ଗିରଫ ୯ ଯୁବକ ଓ ଜବତ ଇନୋଭାକୁ ନେଇ ହଇଚଇ; ଧଳସାମନ୍ତ ଲିଙ୍କ୍‌ରେ ବାଲି ବ୍ୟବସାୟୀ!

Advertisment
ଜେଲ୍‌କୁ ଫେରିଲେ ଧଳସାମନ୍ତ ଭାଇ

ଜଗତସିଂହପୁର: ଗ୍ୟାଙ୍ଗଷ୍ଟର ସୁଶାନ୍ତ ଓ ସୁଶୀଲ ଧଳ ସାମନ୍ତଙ୍କ ଗ୍ୟାଙ୍ଗ୍‌ରେ ସାମିଲ ଯୁବକମାନଙ୍କୁ ସ୍ପେସାଲ ସ୍କ୍ବାଡ୍ ଗିରଫ କରୁଛି। ଏହି ମାମଲାରେ ସ୍ପେଶାଲ ସ୍କ୍ବାଡ୍ ଜଗତସିଂହପୁର ଜିଲ୍ଲାରୁ ସର୍ବାଧିକ ୯ ଜଣ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ବନ୍ଧୁକ ସହ ସେମାନେ ବ୍ୟବହାର କରୁଥିବା ଇନୋଭା କାର୍‌କୁ ମଧ୍ୟ ପୁଲିସ ଜବତ କରିଛି। ଏହି ଇନୋଭା କାର୍‌ ଜଗତସିଂହପୁର ଜିଲ୍ଲାର ଜଣେ ଜଣାଶୁଣା ବାଲି ସୈରାତ ବ୍ୟବସାୟୀଙ୍କର ବୋଲି ଜଣାପଡ଼ିଛି। ବିଭିନ୍ନ ତହସିଲ ଅଧୀନରେ ଥିବା ବାଲି ସୈରାତ ପାଇଁ ଟେଣ୍ତର ପ୍ରକ୍ରିୟା ନିମନ୍ତେ ଦିନ ଶେଷ ହେଉଥିବା ବେଳେ ବ୍ୟବସାୟୀମାନେ ବଡ଼ ବଡ଼ ଗ୍ୟାଙ୍ଗ୍‌ ସହାୟତା ନେଉଥିବା ଅନୁମାନ କରାଯାଉଛି।

ଜଗତସିଂହପୁର ଜିଲ୍ଲାରେ ତିର୍ତୋଲର ୩ଟି ଓ ରଘୁନାଥପୁରରେ ଥିବା ୨ଟି ବାଲି ସୈରାତ ପାଇଁ ଟେଣ୍ତର ଶେଷ ହେଲାଣି। ଆଜି ନାଉଗାଁରେ ଥିବା ୬ଟି ବାଲି ସୈରାତ ପାଇଁ ଟେଣ୍ତରର ଶେଷ ଦିନ ଥିଲା। ଯେଉଁମାନେ ଗତ କିଛି ବର୍ଷ ହେଲା ଜିଲ୍ଲାରେ ଏକାଧିକ ବାଲି ସୈରାତକୁ ନିଜ କବ୍‌ଜାରେ ରଖିଛନ୍ତି, ସେମାନଙ୍କ ମଧ୍ୟ ଆହୁରି ନୂଆ ବାଲି ସୈରାତ ହାତେଇବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଟେଣ୍ତର ପକାଇବା ପୂର୍ବରୁ ନିଜ ପତିଆରା ଦେଖାଇବା ପାଇଁ ଏହି ବ୍ୟବସାୟୀମାନେ କେନ୍ଦ୍ରାପଡ଼ା ଓ କଟକର ବଡ଼ ବଡ଼ ଗ୍ୟାଙ୍ଗ୍‌ର ଶରଣ ପଶୁଛନ୍ତି। ଏହି ଗ୍ୟାଙ୍ଗ୍ ମଧ୍ୟ ବ୍ୟବସାୟୀକୁ ସବୁ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି। ଟେଣ୍ଡର ଖୋଲା ଯାଉଥିବା ପ୍ରତ୍ୟେକ ତହସିଲ କାର୍ଯ୍ୟାଳୟ ସାମ୍ନାରେ ଅପରାଧ ଜଗତ ସହ ଜଡ଼ିତ ଏକାଧିକ ଯୁବକ ଡେରା ପକାଉଛନ୍ତି। ଫଳରେ କେହି ନୂଆ ବ୍ୟବସାୟୀ ଟେଣ୍ତର ପକାଇବାକୁ ଭୟ କରୁଛନ୍ତି।

ଗତକାଲି ଜଗତସିଂହପୁର ଜିଲ୍ଲାରୁ ସ୍ପେଶାଲ ସ୍କ୍ବାଡ୍ ଗିରଫ କରିଥିବା ନଅ ଜଣ ଯୁବକ ନିର୍ଦ୍ଦଷ୍ଟ ଜଣେ ବାଲି ସୈରାତ ବ୍ୟବସାୟୀଙ୍କ ପାଇଁ କାର୍ଯ୍ୟ କରୁଥିବା ଚର୍ଚ୍ଚା ଚାଲିଛି। ପୁଲିସ ଜବତ କରିଥିବା ଇନୋଭା କାର୍ (ଓଡି୨୧ଇ–୨୫୫୫) ମଧ୍ୟ ଏହି ବ୍ୟବସାୟୀଙ୍କର ଜଣାପଡ଼ିଛି। ସେ ଏଥର ଅଧିକ ସୈରାତ ନିମନ୍ତେ ଟେଣ୍ତର ପକାଇଛନ୍ତି। କେବଳ ଜଗତସିଂହପୁର ନୁହଁ ଯାଜପୁର ଓ କଟକ ଜିଲ୍ଲାରେ ଥିବା ବାଲି ସୈରାତ ହାତେଇବା ପାଇଁ ଯୋଜନା କରିଥିବା ଏହି ବ୍ୟବସାୟୀ ଡି ଲିଙ୍କ୍‌ରେ ଗ୍ୟାଙ୍ଗ୍‌ର ସାହାରା ନେଇ ପ୍ରତିଦ୍ବନ୍ଦ୍ବୀ ବ୍ୟବସାୟୀମାନଙ୍କୁ ଟକ୍କର ଦେଉଥିବା ଆଲୋଚନା ହେଉଛି।

ପ୍ରେସ୍‌ ରିଲିଜ୍‌ରେ କଟକ କମିସନରେଟ୍ ପୁଲିସ କେବଳ ଇନୋଭା ଜବତ ହୋଇଛି ବୋଲି ଉଲ୍ଲେଖ କରିଛନ୍ତି। ମାତ୍ର ଏହି ଇନୋଭାଟି ପ୍ରକୃତରେ କାହାର ସେ ନେଇ ତଦନ୍ତର ଆବଶ୍ୟକତା ରହିଛି। କେବଳ ଏହି ବାଲି ସୈରାତ ବ୍ୟବସାୟୀ ନୁହନ୍ତି ଜଗତସିଂହପୁରରେ ଏଥିପାଇଁ ଟେଣ୍ତର ପକାଇଥିବା ଏକାଧିକ ବ୍ୟବସାୟୀ ଅପରାଧ ଗ୍ୟାଙ୍ଗ୍ ସହ ଯୋଡ଼ି ହୋଇଛନ୍ତି। ବାଲି ସୈରାତ ପାଇଁ ଟେଣ୍ତର ମିଳିଯିବା ପରେ ଗ୍ୟାଙ୍ଗ୍ ଭାଇମାନଙ୍କ ଖାତାକୁ ମୋଟା ଅଙ୍କର ଚାନ୍ଦା ମଧ୍ୟ ଯାଉଛି। ଫଳରେ ସ୍ପେଶାଲ ସ୍କ୍ବାଡ୍‌ର ଏହି ଚଢ଼ଉରେ ବର୍ମାନ ଆହୁରି ଯୁବକ ଧରାପଡ଼ିବେ, ଏଥିରେ ସନ୍ଦେହ ନାହିଁ। ଜଗତସିଂହପୁର ଜିଲ୍ଲା ଯେ କେବଳ ଡି ଲିଙ୍କ୍‌ରେ ଅଛି ତାହା ନୁହେଁ କେନ୍ଦ୍ରାପଡ଼ାର ଟିଟୋ ଗ୍ୟାଙ୍ଗ୍ ସହ ମଧ୍ୟ ଏକାଧିକ ଯୁବକ ଜଡ଼ିତ ଥିବା ନଜିର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe