ରିଲିଫ୍ ପାଇଁ ହଙ୍ଗାମା : ୩ ଘଣ୍ଟା ପୁରୀ-କୋଣାର୍କ ରାସ୍ତାରୋକ, ଷ୍ଟକ୍‌ରୁମ୍‌ରୁ ଜରିପାଲ ଲୁଟିନେଲେ

ରିଲିଫ୍ ପାଇଁ ହଙ୍ଗାମା : ୩ ଘଣ୍ଟା ପୁରୀ-କୋଣାର୍କ ରାସ୍ତାରୋକ, ଷ୍ଟକ୍‌ରୁମ୍‌ରୁ ଜରିପାଲ ଲୁଟିନେଲେ

ପୁରୀ : ବାତ୍ୟା ‘ଫନି’ର କଷଣ ଲୋକଙ୍କୁ କଲବଲ କରୁଥିବା ବେଳେ ଖାଦ୍ୟ ପାଇଁ ଚାରିଆଡ଼େ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ରିଲିଫ୍ ବଣ୍ଟନରେ ପ୍ରଶାସନିକ ଅବହେଳା ଚରମସୀମାରେ ପହଞ୍ଚିଛି। ଯାହା ବାତ୍ୟା ବିପନ୍ନଙ୍କ ଅସନ୍ତୋଷ ନିଆଁରେ ଘିଅ ଢ଼ାଳିଛି। ଚାରିଆଡ଼େ ପ୍ରଶାସନିକ ଅବହେଳାକୁ ନେଇ ଆନ୍ଦୋଳନ ମୁଣ୍ଡ ଟେକିଛି। ରିଲିଫ୍ ବଣ୍ଟନରେ ପ୍ରଶାସନିକ ଅବହେଳାକୁ ନେଇ ଗତକାଲି ପୁରୀ ସହର ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଯାତାୟାତ ପାଇଁ ଲୋକେ ଘୋର ଦୁର୍ଦ୍ଦଶା ଭୋଗିଥିଲେ। ଆଜି ବି ସମାନ ପରିସ୍ଥିତି ଉପୁଜିଛି। ରିଲିଫ୍ ପାଇଁ ବେଲଦଳ ଛକରେ ଉତ୍ତ୍ୟକ୍ତ ଲୋକେ ପୁରୀ-କୋଣାର୍କ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଘଣ୍ଟା ଘଣ୍ଟା ଧରି ରାସ୍ତାରୋକ ଫଳରେ ଶହ ଶହ ଗାଡ଼ି ରାସ୍ତାର ଦୁଇପାର୍ଶ୍ବରେ ଅଟକି ରହିଥିଲା। କେବଳ ସେତିକି ନୁହେଁ, ଆମ୍ବୁଲାନ୍ସ, ଏନ୍‌ଡିଆରଏଫ୍ ଟିମଙ୍କୁ ବି କଲବଲ ହେବାକୁ ପଡ଼ିଥିଲା। ତ୍ବରିତ ରିଲିଫ୍ ଯୋଗାଣ ନେଇ ପ୍ରଶାସନିକ ପ୍ରତିଶ୍ରୁତି ପରେ ଅବରୋଧ ହଟିଥିଲା।

publive-image

ଅନ୍ୟପଟେ ଆଜି ଅପରାହ୍ଣରେ ପୁରୀ ଆଇଟିଆଇ ପରିସରରେ ଅଭାବନୀୟ ପରିସ୍ଥିତି ଉପୁଜିଛି। ଏଠାରେ ଖୋଲିଥିବା ଅସ୍ଥାୟୀ ରିଲିଫ୍ ଷ୍ଟକରୁମଠାରୁ ବାତ୍ୟା ବିପନ୍ନମାନେ ବଣ୍ଟାଯିବାକୁ ଥିବା ଜରିପାଲ ସବୁ ଲୁଟି ନେଇଛନ୍ତି। ଏହି ଷ୍ଟକରୁମରେ ପୁରୀ ସଦର ବ୍ଲକର ବିପନ୍ନଙ୍କ ପାଇଁ ଚାଉଳ, ଜରିପାଲ ଆଦି ରିଲିଫ୍ ସାମଗ୍ରୀ ମହଜୁଦ ରଖାଯାଇଥିଲା। ଅପରାହ୍ଣରେ ଏହା ବାଣ୍ଟିବାକୁ ସଦର ବ୍ଲକକୁ ଗାଡ଼ିରେ ଲଦି ନେବା ସମୟରେ ପେଣ୍ଠକଟା ବସ୍ତିର ବାତ୍ୟା ବିପନ୍ନମାନେ ହଠାତ୍ ସେଠାରେ ପହଞ୍ଚି ଯାଇଥିଲେ। ଚାହୁଁ ଚାହୁଁ ଏକ ଟ୍ରାକ୍ଟର ଭର୍ତି ଜରିପାଲ ଲୁଟି ନେଇଥିଲେ। ପରେ ପୁଲିସ ସୁରକ୍ଷା ବଳୟରେ ରିଲିଫ୍ ସାମଗ୍ରୀ ସଦର ବ୍ଲକକୁ ପଠା ଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ଆଜି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଯେଉଁ ଜରିପାଲ ୧୦ ଜଣରୁ ଅଧିକ ଲୋକଙ୍କୁ ବଣ୍ଟା ହେବାର ଥିଲା, ତାକୁ ଜଣେ ଜଣେ ଲୋକ ବୋହି ନେଇଥିଲେ। ସୂଚନାଯୋଗ୍ୟ, ପେଣ୍ଠକଟାଠାରେ ଏକ ରିଲିଫ୍ ଗାଡ଼ିରୁ ଗତ ୫ ତାରିଖରେ ବାତ୍ୟା ବିପନ୍ନମାନେ ରିଲିଫ୍ ସାମଗ୍ରୀ ଲୁଟି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe