ଦିଗପହଣ୍ଡି ନିର୍ବାଚନମଣ୍ଡଳୀ: ସୂର୍ଯ୍ୟଙ୍କ ବିକଳ୍ପ କିଏ?

Advertisment
ଦିଗପହଣ୍ଡି ନିର୍ବାଚନମଣ୍ଡଳୀ: ସୂର୍ଯ୍ୟଙ୍କ ବିକଳ୍ପ କିଏ?

The New Indian Express

ବ୍ରହ୍ମପୁର(ସୁଦୀପ୍ତ ଷଡ଼ଙ୍ଗୀ): ବିଜେଡିର ଗଡ଼ ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗ ପରେ ଏକ ପ୍ରକାର ମୁରବିବିହୀନ ହୋଇପଡ଼ିଛି। ବାପାଙ୍କ ବିକଳ୍ପ ଭାବେ ପୁଅ ବିପ୍ଳବଙ୍କୁ ଦଳ ଗ୍ରହଣ କରିବ କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂର୍ଯ୍ୟଙ୍କ ଅନୁଗତ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ବ୍ଲକ୍‌ ଅଧ୍ୟକ୍ଷ ଉପନିର୍ବାଚନ ବେଳେ ନିଜ ପାଖରେ ବହୁମତ ଥିବା ଘୋଷଣା କରି ବିପ୍ଳବ ଗୋଷ୍ଠୀକୁ ଚାଲେଞ୍ଜ ଦେଇଥିଲେ। କିନ୍ତୁ ବିପିନଙ୍କୁ ଦଳ ବହିଷ୍କାର କଲା ପରେ ବିଜେଡି ଟିକେଟ୍‌ ରେସ୍‌ରୁ ତାଙ୍କ ନାଁ ବାଦ୍‌ ପଡ଼ିଲା। ଏଣୁ ବିପ୍ଳବ ସୂର୍ଯ୍ୟଙ୍କ ବିକଳ୍ପ ହେବେ ନା ଚର୍ଚ୍ଚାରେ ଥିବା ଆଉ ଜଣେ ହେଭିୱେଟ୍‌ ଟିକଟ୍‌ ହାତେଇବେ, ଖୁବ୍‌ଶୀଘ୍ର ଏହା ସ୍ପଷ୍ଟ ହେବ।

୨୦୦୯ରେ ସୀମା ପୁନଃନିର୍ଦ୍ଧାରଣ ପରେ ଗଠିତ ଦିଗପହଣ୍ଡି ନିର୍ବାଚନମଣ୍ଡଳୀରୁ ସେ ଲଗାତାର ୩ଥର ବିଜୟୀ ହୋଇଛନ୍ତି। ୨୦୨୪ରେ ନିର୍ବାଚନ କମ ସମୟ ଥିବାରୁ ଦିଗପହଣ୍ଡି ପାଇଁ ଉପନିର୍ବାଚନ ହେବ ନାହିଁ ବୋଲି କୁହାଯାଉଛି। ସେପଟେ ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିୟୋଗ ପରେ ଅଗଷ୍ଟ ୩୧ରେ ଉପନିର୍ବାଚନ ତାରିଖ ଧାର୍ଯ୍ୟ ହୋଇଥିଲା। କିନ୍ତୁ ବିପିନ ଓ ସୂର୍ଯ୍ୟଙ୍କ ପୁଅ ତଥା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ଗୋଷ୍ଠୀ ମଧ୍ୟରେ ଅଧ୍ୟକ୍ଷା କରାଇବାକୁ ନେଇ ଛକାପଞ୍ଝା ଲାଗି ରହିଥିଲା। ଉପନିର୍ବାଚନ ଦିନ ୭ ସମିତି ସଭ୍ୟ ନିଖୋଜ ଥିବା ନେଇ ମାମଲା ରୁଜୁ ଘଟଣାରୁ ନିର୍ବାଚନ କମିସନ ଏହାକୁ ସ୍ଥଗିତ କରିଦେଲେ। ଆସନ୍ତା ମାସ ୪ତାରିଖରେ ପୁଣିଥରେ ଉପନିର୍ବାଚନ ପାଇଁ ନିର୍ବାଚନ କମିସନ୍‌ ଦିନ ଧାର୍ଯ୍ୟ କରିଛନ୍ତି। ଏଣୁ ବିଜେଡି ଏହି ପଦକୁ କବ୍‌ଜା କରି ଗଡ଼ ରକ୍ଷା କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି।

ସେପଟେ ବିଜେଡିରୁ ବହିଷ୍କୃତ ବିପିନ ଗୋଷ୍ଠୀ ମଧ୍ୟ ସହଜରେ ଅଧ୍ୟକ୍ଷ ଆସନ ଛାଡ଼ିବାକୁ ରାଜି ନୁହନ୍ତି। ଏଭଳି ଜଟିଳ ସ୍ଥିତି ଦେଇ ଦିଗପହଣ୍ଡି ବ୍ଲକ୍‌ ବିଜେଡି ଗତି କରୁଥିବା ବେଳେ ତାକୁ କିଏ ସଂଗଠିତ କରିବ ବୋଲି ଆଲୋଚନା ହେଉଛି। ବିଜେଡି ଯଦି ଏବେଠୁ ନିଜର ସଂଗଠନ ସୁଦୃଢ଼ ନକରିବ ତେବେ ନିଶ୍ଚିତ ଭାବେ କଡ଼ା ମୁକାବିଲାର ସମ୍ମୁଖୀନ ହେବ। ବ୍ରହ୍ମପୁରର ଜଣେ ବରିଷ୍ଠ ନେତାଙ୍କୁ ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ଦାୟିତ୍ବ ମିଳିବା ନେଇ ମଧ୍ୟ ଚର୍ଚ୍ଚା ଶୁଣିବାକୁ ମିଳୁଛି। ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନ ପରେ ସବୁ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଅନୁମାନ କରାଯାଉଛି। ବିରୋଧୀ ବିଜେପି ଓ କଂଗ୍ରେସ ଫାଇଦା ନେବା ପାଇଁ ଅଣ୍ଟା ଭିଡ଼ୁଛନ୍ତି। ଦିଗପହଣ୍ଡି ଏନ୍‌ଏସି କଂଗ୍ରେସ କବ୍‌ଜାରେ । ବିଜେପି ତରଫରୁ ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ ଓ ଉତ୍ତମ ପାଣିଗ୍ରାହୀ ତାଙ୍କର ସଙ୍ଗଠନକୁ ସୁଦୃଢ଼ କରିବାରେ ଲାଗିଛନ୍ତି। ଉଭୟେ ବିଜେପି ଟିକଟ ଆଶାରେ ରହିଛନ୍ତି। ୨୦୧୯ରେ ବିଜେପିର ବିଧାୟକ ପ୍ରାର୍ଥୀ ହୋଇଥିବା ପିଙ୍କି ପ୍ରଧାନ ଆଉ ସକ୍ରିୟ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe