ରାଜ୍ୟରେ ଦୈନିକ ସଂକ୍ରମଣ ୩୦ହଜାର ଛୁଇଁବ!

Advertisment

ନୂଆ ଷ୍ଟ୍ରେନ୍, ମ୍ୟୁଟେସନ୍‌ ଘାତକ ସାଜିପାରେ

ନୂଆ ଷ୍ଟ୍ରେନ୍, ମ୍ୟୁଟେସନ୍‌ ଘାତକ ସାଜିପାରେ

ଜାଲ୍‌ କୋଭିଡ୍‌ ପଜିଟିଭ୍‌ ରି‌ପୋର୍ଟ ପ୍ରସଙ୍ଗ: ଦଲାଲ୍‌ଙ୍କ ଭିତରେ କୋକୁଆଭୟ, ଉତ୍ତର ରଖିଲା ସଂସ୍ଥା

ଭୁବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣ ୩୦ ହଜାର ଛୁଇଁପାରେ। କରୋନା ଭୂତାଣୁର ନୂତନ ଷ୍ଟ୍ରେନ୍(ବ୍ରିଟେନ୍, ଦକ୍ଷିଣ ଆଫ୍ରିକା) ଓ ଡବଲ ମ୍ୟୁଟେସନ୍‌ ସଂକ୍ରମଣକୁ ଅଧିକ ବଢ଼ାଇ ଦେଇପାରେ। ମହାରାଷ୍ଟ୍ରରେ ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ଓଡ଼ିଶାରେ ଏଭଳି ସ୍ଥିତିକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ତେଣୁ ଏବେଠାରୁ ସତର୍କ ନ ହେଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ। ଏହାସହ ରାଜ୍ୟବାସୀଙ୍କୁ କରୋନା ସଂକ୍ରମଣର ଦ୍ବିତୀୟ ଲହରି ଭାରି ପଡ଼ିବ ବୋଲି ସତର୍କ କରାଇଛନ୍ତି ବରି‌ଷ୍ଠ ଚିକିତ୍ସକ ଡା. ନିରୋଜ ମିଶ୍ର।

ଡା.ମିଶ୍ରଙ୍କ କହିବା କଥା, ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍‌ ବିଶେଷଭାବେ ଯୁବଗୋଷ୍ଠୀଙ୍କ ସଂକ୍ରମିତ କରୁଛି। ୧୮/୨୦ବର୍ଷରୁ ଅଧିକ ଯୁବପିଢ଼ି ଏହାଦ୍ବାରା ଆକ୍ରାନ୍ତ ହେଉଥିବା ନଜରକୁ ଆସିଛି। ଛୋଟ ପିଲା ମଧ୍ୟ ଏଥିରେ ସଂକ୍ରମିତ ହୋଇପାରନ୍ତି। ବିଶ୍ବରେ ଏ ପର୍ଯ୍ୟନ୍ତ ଛୋଟ ପିଲାଙ୍କ ପାଇଁ ଟିକା ପ୍ରସ୍ତୁତ ହୋଇନାହିଁ। ନିକଟରେ ଫାଇଜର ପକ୍ଷରୁ ୧୨-୧୫ବର୍ଷ ବାଳକ/ବାଳିକାଙ୍କ ପାଇଁ ଟିକା ପ୍ରସ୍ତୁତ ହୋଇଥିବା ସଂପର୍କରେ ତଥ୍ୟ ବାହାରକୁ ଆସିଛି। ତେଣୁ ବାପାମା’ଙ୍କୁ ଏଥିପାଇଁ ଯତ୍ନବାନ ହେବାକୁ ପଡ଼ିବ। ସେହିପରି ରାଜ୍ୟରେ ଏ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍‌ ଚିହ୍ନଟ ସଂପର୍କରେ ଘୋଷଣା ହୋଇନାହି। ମାତ୍ର ରାଜ୍ୟରେ ଭୂତାଣୁର ଜିନ୍ ଅନୁଶୀଳନ ବହୁତ କମ୍ ହେଉଥିବାରୁ ଏସବୁ ଷ୍ଟ୍ରେନ୍‌ ରାଜ୍ୟରେ ଘୁରି ବୁଲୁଛି କି ନାହିଁ ତାହା
ସଂପର୍କରେ ଅଧିକ କହିବା ମୁସ୍କିଲ୍। ତେଣୁ ଏବେଠାରୁ ଲୋକମାନଙ୍କୁ ସତର୍କ ହେବାକୁ ହେବ। ରାଜ୍ୟ ସରକାର କୋଭିଡ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାସହ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି। ଯାହାକି ରାଜ୍ୟ ପାଇଁ ଏକ ଶୁଭ ଖବର।

ଅପରପକ୍ଷରେ ନୂତନ ଷ୍ଟ୍ରେନ୍‌ର ଲକ୍ଷଣ ସଂପର୍କରେ ଡା.ମିଶ୍ର କହିଛନ୍ତି, ଗତବର୍ଷ ଯେଉଁ ଲୋକମାନେ କୋଭିଡ ସଂକ୍ରମିତ ହେଉଥିଲେ ସେମାନଙ୍କ ନିକଟରେ ସ୍ବାଦ ଓ ଆଘ୍ରାଣ ଶକ୍ତିରେ ହ୍ରାସ ପାଉଥିବା ଦେଖିବାକୁ ମିଳୁଥିଲା। ମାତ୍ର ଏବେ ଅଧିକାଂଶ ସଂକ୍ରମିତଙ୍କ ନିକଟରେ ଏ ଲକ୍ଷଣ ନାହିଁ। ବରଂ ସେମାନଙ୍କଠାରେ ଶରୀରରେ ଯନ୍ତ୍ରଣା, ହାଲିଆ ଲାଗିଆ, ସାମାନ୍ୟ ଜ୍ବର କିମ୍ବା କାଶ, ଚର୍ମ କୁଣ୍ଡାଇ ହେବା ଭଳି ଲକ୍ଷଣ ଦେଖିବାକୁ ମିଳୁଛି। ଏପରିକି ଆରଟି-ପିସିଆର ରିପୋର୍ଟ ନେଗେଟିଭ୍ ରହିଥିବା ଲୋକଙ୍କ ସିଟି ସ୍କାନ୍‌ରେ ପରୀକ୍ଷା କରିବା ପରେ ହିଁ ଭୂତାଣୁ ସଂପର୍କରେ ସ୍ପଷ୍ଟ ହୋଇପାରୁଛି। ଏସବୁ ଦୃଷ୍ଟିରୁ ରାଜ୍ୟ ସରକାର ଇନଡୋରରେ ବହୁ ସଂଖ୍ୟାରେ ଲୋକ ଏକାଠି ହେବା କିମ୍ବା ଧର୍ମାନୁଷ୍ଠାନରେ ଲୋକମାନଙ୍କୁ ଏକାଠି ହେବାକୁ ବାରଣ କରିବା ଉଚିତ୍ ବୋଲି ସେ କହିଛନ୍ତି।

ରାଜ୍ୟରେ ଦିନକୁ ଦିନ ଦୈନିକ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୫୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ଗତ ୪ମାସରେ ସର୍ବାଧିକ। ଖୋର୍ଧା ଜିଲ୍ଲାରେ ସଂକ୍ରମଣ ୧୦୫ରେ ପହଞ୍ଚି ଯାଇଛି। ଏହାବାଦ୍ ସୁନ୍ଦରଗଡ଼ ୮୪, କଳାହାଣ୍ଡି ୬୪, ଝାରସୁଗୁଡ଼ା ୩୧, କଟକ ୩୦, ନୂଆପଡ଼ା ୨୯, ସମ୍ବଲପୁର ୨୮, ଗଞ୍ଜାମ ୨୭, ପୁରୀ ୨୪ ଓ ବରଗଡ଼ରେ ୨୧ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ପଶ୍ଚିମ ଓଡ଼ିଶା ବାଦ୍ ଖୋର୍ଧା ଜିଲ୍ଲାରେ ମଧ୍ୟ ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୫,୦୦୫‌ କୋଭିଡ ନମୁନା ପରୀକ୍ଷା‌ ହୋଇଥିବା ବେଳେ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୨,୩୫କୁ ବୃଦ୍ଧି ପାଇଛି। କିଛିଦିନ ପୂର୍ବରୁ ରାଜ୍ୟରେ ଟିପିଆର ୧ରୁ କମ୍ ରହିଥିଲା। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୪୩ହଜାର ୮୫୬ରେ ପହଞ୍ଚିଛି। ଆଜି ୨୬୬ କୋଭିଡ ଆକ୍ରାନ୍ତ ସୁସ୍ଥ ହେବା ପରେ ଏବେ ୩୪୬୫ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe