Image Courtesy of India Today
ଭୁବନେଶ୍ବର: ଗଭୀର ଅବପାତ ପାଲଟି ଆଜି ମଧ୍ୟାହ୍ନ ବେଳକୁ ପୁରୀ ନିକଟବର୍ତ୍ତୀ ହେବାକୁ ଥିବା ସାମୁଦ୍ରିକ ବାତ୍ୟା ‘ଜୱାଦ’ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ରହିବା ସହ କୋହଲା ପବନ ସାଙ୍ଗକୁ ଲଗାଣ ବର୍ଷା ଚାଲିଛି।
ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ କହିବା ଅନୁସାରେ, ସମ୍ପ୍ରତି ବାତ୍ୟା ଜୋୱାଦ ଦୁର୍ବଳ ହେବାରେ ଲାଗିଛି। ଏହା ଆହୁରି ଦୁର୍ବଳ ହୋଇଚାଲିବ। ଏବେ ଏହା ଗଭୀର ଅବପାତ ପାଲଟି ଉତ୍ତର- ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୧କିଲୋମିଟର ବେଗରେ ଗତି କରୁଛି। ବିଶାଖପାଟଣାର ପୂର୍ବ-ଦକ୍ଷିଣ ପୂର୍ବକୁ ୧୮୦ କିଲୋମିଟର, ଗୋପାଳପୁରର ଦକ୍ଷିଣକୁ ୨୦୦ କିଲୋମିଟର, ପୁରୀର ପୂର୍ବ-ଦକ୍ଷିଣପୂର୍ବକୁ ୨୭୦ କିଲୋମିଟର ଏବଂ ପାରାଦୀପର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୨୭୦ କିଲୋମିଟର ଦୂରରେ ରହିଛି ।
Image Courtesy of The Hinduଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ପ୍ରାପ୍ତ ସଦ୍ୟ ସୂଚନା ଅନୁସାରେ, ଆଜି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା ଏବଂ ଭୁବନେଶ୍ବର ଏବଂ କଟକ ସହର ସମେତ କଟକ ଜିଲ୍ଲାରେ ଆଗାମୀ ଦୁଇ ତିନି ଘଣ୍ଟା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ବର୍ଷା ବର୍ଷିବାର ସମ୍ଭାବନା ରହିଛି। କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ତୁହାକୁ ତୁହା ବୃଷ୍ଟିପାତ ହେବାର ସମ୍ଭାବନା ମଧ୍ୟ ରହିଛି। ଏଥିପାଇଁ ସମ୍ପୃକ୍ତ ଅଞ୍ଚଳରେ ‘ଅରେଞ୍ଜ୍ ୱାର୍ଣ୍ଣିଙ୍ଗ୍’ ଜାରି ହୋଇଛି।
ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା, କେବେ କେମିତି କମ୍ ଦୃଶ୍ୟତା ଯୋଗୁଁ ନଗରାଞ୍ଚଳଗୁଡ଼ିକରେ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ, ପ୍ରଭାବିତ ଅଞ୍ଚଳକୁ ପାଣିପାଗ କେନ୍ଦ୍ର ତରଫରୁ ସତର୍କ କରାଇ ଦିଆଯିବା ସହ ଜମିଥିବା ମାତ୍ରାଧିକ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବା ଲାଗି ପ୍ରଶାସନକୁ ନିର୍ଦେଶ ଦିଆଯାଇଛି।
ଗତ ୨୩ ଘଣ୍ଟା ମଧ୍ୟରେ ଗୋପାଳପୁରରେ ୬୦, ପାରାଦୀପରେ ୪୬, ଚାନ୍ଦବାଲିରେ ୨୮, ଭୁବନେଶ୍ବରରେ ୨୪ ଏବଂ ପୁରୀରେ ୨୧ ମିଲିମିଟର୍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।
Follow Us