ସୁନ୍ଦରଗଡ଼ ଜିଲ୍ଲାରୁ ଅତିକ୍ରମ କଲା ୟାସ୍; ଭାଙ୍ଗିଲା ଘର, ଦବିଲା ପ୍ରମୁଖ ରାସ୍ତା

୯୫ ଆଶ୍ରୟସ୍ଥଳୀରୁ ଘରକୁ ଫେରିଲେ ୨,୬୬୫ ଲୋକ

ସୁନ୍ଦରଗଡ଼ ଜିଲ୍ଲାରୁ ଅତିକ୍ରମ କଲା ୟାସ୍; ଭାଙ୍ଗିଲା ଘର, ଦବିଲା ପ୍ରମୁଖ ରାସ୍ତା

ରାଉରକେଲା : ତାଣ୍ଡବ ରଚି ଚାଲିଯାଇଛି ବାତ୍ୟା ୟାସ୍। ଏହାର ପ୍ରଭାବରେ ଗତ ଦୁଇ ଦିନ ଜିଲ୍ଲାରେ ଜାରି ରହିଥିବା ଲଗାଣ ବର୍ଷା ଓ ପବନ ସମ୍ପୂର୍ଣ୍ଣ ଥମି ଯାଇଛି। ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି କୋଇଡା, ଲହୁଣୀପଡା, ବିଶ୍ରା, ଗୁରୁଣ୍ଡିଆ, ନୂଆଗାଁ ଓ କୁଆରମୁଣ୍ଡା। କେତେକ ସ୍ଥାନରେ କଚା ଘର ମାଟିରେ ମିଶିଯାଇଛି। ଜଳମଗ୍ନରେ ଗୃହବନ୍ଦୀ ହୋଇଛି କିଛି ବ୍ଲକର ତଳି ଅଞ୍ଚଳ। ବହୁ ଘର, ଦୋକାନରେ ବର୍ଷା ପାଣିରେ ଲହଡି ମାରୁଛି। ବାଦ୍ ପଡିନି ସ୍ମାର୍ଟ ସିଟି ରାଉରକେଲା।ସହର ପାୱାର ହାଉସ୍ ରୋଢ଼ସ୍ଥିତ ପ୍ରଧାନକଲୋନି, ହକି ଛକ, ନୂଆ ବସଷ୍ଟାଣ୍ଡ ମଛଲି ମାର୍କେଟ ବସ୍ତିରେ ବର୍ଷା ପାଣି ପଶିଥିବାରୁ ଲୋକଙ୍କୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିଥିଲା। ଆର୍‌ଏସ୍‌ପି କର୍ମଚାରୀ ପହଞ୍ଚି ଏସବୁ ଅଞ୍ଚଳରେ ଜଳ ନିଷ୍କାସନ କରିବା ପରେ ସ୍ଥିତି ସ୍ବାଭାବିକ ହୋଇଛି।

publive-image

ସହରର ପାନପୋଷ- ଉଦିତନଗର ପ୍ରମୁଖ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ପାନପୋଷ ତାରିଣୀ ମନ୍ଦିର ନିକଟରେ ରାସ୍ତା ଦବି ଯାଇଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ୨୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ରାସ୍ତା ମାତ୍ର ୨୮ ଦିନ ମଧ୍ୟରେ ଦବି ଯାଇଥିବାରୁ କାମ ମାନକୁ ନେଇ ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ। ମାତ୍ର ୨୮ ଦିନରେ ଯଦି ଏମିତି, ଆଗାମି ଦିନରେ ଏହାର ସ୍ଥାୟିତ୍ବକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ୱାର୍ଡ ନଂ -୨୨ର ଇନ୍ଦିରାନଗର ବସ୍ତିରେ ଗଛ ପଡି ୨/୩ଟି ଘର କ୍ଷତିଗ୍ରସ୍ତ ହୋଇଛି। ସ୍ଥାନୀୟ ଅଞ୍ଚଳର ବିକାଶ ଜେନା, ଆର୍ଏମ୍ସି, ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଗଛ କାଟି ସଫା କରିଛନ୍ତି। ସହରର ଅମରନାଥବସ୍ତିର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପ୍ଲାଣ୍ଟସାଇଟ୍ର ଆଚାର୍ଯ୍ୟ ହରିହର ସ୍କୁଲ, ଜେଲ୍ରୋଡରେ ଗୋପବନ୍ଧୁ ନୋଡାଲ ସ୍କୁଲରେ ହୋଇଥିବା ତିନିଟି ଆଶ୍ରୟସ୍ଥଳୀକୁ ଜଣେ ହେଲେ ଲୋକ ଆସି ନଥିଲେ। ସେପଟେ ସ୍ଥିତି ସୁଧୁରିବା ପରେ ଗତକାଲିଠାରୁ ୬ଟି ବ୍ଲକର ୯୫ଟି ଆଶ୍ରୟସ୍ଥଳରେ ରହିଥିବା ୨,୬୬୫ ଲୋକ ଆଜି ନିଜ ନିଜ ଘରକୁ ଫେରିଛନ୍ତି।

publive-image

ଅନୁରୂପ ଭାବେ ୟାସ୍‌ର ପ୍ରଭାବରେ କୋଇଡା ଅଧିକାଂଶ ଅଞ୍ଚଳ ବେଶ୍ କ୍ଷତିଗ୍ରସ୍ତ ହୋଇଛି। ବହୁ ଦୋକାନ, ଘରେ ପାଣି ଲହଡି ମାରିଥିଲା। କିଛି ମାଟି ଘର ଭୁଷୁଡି ପଡିଥିଲା । ଖଣି ଅଞ୍ଚଳ ହେଇଥିଲେ ହେଁ ଏଠିକାର ଅଧୀକାଂଶ ଘର ମାଟି ଘର। ଫଳରେ ବହୁ ଲୋକଙ୍କ ଘରେ ଆଣ୍ଠୁଏ ଲେଖାଏଁ ବର୍ଷା ଜଳ ଜମି ରହିଛି। ବିଦ୍ୟୁତ୍ ଓ ନେଟୱାର୍କ୍ ସରବରାହ ଠପ୍ ହୋଇଯାଇଛି। ବ୍ଲକର ବିଶେଷ କରି ବଜାରସାହି , ସାନଇନ୍ଦୁପୁର ମୁଣ୍ଡାବସ୍ତି, କଳମଙ୍ଗ, ଗଣୁଆ , ପାଟମୁଣ୍ଡା ଅଞ୍ଚଳରେ କ୍ଷୟକ୍ଷତି ଅଧିକା ରହିଛି । ବିଦ୍ୟୁତ୍ ଠପ୍ ଫଳରେ ସମସ୍ତ ଅଞ୍ଚଳ ବାସୀ ଘରେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ।

publive-image

ଗୋଟିଏ ପଟେ କରୋନାର ପ୍ରକୋପ ଅନ୍ୟ ପଟେ ଗରିବ ଆଦିବାସୀଙ୍କ ପ୍ରତି ୟାସ୍ର ପ୍ରଭାବ ଗରିବ ଆଦିବାସୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ସ୍ଥାନୀୟ ପ୍ରଶାସନ, ସରପଞ୍ଚ, ୱାର୍ଡ ସଭ୍ୟ ସମସ୍ତ ଘର ଘର ବୁଲି ସ୍ଥିତି ନ ପରଖିଲେ ବହୁ ଆଦିବାସୀ ପରିବାର ବେସାହାରା ଓ ଅନାହାରରେ ଜୀବନ ଅତିବାହିତ କରିବେ, ଏଥିରେ ଦ୍ବିମତ ନାହିଁ। ସେମିତି ନୂଆଗାଁ ବ୍ଲକ ପତ୍ରାପାଲି ପଞ୍ଚାୟତର ବାରିଲେପଟା ଗାଁରେ କିଛି ଲୋକଙ୍କ ଖପର ଘର ଭାଙ୍ଗି ଯାଇଛି। କ୍ଷୟକ୍ଷତି ଘଟିଥିବା ଅଞ୍ଚଳକୁ ବୀରମିତ୍ରପୁର ତହସିଲଦାର ଅଂଶୁମାନ ଦାସଙ୍କ ନିର୍ଦ୍ଦେଶକ୍ରମେ ଖୁଣ୍ଟଗାଁ ଆର୍‌ଆଇ ରଞ୍ଜନ ପଟେଲ, ସୋରଡା ଆର୍‌ଆଇ ଶିବ ନାୟକ ବିଭିନ୍ନ ଅଞ୍ଚଳ ବୁଲି ତଥ୍ୟ ସଂଗ୍ରହ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe