ରାଜ୍ୟର ବିଭିନ୍ନ ସ୍ଥାନରେ ‘ୟାସ୍‌’ କ୍ଷତ

Advertisment

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ,କ୍ଷୟକ୍ଷତି ରିପୋର୍ଟ ତୁରନ୍ତ ଦେବାକୁ ମନ୍ତ୍ରୀଙ୍କ ନିର୍ଦେଶ

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ,କ୍ଷୟକ୍ଷତି ରିପୋର୍ଟ ତୁରନ୍ତ ଦେବାକୁ ମନ୍ତ୍ରୀଙ୍କ ନିର୍ଦେଶ

ରାଜ୍ୟର ବିଭିନ୍ନ ସ୍ଥାନରେ ‘ୟାସ୍‌’ କ୍ଷତ

ଭଦ୍ରକ/ବାଲେଶ୍ବର : ବାତ୍ୟା ‘ୟାସ୍‌’ପରେ ଉତ୍ତର ଓଡ଼ିଶାର ବହୁ ଅଞ୍ଚଳ ଜଳଘେରରେ ରହିଛି। ଏଥିସହିତ, ଶହ ଶହ ଚାଳଘର ମାଟିରେ ମିଶିଯିବା ସହ ହଜାର ହଜାର ଗଛବୃକ୍ଷ ଭାଙ୍ଗିଯାଇଛି। ଚାଷବାସ ସବୁ ବି ଉଜାଡ଼ି ଦେଇଛି ‘ୟାସ୍‌’।

ବାଲେଶ୍ବର ଜିଲ୍ଲାର ସମସ୍ତ ବ୍ଲକରେ ବାତ୍ୟାର ପ୍ରଭାବ ପଡ଼ିଥିବାବେଳେ ସମୁଦ୍ର ତଟବର୍ତ୍ତୀ ବାହାନଗା, ବାଲେଶ୍ବର ସଦର, ବାଲିଆପାଳ ଓ ଭୋଗରାଇ ବ୍ଲକ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ଯୋଗୁଁ ସମୁଦ୍ରରୁ ହଠାତ୍‌ ଜୁଆର ମାଡ଼ି ଆସିବା ଫଳରେ ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇ ଯାଇଥିଲା। ତା’ ସାଙ୍ଗକୁ ଘଣ୍ଟାପ୍ରତି ୧୩୦ କିମି ବେଗରେ ପବନ ବହିବାରୁ ମାଟିରେ ଲୋଟି ପଡ଼ିଥିଲା ଶହଶହ ଗଛ ଓ କଚାଘର। ପ୍ରକୃତି କୋପରେ ଜିଲ୍ଲାର ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ତ ଆଉ କେଉଁଠି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

ଗତକାଲି ‘ୟାସ୍‌’ ତାଣ୍ଡବ ରଚିବା ପରେ ସରକାରଙ୍କ ତରଫରୁ କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର ପ୍ରକ୍ରିୟା ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ବାତ୍ୟା ପରବର୍ତ୍ତୀ ସ୍ଥିତି ତଦାରଖ ପାଇଁ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁ ବାଲେଶ୍ବରରେ ପହଞ୍ଚିଥିବା ବେଳେ ବାତ୍ୟା ପୂର୍ବଦିନଠାରୁ ଶକ୍ତିମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସମେତ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବାଲେଶ୍ବରରେ ରହି ବାତ୍ୟା ମୁକାବିଲା ଓ ପୁନରୁଦ୍ଧାର କାର୍ଯ୍ୟର ପ୍ରତ୍ୟକ୍ଷ ତଦାରଖ କରୁଛନ୍ତି। ଆଜି ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ବାଇଁ ବାତ୍ୟା ସ୍ଥିତି ସମୀକ୍ଷା କରିବା ପରେ କ୍ଷୟକ୍ଷତି ଆକଳନ ଚାଲିଥିବା କହିଥିଲେ।

ବାତ୍ୟା ବିପତ୍ତି ବେଳେ ଦରଦାମ୍ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଥିବା ବେଳେ ଏଥିପାଇଁ ସ୍ବତନ୍ତ୍ର ସ୍କ୍ୱାଡ୍‌ ଗଠନ କରାଯାଇଛି। ନ‌ଷ୍ଟ ହୋଇଥିବା ବିଦ୍ୟୁତ ଭିତ୍ତିଭୂମିକୁ ସଜାଡ଼ିବା ପାଇଁ ପ୍ରୟାସ ଜାରି ରହିଛି। ସପ୍ତାହେ ମଧ୍ୟରେ ସବୁ ସ୍ଥିତିରେ ସୁଧାର ଆସିବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ ପ୍ରକାଶ କରିବା ସହ ପ୍ରଭାବିତଙ୍କୁ ଖୁବଶୀଘ୍ର ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ। ରାଜ୍ୟ ସରକାରଙ୍କ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ବରିଷ୍ଠ ଆଇଏଏସ୍‌ ବିଶାଲ ଦେବ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ଓ ଜଳଯୋଗାଣକୁ ବର୍ତ୍ତମାନ ଗୁରୁତ୍ବ ଦିଆଯାଉଥିବା କହିଥିଲେ।

ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ବାସୁଦେବପୁର ସହ ୭ଟି ବ୍ଲକ୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦୁଇ ଦିନ ହେଲା ଚାନ୍ଦବାଲି, ବାସୁଦେବପୁର ଓ ତିହିଡି ବ୍ଲକର ଶତାଧିକ ଗାଁ ପାଣି ଘେରରେ ରହିଥିବା ବେଳେ ଜିଲ୍ଲାର ୨୧୮ ପଞ୍ଚାୟତରୁ ପ୍ରାୟ ୧୫୦ ପଞ୍ଚାୟତ ଏବେ ଜଳମଗ୍ନ ହୋଇରହିଛି। ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ ସମେତ ଜିଲ୍ଲାର ପ୍ରାୟ ୪୦ଟି ଗ୍ରାମ୍ୟ ରାସ୍ତା ବୁଡ଼ିଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ବାସୁଦେବପୁର-ଇଚ୍ଛାପୁର, ଜାମୁଝାଡ଼ି-ବାସୁଦେବପୁର, ଭଦ୍ରକ-ଆରଡ଼ି ରାସ୍ତା କାଟି ଜଳ ନିଷ୍କାସନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe