ଆନ୍ଧ୍ର-ଓଡିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା, ଅତିକ୍ରମ ବେଳେ ଘଣ୍ଟା ପିଛା ୫୦ କିମି ବେଗରେ ବହିପାରେ ପବନ: ଏସ୍‌ଆରସି

ଆନ୍ଧ୍ର-ଓଡିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା, ଅତିକ୍ରମ ବେଳେ ଘଣ୍ଟା ପିଛା ୫୦ କିମି ବେଗରେ ବହିପାରେ ପବନ: ଏସ୍‌ଆରସି

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’ ଅଜି ସନ୍ଧ୍ୟାରେ ପୁରୀ ଠାରୁ ୯୨୦ କିମି  ଦୂରରେ ଅବସ୍ଥାନ କରିଛି। ପାଣିପାଗ ବିଭାଗ ଯାହା ପୂର୍ବାନୁମାନ କରିଛି ଏହା ଆନ୍ଧ୍ରପ୍ରଦେଶ-ଓଡିଶା ଉପକୂଳ ଛୁଇଁବ ନାହିଁ। ୯୦ରୁ ୧୦୦ କିମି ଦୂର ଦେଇ ବାତ୍ୟା ଯାଇପାରେ। ସେହିପରି ବାତ୍ୟା ସମୟରେ ଘଣ୍ଟାପିଛା ପବନର ବେଗ ୪୦ରୁ ୫୦ କିମି ହୋଇପାରେ। ସାମ୍ବାଦିକ ସମ୍ମିଳନୀରେ ରବିବାର ସନ୍ଧ୍ୟାରେ ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି।

ଏସ୍‌ଆରସି କହିଛନ୍ତି ‌ଯେ,  ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ପାଇଁ ବନ୍ୟା ଭଳି ସ୍ଥିତି ଉପୁଜିବ ବୋଲି ଆଶଙ୍କା ନାହିଁ । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ବାତ୍ୟା ପାଇଁ ଚିଲିକାରେ ବି ବୋଟ ଚଳାଚଳ ବନ୍ଦ ରହିବ । ଚଳିଆ ଅଞ୍ଚଳ ପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନ ପକ୍ଷରୁ ନଜର ରଖାଯିବ । ଗଞ୍ଜାମ, ପୁରୀ, ସାତପଡା, ବାଲେଶ୍ୱର, ଭଦ୍ରକରେ ଓଡ୍ରାଫ ଟିମ ରହିବ । ବାତ୍ୟା ମୁକାବିଲା ପାଇଁ ଉଭୟ ସରକାର ଓ ପ୍ରଶାସନ ପ୍ରସ୍ତୁତ ଅଛି।

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ର ଗଭୀର ଅବପାତ ରୂପ ନେଇଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆଜି ସନ୍ଧ୍ୟା ସୁଦ୍ଧା ଅବପାତ ଭୀଷଣ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି । ଘଣ୍ଟା ପ୍ରତି ଏହା ୧୪ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ପୁରୀଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୯୩୦ କିଲୋମିଟର ଓ ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୮୫୦ କିଲୋମିଟର ଦୂରରେ ରହିଛି । ୧୦ ତାରିଖ ସଂଧ୍ୟାରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ନିକଟ ସମୁଦ୍ରରେ ପହଞ୍ଚିବ । ଏହା ପରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ରିକର୍ଭ କରିବ ବାତ୍ୟା । ଉତ୍ତର-ଉତ୍ତର-ପୂର୍ବ ଦିଗରେ ମୁହାଁଇବା ସମ୍ଭାବନା ରହିଛି ।

ବାତ୍ୟା ପ୍ରଭାବରେ ଆସନ୍ତା ୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ୧୧ ତାରିଖରେ ୫ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ୧୨ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ରହିବା ସହ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ବାଲେଶ୍ଵର, ଭଦ୍ରକ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବା ପରେ ପବନର ବେଗ ବଢ଼ିବ । ଏହା ସହ ୪ଟି ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe