ଦୈନିକ ବଜାର ସ୍ଥାନାନ୍ତର ବିବାଦ: ସହରର ୩ଟି ସ୍ଥାନରେ ବସିବ ପରିବା ବଜାର

Advertisment
ଦୈନିକ ବଜାର ସ୍ଥାନାନ୍ତର ବିବାଦ: ସହରର ୩ଟି ସ୍ଥାନରେ ବସିବ ପରିବା ବଜାର

ବୌଦ୍ଧ: ଦୈନିକ ପନିପରିବା ବଜାର ଆରଏମସି କୃଷି ବଜାରକୁ ସ୍ଥାନାନ୍ତର ହେବା ପରେ ପ୍ରଶାସନ ଓ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ପ୍ରଶାସନ ନିଜ ସ୍ଥାନାନ୍ତର ଜିଦରେ ଅଟଳ ଥିବାବେଳେ ବ୍ୟବସାୟୀମାନେ ମଧ୍ୟ ନିଜ ସମସ୍ୟା କାରଣରୁ ଦୋକାନ ବନ୍ଦ ରଖିଛନ୍ତି। ପାଞ୍ଚ ଦିନର ବାଦବିବାଦ ପରେ ବୁଧବାର ସମାଧାନ ହୋଇଛି। ଏଣିକି କୃଷକ ବଜାର ସହ ଜରିଖଣ୍ଡି ରାସ୍ତା ଓ ମାଳିସାହିରେ ଦୈନିକ ପନିପରିବା ବଜାର ବସିବ। କରୋନା ସମୟରୁ ବୁଦ୍ଧ ପାର୍କ ନିକଟ ଖେଳପଡ଼ିଆରେ ବଜାର ବସି ଆସୁଥିଲା। ହେଲେ କ​ରୋନା କଟକଣା ଅପସରି ଯିବାପରେ ମଧ୍ୟ ବଜାର ପୂର୍ବସ୍ଥାନକୁ ଫେରି ନ ଥିଲା। ଗତ ଶୁକ୍ରବାରଠାରୁ ବଜାରକୁ ମର୍ଜାକୁଦ ସେତୁ ନିକଟ ଆରଏମସିର ବିଜୁ ଆଦର୍ଶ କୃଷି ବଜାରକୁ ସ୍ଥାନାନ୍ତର କରାଯାଇଛି।

ହେଲେ ବଡ଼ ବ୍ୟବସାୟୀଙ୍କ ପାଇଁ ସ୍ଥାୟୀ ଦୋକାନର ବ୍ୟବସ୍ଥା ନ ଥିବାରୁ କେବଳ ଚାଷୀ ଓ ଛୋଟ ବ୍ୟବସାୟୀ ବଜାରକୁ ଆସୁଛନ୍ତି। ବଡ଼ ବ୍ୟବସାୟୀମାନେ ଦୋକାନ ବନ୍ଦ କରି ମନ୍ତ୍ରୀ ପ୍ରଦୀପ ଅମାତ ଓ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କୁ ସାକ୍ଷାତ କରି ସେମାନଙ୍କ ସମସ୍ୟା ଜଣାଇ ସ୍ଥାୟୀ ବନ୍ଦୋବସ୍ତ ଦାବି କରିଥିଲେ। ବୁଧବାର ବଡ଼ ବ୍ୟବସାୟୀମାନେ ଆରଏମସି ବଜାରକୁ ନ ଯାଇ ଟାଉନ ହଲ ରାସ୍ତାରେ ଦୋକାନ ଖୋଲିଥିଲେ। ଆଜି ସକାଳେ ଜିଲ୍ଲାପାଳ ଶ୍ରୀ ସାହୁ ଓ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ସହରର ବିଭିନ୍ନ ସ୍ଥାନ ବୁଲି ବଜାର ସ୍ଥିତି ଅନୁଧ୍ୟାନ କରିଥିଲେ। ଗୋଟିଏ ସ୍ଥାନରେ ବଜାର ନବସି ଉପଭୋକ୍ତା ଓ ବ୍ୟବସାୟୀଙ୍କ ସୁବିଧା ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ବଜାର ବସିବା ନିଷ୍ପତ୍ତି ହୋଇଛି। ମାଳିସାହି ରାସ୍ତା ପାର୍ଶ୍ବରେ ପୂର୍ବରୁ ବଜାର ବସୁଥିବା ବେଳେ ନିକଟସ୍ଥ କାଠ ଗୋଦାମକୁ ଅନ୍ୟତ୍ର ସ୍ଥାନାନ୍ତର କରି ସେଠାରେ ବଜାର ବସିବ। ସେହିପରି ଟାଉନହଲ ସମ୍ମୁଖ ଜରିଖଣ୍ଡି ରାସ୍ତାରେ ଥିବା ଆମିଷ ବଜାରରେ ମଧ୍ୟ ପରିବା ବଜାର ବସିବା ନିଷ୍ପତ୍ତି ହୋଇଛି। ସହରର ରାସ୍ତା ପାର୍ଶ୍ବରେ ବିକ୍ଷିପ୍ତ ଭାବରେ ଥିବା ଆମିଷ ଦୋକାନ ଉପରେ ପ୍ରଶାସନ ପକ୍ଷରୁ ବୁଧବାର ଚଢ଼ଉ କରାଯାଇଛି। କିଛି ବ୍ୟବସାୟୀଙ୍କୁ ପୁଲିସ ଆଣି ଥାନାରେ ବସାଇ ରଖିଥିଲା। ପରେ ​ବ୍ୟକ୍ତିଗତ ମୁଚାଲିକାରେ ସେମାନଙ୍କୁ ଛାଡ଼ି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe