ଭୁବନେଶ୍ୱର: ବାତ୍ୟା ତିତ୍ଲିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଠାରୁ ୪ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସଚିବାଳୟ ଠାରେ ଏକ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ସ୍କୁଲ ଓ କଲେଜ ଗୁଡ଼ିକ ବନ୍ଦ ରହିବ। ସେହିଭଳି ଏହି ସବୁ ଜିଲ୍ଲାମାନଙ୍କରେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ମଧ୍ୟ ବନ୍ଦ ରହିବ। ତିତଲି ପରସ୍ଥିତି ଦେଖି ବୁଧବାର ଅନ୍ୟ ଜିଲ୍ଲାମାନଙ୍କରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ କି ନାହିଁ ତାହା ନିଷ୍ପତ୍ତି ହେବ।
ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି ଯେ ଆସନ୍ତା କାଲି ରାଜ୍ୟର ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହେବ ବୋଲି ସେହି ସବୁ ଜିଲ୍ଲା ପାଇଁ ରେଡ୍ ଓ୍ଵର୍ଣ୍ଣିଂ ଦିଆଯାଇଛି। ସେହିପରି ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦିଆଯାଇଛି।ତେବେ ପରଦିନ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ। ୧୧ ତାରିଖରେ ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି ,ଖାର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଭଦ୍ରକ, ଗଞ୍ଜାମ ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ଢ଼େଙ୍କାନାଳ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହେବ ବୋଲି ଏହି ୧୫ଟି ଜିଲ୍ଲା ପାଇଁ ରେଡ ଓ୍ଵାର୍ଣ୍ଣିଂ ନୋଟିସ ଜାରି କରିଛି ପାଣିପାଗ ବିଭାଗ।
  
 Follow Us