ଆଜି ଓଡ଼ିଶା ଛୁଇଁବ ଘୂର୍ଣ୍ଣିବଳୟ

Advertisment
ଆଜି ଓଡ଼ିଶା ଛୁଇଁବ ଘୂର୍ଣ୍ଣିବଳୟ

Photo by : eldiariodevictoria.com

ଭୁବନେଶ୍ୱର : ଆଜି ପାରାଦୀପଠାରୁ ପ୍ରାୟ ୬୦୦ କି.ମି. ଦୂର ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ କେନ୍ଦ୍ରୀଭୂତ ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଆସନ୍ତା ୪୮ ଘଣ୍ଟା ଭିତରେ ଏହା ଲଘୁଚାପରେ ବି ପରିଣତ ହୋଇପାରେ। ଏହାର ପ୍ରଭାବରେ ଉପକୂଳବର୍ତୀ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ପବନର ବେଗ ମଧ୍ୟ ଅଧିକ ରହିବ। ଏଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ସତର୍କତାର ସହିତ ଯିବାକୁ ପରାମର୍ଶ ଦିଆଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ଆଜି ରାତି କିମ୍ବା ଆସନ୍ତାକାଲି ସକାଳେ ଘୂର୍ଣ୍ଣିବଳୟ ଓଡ଼ିଶା ଉପକୂଳ ନିକଟତର ହୋଇପାରେ। ଏହାର ପ୍ରଭାବରେ ଆଜିଠାରୁ କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଶୁକ୍ରବାର ଉପକୂଳର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ବିଶେଷ କରି କଟକ, ଖୋର୍ଧା, ନୟାଗଡ଼, ଜଗତ୍‌ସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ବାଲେଶ୍ୱର ଆଦି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ। ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ବି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ଦିନେ କି ଦୁଇଦିନ ଭିତରେ ଲଘୁଚାପର ରୂପ ନେଇପାରେ। ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳବର୍ତୀ ସ୍ଥାନରେ ପବନର ବେଗ ଘଣ୍ଟାକୁ ୩୫ରୁ ୪୫ କି.ମି. ପର୍ଯ୍ୟନ୍ତ ରହିବ। ଏହାର ଗତି ବି ବଢ଼ିପାରେ।

ତେବେ ଘୂର୍ଣ୍ଣିବଳୟ/ଲଘୁଚାପ ସମୁଦ୍ରରୁ ସ୍ଥଳଭାଗକୁ ଗତି କରିବା ପରେ ଏହା ସେତେଟା ଶକ୍ତିଶାଳୀ ରହିନପାରେ। ସେପ୍ଟେମ୍ବର ଶେଷ ସୁଦ୍ଧା ଦେଶର ୫ଟି ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇସାରିଥିବା ବେଳେ ଅନ୍ୟାନ୍ୟ ସ୍ଥାନରୁ ଅପସରି ଯିବା ଉପରେ। ଅବଶ୍ୟ ଓଡ଼ିଶାରେ ମୌସୁମୀ ବାୟୁ ଏବେ ବି ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟର ପ୍ରଭାବ ଦେଖିବା ପରେ ମୌସୁମୀର ଗତି ସଂପର୍କରେ ପୂର୍ବାନୁମାନ କରିହେବ। ତେବେ ଆଗାମୀ ୧୫ ତାରିଖ ପୂର୍ବରୁ ମୌସୁମୀ ବାୟୁ ରାଜ୍ୟରୁ ବିଦାୟ ନେବାର ସମ୍ଭାବନା କ୍ଷୀଣ ବୋଲି କହିଛନ୍ତି ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ। ସେ ଯାହାହେଉ ସମ୍ଭାବ୍ୟ ଲଘୁଚାପ ଅଧିକ ବର୍ଷା କରାଇନପାରେ। ତେବେ ୭/୮ ତାରିଖ ବେଳକୁ ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶା ବିଶେଷ କରି ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଆଦି ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ନିମାପଡ଼ାରେ ସର୍ବାଧିକ ୭୦ ମିଲିମିଟର ବର୍ଷା ହୋଇଥିଲା। ସେହିପରି ରାୟଗଡ଼ାରେ ୫୦ ମି.ମି., କୋଟ୍ରାଗୁଡ଼ା, କଟକ ନିଶ୍ଚିନ୍ତକୋଇଲି, ବଲାଙ୍ଗୀରର ତୁରେକେଲାରେ ୩୦ ମି.ମି., ଲହୁଣୀପଡ଼ା, କୋରାପୁଟ, ଗଞ୍ଜାମର ପୁରୁଷୋତ୍ତମପୁର, ବାଲିଗୁଡ଼ା, ଛତ୍ରପୁର, ଧର୍ମଗଡ଼, ଖୋର୍ଧାର ବାଲିପାଟଣା, ମାହାଙ୍ଗା, କଟକର କଣ୍ଟାପଡ଼ା, ବଲାଙ୍ଗୀର, ଭବାନୀପାଟଣା, ସୁନ୍ଦରଗଡ଼ର ବଡ଼ଗାଁ ଆଦି ସ୍ଥାନରେ ପ୍ରାୟ ୨୦ ମି.ମି. ବର୍ଷା ହୋଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା ପୁରୀରେ ୧୬ ମି.ମି. ବର୍ଷା ହୋଇଥିବା ବେଳେ ଗୋପାଳପୁରରେ ୧୪ ମି.ମି. ବର୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe