ଗୁଜୁରାଟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ନଦୀକୁ ଡେଇଁ ସ୍ତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଗୁଜୁରାଟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ନଦୀକୁ ଡେଇଁ ସ୍ତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

image source-new indian express

କର୍ଲାମୁଣ୍ଡା : ପେଟ ପାଇଁ ଗୁଜୁରାଟକୁ ଦାଦନ ଖଟି ଯାଇଥିବା କଳାହାଣ୍ଡି ଜିଲ୍ଲାର ଜଣେ ଶ୍ରମିକଙ୍କ ସେଠାରେ ମୃତ୍ୟୁ ଘଟିଛି। ଖବର ପାଇବା ପରେ ଭାଙ୍ଗିପଡ଼ି ତାଙ୍କ ସ୍ତ୍ରୀ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ଘଟଣା କର୍ଲାମୁଣ୍ଡା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ ଯୋରାଡବରା ପଞ୍ଚାୟତ ସିଲେଟପଡ଼ା ଗାଁର ପୂର୍ଣ୍ଣଚନ୍ଦ୍ର ସୁନା (୩୬ବର୍ଷ) ଗଜୁରାଟର ରାଜକୋଟ ସହରକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ କିଛିଦିନ ତଳେ ଜ୍ୱର ଓ କାଶ ହୋଇଥିଲା। ଡାକ୍ତରଖାନାରେ ଭର୍ତ୍ତି ହେବା ପରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲା। କିଛିଦିନ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ। ଆଉଥରେ ପରୀକ୍ଷା କରିବାରୁ ରିପୋର୍ଟ ନେଗେଟିଭ ଆସିଥିଲା। ହଠାତ୍‌ ତାଙ୍କର ମୃତ୍ୟୁ କେଉଁ କାରଣରୁ ହୋଇଥିଲା ତାହା ପରିବାର ଲୋକେ ଏଯାଏ ସ୍ପଷ୍ଟ ହୋଇପାରି ନାହାନ୍ତି।

publive-image

ପୂର୍ଣ୍ଣଚନ୍ଦ୍ରଙ୍କ ଅକାଳ ମୃତ୍ୟୁରେ ତାଙ୍କ ସ୍ତ୍ରୀ ପଦ୍ମା ସୁନା (୨୩ବ‌‌‌ର୍ଷ) ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ସ୍ୱାମୀ ମୃତ୍ୟୁ ଦୁଃଖ ସହି ନପାରି ପଦ୍ମା ଉତେଇ ନଦୀ ଟୁର୍ଚ୍ଚି ପୋଲ ଉପରୁ ଡେଇଁ ପଡ଼ିଥିଲେ। ହେଲେ ନଦୀରେ ପାଣି ନଥିବାରୁ ତଳେ ପଥରରେ ପିଟି ହୋଇ ତାଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଛି। ଏବେ ସେ ଗୁରୁତର ଥିବା ଜଣାପଡ଼ିଛି। ସେମାନଙ୍କର ୩ ବର୍ଷର ଝିଅଟିଏ ଅଛି। ଏହିି ଗରିବ ପରିବାରକୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe