରିଖ ଆଡ଼କୁ ବାତ୍ୟାର ରୂପ ନେବ। ଏହା ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ଉପକୂଳ ଛୁଇଁବାର ଆଶଙ୍କା ରହିଛି। ଅପର ପକ୍ଷରେ ଆଉ କିଛି ମଡେଲ ଆକଳନ କରୁଛନ୍ତି ଯେ ଏହା କେବଳ ଘୂର୍ଣ୍ଣିବଳୟରେ ସୀମିତ ରହିବ। ବାତ୍ୟାର ରୂପ ନେବାର ସମ୍ଭାବନା ନାହିଁ।

ସାଧାରଣତଃ ମେ’ ଓ ଅକ୍ଟୋବର ଆସିଲେ ଓଡ଼ିଶ‌ା‌ବାସୀଙ୍କ ମନରେ ଛନକା ପଶେ। ବାତ୍ୟାପ୍ରବଣ ଓଡ଼ିଶାରେ ଏହି ଦୁଇ ମାସରେ ବଡ଼ ଧରଣର ବାତ୍ୟା ଆସିଥାଏ। ଲଗାତର ଭାବେ ଏମିତି ବାତ୍ୟା ଓଡ଼ିଶାବାସୀଙ୍କୁ ଡରାଇ ଚାଲିଛି। ତେବେ ମେ’ ଆରମ୍ଭ ହେଉ ହେଉ ଆଉ ଏକ ବାତ୍ୟା ସୃଷ୍ଟିର ସୂଚନା ରାଜ୍ୟବାସୀଙ୍କ ଶଙ୍କାଗ୍ରସ୍ତ କଲାଣି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ବର୍ତ୍ତମାନ ଓଡ଼ିଶାକୁ କୌଣସି ବାତ୍ୟାର ସମ୍ଭାବନା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ନାହିଁ। ବଙ୍ଗୋପସାଗରରେ ସେଭଳି କିଛି ସିଷ୍ଟମ୍‌ ସୃଷ୍ଟି ହେଲେ ଆମେ ଖୁବ୍‌ ଶୀଘ୍ର ସୂଚନା ଦେବୁ ବୋଲି ସେ କହିଛନ୍ତି।

ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ୧୦ ଓ ୧୧ ତାରିଖ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। କିନ୍ତୁ ଏହା ବାତ୍ୟା ରୂପ ନେବାର ଏଯାଏ କୌଣସି ସମ୍ଭାବନା ପ୍ରକାଶ ପାଇ ନାହିଁ। ମୌସୁମୀ ଆସିବା ପୂର୍ବରେ ଏମିତି ଅନେକଗୁଡ଼ିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୁଏ। ଆଉ ଏହି ସବୁ ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ସକ୍ରିୟ କରିବାରେ ସାହାଯ୍ୟ କରେ। ତେବେ ସାମ୍ଭାବ୍ୟ ଘୂର୍ଣ୍ଣିବଳୟ କେଉଁ ରୂପ ନେବ ସେ ନେଇ ୩/୪ ଦିନ ପରେ ଅଧିକ ସ୍ପଷ୍ଟ କହିହେବ ବୋଲି ଶ୍ରୀ ସାହୁ କହିଛନ୍ତି। ତେବେ ଏବେ ବାତ୍ୟା ନେଇ କୌଣସି ସୂଚନା ନ ଥିବା ସେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe