ଦାଦନ ଶ୍ରମିକ ଦେଉଛନ୍ତି ଆୟକର!

ଅର୍ଥାଭାବରୁ ଗରିବ ପରିବାର ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବା ଖବର ନୂଆପଡ଼ା ଜିଲ୍ଲା ପାଇଁ ନୂଆ ନୁହେଁ। ହେଲେ ଆୟକର ଦେଉଥିବା ବା ଆଇଟିଆର୍‌ ଫାଇଲ କରୁଥିବା ଦାଦନ....

Untitled-1

ନୂଆପଡ଼ା: ଅର୍ଥାଭାବରୁ ଗରିବ ପରିବାର ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବା ଖବର ନୂଆପଡ଼ା ଜିଲ୍ଲା ପାଇଁ ନୂଆ ନୁହେଁ। ହେଲେ ଆୟକର ଦେଉଥିବା ବା ଆଇଟିଆର୍‌ ଫାଇଲ କରୁଥିବା ଦାଦନ ଶ୍ରମିକ ବି ଦୁନିଆରେ ଥିବେ, ହୁଏତ ତାହାକୁ କେହି ସହଜରେ ଗ୍ରହଣ କରିବେ ନାହିଁ। ହେଲେ ନୂଆପଡ଼ା ଜିଲ୍ଲାର କିଛି କର୍ମଚାରୀଙ୍କ ଭୁଲ୍‌ ସର୍ଭେ ପାଇଁ ଆଜି ସବୁ ଯୋଜନାରୁ ବଞ୍ଚିତ ହୋଇ ଦୁଃଖ ଭୋଗୁଛନ୍ତି ଏକ ଦାଦନ ପରିବାର। ଏପରି ଏକ ଅଭାବନୀୟ ଘଟଣା ଘଟିଛି କୋମନା ବ୍ଲକ୍‌ ଅନ୍ତର୍ଗତ ବିଲାଇଅଞ୍ଜର ଗାଁରେ।

ଏହି ଗ‌ାଁର ଶ୍ରମିକ ଘାସିରାମ ତାଣ୍ଡି (୫୦)ଙ୍କର ମାତ୍ର ଦୁଇ ବଖରା ଭଙ୍ଗାଦଦରା ଘର। କେତେବେଳେ ଭାଙ୍ଗିଯିବ କହିବା ମୁସ୍କିଲ। ସ୍ତ୍ରୀ ଗୋଲାପୀ ତାଣ୍ଡି (୪୫), ଚାରି ଝିଅ ପୁଷ୍ପା ତାଣ୍ଡି (୨୫), ଦୀପା ତାଣ୍ଡି (୨୩), ଗୀତା ତାଣ୍ଡି (୨୧), ମମିତା ତାଣ୍ଡି (୧୩) ଓ ଗୋଟିଏ ପୁଅ ପରେଶ ତାଣ୍ଡି (୮)। ସାତଜଣଙ୍କୁ ନେଇ ତାଙ୍କ ସଂସାର। ଝିଅ ପୁଷ୍ପା ତାମିଲନାଡୁରେ ଏକ କମ୍ପାନିରେ ଶ୍ରମିକ ଭାବେ କାମ କରୁଛନ୍ତି। ଦୀପା ଆଇଟିଆଇ ପଢ଼ୁଥିବାବେଳେ ଅର୍ଥାଭାବରୁ ଗୀତା ପାଠ ଛାଡ଼ି ଦେଇଛନ୍ତି। ମମିତା ସପ୍ତମ ଓ ପରେଶ ତୃତୀୟରେ ପାଠ ପଢୁଛନ୍ତି। ଜମିଜମା କିଛି ନାହିଁ। ପରିବାର ପ୍ରତିପୋଷଣ ଓ ପିଲାଙ୍କ ପାଠପଢ଼ା ପାଇଁ ଘାସିରାମ ଓ ସ୍ତ୍ରୀ ଗୋଲାପୀ ବର୍ଷକ ଛଅ ମାସ ପିଲାଛୁଆଙ୍କୁ ଅନ୍ୟ ଜିମାରେ ଦେଇ ବାହାର ରାଜ୍ୟରେ ଦାଦନ ଖଟନ୍ତି। ଗରିବ ପରିବାର ଭାବେ ସେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇଥିଲେ। ହେଲେ କର୍ମଚାରୀଙ୍କ ଭୁଲ୍‌ ସର୍ଭେ ପାଇଁ ଏବେ ସେ ଆୟକରଦାତା।

ଘାସିରାମ ବର୍ଷକୁ ଦୁଇଲକ୍ଷ ପଚାଶ ହଜାର ଟଙ୍କା ଆଇଟିଆର୍‌ ଫାଇଲ୍‌ କରୁଥିବା ଅନ୍‌ଲାଇନ୍‌ରେ ଦର୍ଶାଯାଉଛି। ଯାହାଫଳରେ ଏହି ଗରିବ ପରିବାର ସୁଭଦ୍ରା ଯୋଜନା, ରାସନ୍‌ କାର୍ଡ ଆଦି ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ଏମିତିକି ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ହୋଇ ପାଉଥିବା ଚାଉଳରୁ ମଧ୍ୟ ବାଦ୍‌ ପଡ଼ିଛନ୍ତି। ଭଙ୍ଗାଘରେ ଭାଗ୍ୟକୁ ଆଦରି ଜୀବନ ଜିଉଁଛନ୍ତି ଘାସିରାମଙ୍କ ପରିବାର। ସୁଭଦ୍ରା ଯୋଜନାରେ ସାମିଲ ହୋଇ ପ୍ରଥମ କିସ୍ତି ମା’ ଓ ଝିଅ ପାଇଥିଲେ। ହେଲେ ଦ୍ବିତୀୟ କିସ୍ତି ବେଳକୁ ଆଉ ଟଙ୍କା ଆସିଲାନି। ସରକାରଙ୍କ ମାଗଣା ଚାଉଳରୁ ପେଟକୁ ଦାନା ମିଳୁଥିଲା। ଅଥଚ ରାସନ୍‌ କାର୍ଡ ବି କଟିଗଲା। ଏ ସଂପର୍କରେ ସେ ବ୍ଲକ୍‌ସ୍ତରୀୟ ସମସ୍ତ ଅଧିକାରୀଙ୍କୁ ଜଣାଇଥିଲେ ବି କେହି ଶୁଣି ନଥିଲେ। ଶେଷରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଘାସିରାମଙ୍କ ପରିବାର। ଏ ସଂପର୍କରେ ନୂଆପଡ଼ା ଜିଲ୍ଲାପାଳ ମଧୂସୁଦନ ଦାଶଙ୍କୁ ପଚରାଯିବାରୁ, ଏହାର ତଦନ୍ତ ହେବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe