ଓଡ଼ିଶା ଅଣାଯିବ ବିଜୁ ବାବୁଙ୍କ ଡାକୋଟା ବିମାନ, ବେସାମରିକ ଚଳାଚଳ ବିଭାଗକୁ ଚିଠି ଲେଖିବେ ରାଜ୍ୟ ସରକାର

Advertisment
ଓଡ଼ିଶା ଅଣାଯିବ ବିଜୁ ବାବୁଙ୍କ ଡାକୋଟା ବିମାନ, ବେସାମରିକ ଚଳାଚଳ ବିଭାଗକୁ ଚିଠି ଲେଖିବେ ରାଜ୍ୟ ସରକାର

ଭୁବନେଶ୍ବର:  ଖୁବ ଶୀଘ୍ର ଓଡ଼ିଶା ଆସିବ ପ୍ରବାଦ ପୁରୁଷ  ବିଜୁ ପଟ୍ଟନାୟକଙ୍କ ବୀରତ୍ବ ଗାଥାର ପ୍ରତୀକ  ଡାକୋଟା ବିମାନ । ଗୁରୁବାର ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ମନୋଜ ମିଶ୍ର ସୂଚନା ଦେଇଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ  ବେସାମରିକ ବିମାନ ଚଳାଚଳ ବିଭାଗକୁ ଚିଠି ଲେଖାଯିବ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୧୯୪୭ ମସିହାରେ ଏହି ବିମାନରେ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକ  ଇଣ୍ଡୋନେସିଆର ତତକାଳୀନ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଶତ୍ରୁ କବଳରୁ ରକ୍ଷା କରିଥିଲେ । ଏହି ବିମାନ ଏବେ କୋଲକାତା ବିମାନ ବନ୍ଦରରେ ଅଛି ।

ଉଲ୍ଲେଖଯୋଗ୍ୟ, ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନୀଲ କୁମାର ଗର୍ଗ ଏକ ଚିଠି ଲେଖି ଡକୋଟା ବିମାନ ଫେରାଇ ନେବା ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ଏହି ଚିଠି ଅନୁସାରେ, ୨୦୧୭ ମସିହା ଡିସେମ୍ବରରେ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବଙ୍କୁ ଏକ ଚିଠି ଲେଖିଥିଲେ। ଡାକୋଟା ବିମାନ ଫେରାଇ ନେବାକୁ ଚିଠିରେ କୁହାଯାଇଥିଲା। ଏ ଦିଗରେ ଯାହାକିଛି ସାହାଯ୍ୟ ସହଯୋଗ ଆବଶ୍ୟକ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଯୋଗାଇ ଦେବେ ବୋଲି କୁହାଯାଇଥିଲା।

ତେବେ ଓଡିଶା ଆସିଲେ ଡାକୋଟାକୁ କେଉଁଠି ରଖାଯିବ, ତାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ କଟକର ଆନନ୍ଦ ଭବନରେ ହିଁ ବିଜୁବାବୁଙ୍କ ଡାକୋଟା ବିମାନକୁ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ତେବେ ଡାକୋଟା ବିମାନରେ ଇଣ୍ଡୋନେସିଆର ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସେତେବେଳେ ଉଦ୍ଧାର କରିଥିଲେ ସ୍ୱର୍ଗତ ବିଜୁ ପଟ୍ଟନାୟକ । ସେଥିପାଇଁ ଏହି ବିମାନକୁ ବିଜୁଙ୍କ ବୀରତ୍ୱ ଗାଥାର ପ୍ରତୀକ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe