ଓଡ଼ିଶାରେ ପ୍ରଗତି, ବିକାଶ ନାମରେ ଶୋଷଣ ଚାଲିଛି : ପୁରନ୍ଦେଶ୍ବରୀ

Advertisment

ମୁଖ୍ୟମନ୍ତ୍ରୀ ଘରେ ନ ବସି ଲୋକଙ୍କ ପାଖକୁ ଆସନ୍ତୁ, ଆବାସ ଦୁର୍ନୀତିରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ନିଶାଣ

ମୁଖ୍ୟମନ୍ତ୍ରୀ ଘରେ ନ ବସି ଲୋକଙ୍କ ପାଖକୁ ଆସନ୍ତୁ, ଆବାସ ଦୁର୍ନୀତିରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ନିଶାଣ

ଓଡ଼ିଶାରେ ପ୍ରଗତି, ବିକାଶ ନାମରେ ଶୋଷଣ ଚାଲିଛି : ପୁରନ୍ଦେଶ୍ବରୀ
ବ୍ରହ୍ମପୁର: ଓଡ଼ିଶାରେ ବିକାଶ ଓ ପ୍ରଗତି ନାମରେ ବିଜେଡି ସରକାର ଶୋଷଣ କରିଚାଲିଛନ୍ତି। ଫଳରେ ବିଜେଡି ପ୍ରତି ରାଜ୍ୟବାସୀଙ୍କ ମନରେ ବିତୃଷ୍ଣା ମନୋଭାବ ଆସିଯାଇଛି। ଆଉ ଏହି ଦଳ ବର୍ତ୍ତମାନ ଲୋକଙ୍କ ଆସ୍ଥା ହରାଇବାକୁ ବସିଲାଣି। ରାଜ୍ୟବାସୀ ବିଜେଡି ଓ ନବୀନବାବୁଙ୍କୁ ଦେଖି ଭୋଟ ଦେଇଛନ୍ତି। କିନ୍ତୁ ଏଠାରେ ନେତା କମ୍, ବାବୁ ମାନଙ୍କ ଶାସନ ଅଧିକ ଚାଲିଛି। ଏଭଳି ଘଡ଼ିସନ୍ଧି ସମୟରେ ମୁଖ୍ୟମନ୍ତ୍ରୀ ଘ‌ରେ ନବସି ଲୋକଙ୍କ ନିକଟତର ହୋଇ ସେମାନଙ୍କ ଦୁଃଖ ଶୁଣିଲେ ରାଜ୍ୟର ବିକାଶ ହେବ ବୋଲି ବିଜେପି ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡି.ପୁରନ୍ଦେଶ୍ବରୀ କହିଛନ୍ତି।
ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିବା ପୁର‌ନ୍ଦେଶ୍ବରୀ ଆଜି ସ୍ଥାନୀୟ ସର୍କିଟ୍ ହାଉସ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରିଥିଲେ। ଓଡ଼ିଶାବାସୀ ବର୍ତ୍ତମାନ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଥିବା ବେଳେ ଆଇନଶୃଙ୍ଖଳା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ରାଜ୍ୟରେ ମହିଳା ଓ ଶିଶୁ ଅସୁରକ୍ଷିତ ଥିବା ଜାତୀୟ ସର୍ଭେରୁ ବି ପ୍ରମାଣିତ ହୋଇଛି। ସବୁଠୁ ଦୁଃଖର କଥା ହେଲା, ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଭାବେ ପରିଚିତ ଗଞ୍ଜାମ ସମସ୍ୟାର ପାହାଡ଼ ଗଦାରେ ଛିଡ଼ା ହୋଇଛି। ପାନୀୟ ଜଳ ଭଳି ପ୍ରମୁଖ ସମସ୍ୟାକୁ ସରକାର ସମାଧାନ କରିବାରେ ବିଫଳ ହୋଇଛନ୍ତି। ଆଉ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ତଳୀ ହିଞ୍ଜିଳିରେ ସ୍ବାସ୍ଥ୍ୟସେବା ସ˚ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। କର୍ମସ˚ସ୍ଥାନ ଅଭାବରୁ ଗଞ୍ଜାମ ଜିଲ୍ଲାର ଲକ୍ଷାଧିକ ଯୁବକଯୁବତୀ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି।
କରୋନା ଭଳି ମହାମାରୀ ସମୟରେ ଗଞ୍ଜାମ ଜିଲ୍ଲାର ପ୍ରବାସୀ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରବାସୀମାନଙ୍କ ପଞ୍ଜୀକରଣକୁ ଗୁରୁତ୍ବ ଦେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଥିଲେ ବି ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନି। ଫଳରେ ଲକଡାଉନ୍ ବେଳେ ଅନେକ ପ୍ରବାସୀ ବେସାହାରା ଓ ବେରୋଜଗାର ପାଲଟିଗଲେ ବୋଲି ପୁରନ୍ଦେଶ୍ବରୀ କହିଥିଲେ।
ସେହିପରି କେନ୍ଦ୍ର ସରକାରଙ୍କ ଆବାସ ଯୋଜନାକୁ ରାଜ୍ୟ ସରକାର ହାଇଜାକ୍ କରୁଥିବା ପ୍ରସଙ୍ଗରେ ସେ କହିଛନ୍ତି, ଏଥିରେ ବିଜେଡି ନେତା ଓ ମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ଦୁର୍ନୀତିକୁ ସିଧାସଳଖ ଭାବେ ପ୍ରଶ୍ରୟ ଦେଇଛନ୍ତି। ଦଳର ସମସ୍ତ କର୍ମୀଙ୍କ ନାମରେ ଆବାସ ପ୍ରଦାନ କରିଥିବା ବେଳେ ଉପଯୁକ୍ତ ହିତାଧିକାରୀ ମାନେ ଏଥିରୁ ବଞ୍ଚିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଅସଲ ମୁଖା ପଦାରେ ପକାଇବାକୁ ଆଗାମୀ ଦିନରେ ବିଜେପି ଅଣ୍ଟା ଭିଡ଼ିବ। ଆଉ ଆନ୍ଦୋଳନ ଜରିଆରେ ଲୋକଙ୍କ ନିକଟତର ହେବାକୁ ଉଦ୍ୟମ ଜାରି ରହିବ ବୋଲି ପୁରନ୍ଦେଶ୍ବରୀ କହିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe