ଖଡ଼ିବିଲ ଗାଁରେ ‘ୟାସ’ର ପ୍ରଭାବ: ଭସାଇ ନେଲା ୮୦ ପରିବାରର ଭାତହାଣ୍ଡି

Advertisment
ଖଡ଼ିବିଲ ଗାଁରେ ‘ୟାସ’ର ପ୍ରଭାବ: ଭସାଇ ନେଲା ୮୦ ପରିବାରର ଭାତହାଣ୍ଡି

ଭୋଗରାଇ : ଭୋଗରାଇ ବ୍ଲକରେ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ଼ ‘ୟାସ’। ଯେତିକି ଦୁଃଖ ବାତ୍ୟା ଦେଇଛି ତାଠୁଁ ଅଧିକ ଦୁର୍ଦ୍ଦଶା ଦେଇଯାଇଛି ସମୁଦ୍ରର ଲୁଣି ଜୁଆର। ଧୋଇ ନେଇଛି ସମୁଦ୍ରକୂଳରେ ଥିବା ଶ୍ରଦ୍ଧାପୁର ପଞ୍ଚାୟତ ଖଡ଼ିବିଲ ଗାଁର ୮୦ରୁ ଅଧିକ ପରିବାରର ସବୁକିଛି। ମାତ୍ର କେଇଘଣ୍ଟା ମଧ୍ୟରେ ଝାଟିମାଟି ଘରସବୁକୁ ଧରାଶାୟୀ କରିବା ସହ ଧାନ, ଚାଉଳ, ଲୁଗାପଟା ସମେତ ଘରର ଆସବାବପତ୍ର ସବୁ ଜୁଆର ପାଣିରେ ଭାସି ଯାଇଥିବା ଦେଖିବାକୁ ମିଳିଛି।

ବଙ୍ଗୋପସାଗର କୂଳରେ ଅବସ୍ଥିତ ଖଡ଼ିବିଲ ଗାଁରେ ୧୦୦ରୁ ଅଧିକ ପରିବାର। ସମୁଦ୍ରରେ ମାଛ, କଙ୍କଡ଼ା ଧରିବା ଏବଂ ଏହାର ବ୍ୟବସାୟ କରିବା ଏମାନଙ୍କର ମୁଖ୍ୟ ଜୀବିକା। ମାତ୍ର ସରକାରଙ୍କ ସବୁ ଯୋଜନା ଏହି ପରିବାରଙ୍କ ପାଇଁ ଅପହଞ୍ଚ ପାଲଟିଛି। ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ବି ଏପର୍ଯ୍ୟନ୍ତ କାହାକୁ ସରକାରୀ ଯୋଜନାର ଘରଟିଏ ମିଳିପାରିନି କି ଗାଁକୁ ଗମନାଗମନର ବ୍ୟବସ୍ଥା ମଧ୍ୟ ନାହିଁ। ପ୍ରତିବର୍ଷ ବର୍ଷା ଋତୁରେ କିମ୍ବା ବାତ୍ୟା ବନ୍ୟା ଆସିଲେ ଏମାନଙ୍କର ଦୁଃଖ ଦ୍ବିଗୁଣିତ ହୋଇଯାଏ। ମାତ୍ର ଛାତିକୁ ପଥର କରି ଅନେକଥର ଏମାନେ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିଛନ୍ତି। ଦୀର୍ଘବର୍ଷ ଧରି ଏହି ଲୋକମାନେ ଏଠାରେ ବସବାସ କରିଆସୁଥିଲେ ହେଁ ଏବର୍ଷ ବାତ୍ୟା ‘ୟାସ’ ପ୍ରଭାବରେ ହୋଇଥିବା ସମୁଦ୍ରର ଏପରି କରାଳ ରୂପ କେବେବି ସାମ୍‌ନା କରିନଥିବା କହିଛନ୍ତି ଗାଁର ବୟସ୍କା ମହିଳା ସାବିତ୍ରୀ ଦଳାଇ।

ପୂର୍ବରୁ ବାତ୍ୟା କିମ୍ବା ବନ୍ୟା ବେଳେ ସେମାନେ ଘରେ ରହିଆସୁଥିଲେ। ସେମିତି ଜରୁରୀ ପରିସ୍ଥିତି ଆସିଲେ ପ୍ରଶାସନର ନିର୍ଦ୍ଦେଶରେ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଉଥିଲେ। ପରିସ୍ଥିତି ସ୍ବାଭାବିକ ହେବା ପରେ ସେମାନେ ପୁଣି ନିଜ ନିଜ ଘରକୁ ଫେରିଆସୁଥିଲେ। ଏଥର ବାତ୍ୟା ‘ୟାସ’ର ପ୍ରଭାବ ତାଙ୍କ ଗ୍ରାମରେ ପଡ଼ିପାରେ ବୋଲି ଜାଣିବା ପରେ ସେମାନେ ସମସ୍ତେ ନିକଟସ୍ଥ ବିଦ୍ୟାଳୟରେ ହୋଇଥିବା ଅସ୍ଥାୟୀ ଆଶ୍ରୟ ସ୍ଥଳୀରେ ରହିଥିଲେ। ମାତ୍ର ବାତ୍ୟା ସହିତ ଏଭଳି ସମୁଦ୍ର ଜୁଆର କେବେ ମାଡ଼ି ଆସିବ ଏବଂ ସେମାନଙ୍କ ଭିଟାମାଟିକୁ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶାଇଦେବ ଏକଥା ସେମାନେ କେବେବି ଭାବିନଥିବା ଗ୍ରାମବାସୀ କହିଛନ୍ତି। ଏବେ ଗାଁକୁ ଯିବାବେଳକୁ କାହା ଜାଗା କେଉଁଠି ଜଣାପଡ଼ୁନଥିବା ବେଳେ ଘରେ ଥିବା ଧାନଚାଉଳ, ଲୁଗାପଟା, ଗୃହପାଳିତ ପଶୁ, ଟଙ୍କା ପଇସା, କାଗଜପତ୍ର ଏବଂ ଭାତହାଣ୍ଡି ପାଲଟିଥିବା ଡଙ୍ଗା କେଉଁଆଡ଼େ ନିଶ୍ଚିହ୍ନ ହୋଇଯାଇଥିବା ଦେଖାଯାଇଛି। ତେବେ ବର୍ତ୍ତମାନ ସେମାନେ ଖାଇବେ କଣ ଓ ରହିବେ କିପରି ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି।

ତେବେ ସେମାନଙ୍କ ନିକଟ‌ରେ ଏପର୍ଯ୍ୟନ୍ତ ପ୍ରଶାସନ ପହଞ୍ଚି ପାରିନଥିବା ବେଳେ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଗ୍ରାମର ସୁକୁଲ ଟୁଡୁ, ଅଧିର ମଣ୍ଡଳ, ଆଲୋକ ବେହେରା, ନେତ୍ର ମଣି ବେହେରା, ଦୀନବନ୍ଧୁ ବେହେରା, ପ୍ରଫୁଲ୍ଲ ପାତ୍ର, ସୁଧୀର ମଣ୍ଡଳ, ବାଦଲ ପଟ୍ଟାୟତ, ସୁଶାନ୍ତ ଜେନା, ହେମନ୍ତ ଜେନା, ବନମାଳୀ ଦାସ, ଅରୁଣ ଦାସ ପ୍ରମୁଖ ସରକାରଙ୍କୁ ଆକୁଳ ନିବେଦନ କରି ସରକାରୀ ସହାୟତା ଓ ସ୍ଥାୟୀ ପକ୍କାଘର ଯୋଗାଇ ଦେବାକୁ କହିଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ସରପଞ୍ଚ ପଞ୍ଚାନନ କୁଣ୍ଡୁ ଏବଂ ସମିତି ସଭ୍ୟ ସୁଶାନ୍ତ ନାୟକ ଆଜି ବିପନ୍ନ ନିକଟ‌ରେ ପହଞ୍ଚି କ୍ଷୟକ୍ଷତିର ଅନୁଧ୍ୟାନ କରିବା ସହ ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କ ପାଇଁ ଖାଦ୍ୟପାନୀୟର ବ୍ୟବସ୍ଥା କରିଛନ୍ତି। ଏଥିସହ ଖୁବଶୀଘ୍ର ଗ୍ରାମବାସୀଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିବା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe