ମାୟାବିନୀ ଅର୍ଚ୍ଚନା ମାମଲା: ପୁଲିସ ହାତରେ ଜଗବନ୍ଧୁଙ୍କ ଡାଏରି, ଖୋଲିବ ବଡ଼ ଗୁମର; ଦରକାର ପଡ଼ିଲେ ରିମାଣ୍ଡରେ ଅଣାଯିବ

ମାୟାବିନୀ ଅର୍ଚ୍ଚନା ମାମଲା: ପୁଲିସ ହାତରେ ଜଗବନ୍ଧୁଙ୍କ ଡାଏରି, ଖୋଲିବ ବଡ଼ ଗୁମର; ଦରକାର ପଡ଼ିଲେ ରିମାଣ୍ଡରେ ଅଣାଯିବ

ଭୁବନେଶ୍ବର: ହନିଟ୍ରାପ୍‌ର ରାଣୀ ତଥା ମାୟାବିନୀ ଅର୍ଚ୍ଚନା ନାଗ ମାମଲାରେ କମିସନରେଟ୍‌ ପୁଲିସ ଆଜି ମୁହଁ ଖୋଲିଛି। ଅର୍ଚ୍ଚନାର ସ୍ବାମୀ ଜଗବନ୍ଧୁ ଚାନ୍ଦ ଶୁକ୍ରବାର ସକାଳୁ ଗିରଫ ହୋଇ ସନ୍ଧ୍ୟାରେ ଝାରପଡ଼ା ଜେଲ୍‌ ଯିବା ପରେ  ଡିସିପି ପ୍ରତୀକ ସିଂ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଅର୍ଚ୍ଚନାର ଅପରାଧିକ ଷଡଯନ୍ତ୍ରରେ ଜଗବନ୍ଧୁ ସାମିଲ ଥିଲେ। ଫଟୋ, ଭଡ଼ିଓ ଭାଇରଲ ସହ ବ୍ଲାକମେଲର ଜଗବନ୍ଧୁ ସମ୍ପର୍କ ରହିଛି। ୪ଟି ମୋବାଇଲ ଫୋନ୍‌, ଲାପଟପ ଓ ଡାଏରି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ  କାଗଜପତ୍ର ଜବତ ହୋଇଛି। ସେହିପରି ପୀଡ଼ିତାଙ୍କର ୧୬୪ ଧାରରେ ବୟାନ ରେକର୍ଡ ହୋଇଛି। ଏ ଘଟଣାକୁ ଖଣ୍ଡଗିରି ଥାନା ଅଧିକାରୀ ତଦନ୍ତ କରୁଛନ୍ତି। ଅର୍ଚ୍ଚନାଙ୍କ ବିରୋଧରେ ନୟାପଲ୍ଲୀ ଥାନାରେ ଥିବା ପ୍ରଯୋଜକଙ୍କ ଅଭିଯୋଗର ରିମାଣ୍ଡ ଟ୍ୟାଗ ପାଇଁ କୋର୍ଟରେ ପ୍ରୋସେସ କରାଯାଉଛି। ଏଦିଗରେ ଅଧିକ ତଦନ୍ତ କରାଯାଉଛି। ତେଣୁ ଆଶା କରାଯାଉଛି ଯେ, ଏହି ମାମଲାରେ ବଡ଼ ଗୁମର ଖୋଲିପାରେ।

ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଡିସିପି ସିଂ କହିଛନ୍ତି ଯେ, ଉଭୟ ଜଗବନ୍ଧୁ ଏବଂ ଅର୍ଚ୍ଚନାଙ୍କ ଆର୍ଥିକ କାରବାର ନେଇ ଖୋଳତାଡ଼ ଜାରି ରହିଛି। ଉଭୟଙ୍କ ବ୍ୟାଙ୍କ ଆକାଉଣ୍ଟ ଟ୍ରାନଜାକ୍ସନ ତଥ୍ୟ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ଆସିଛି । ସେମାନେ କେଉଁଠାରୁ ଟଙ୍କା ଆଣୁଥିଲେ ଏବଂ କାହାକୁ ଦେଉଥିଲେ ସେ ନେଇ ଅଧିକ ତଦନ୍ତ ଜାରି ରହିଛି। ତେଣୁ ତଦନ୍ତ ସରିଲେ ଏ ସଂପର୍କରେ ଅଧିକ ତଥ୍ୟ ଆସିବ।

ଅର୍ଚ୍ଚନା ମାମଲାରେ ଯାହାର ବି ସଂପୃକ୍ତି ଥିବ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଗତ ୬ ତାରିଖରେ ଅର୍ଚ୍ଚନା ନାଗକୁ ପୁଲିସ ଗିରଫ କରିଥିଲା। ଆଜି ସକାଳୁ ଅର୍ଚ୍ଚନାର ସ୍ବାମୀ ଜଗବନ୍ଧୁ ଗିରଫ ହେଲା ପରେ ଜେଲ ଯାଇଛି। ଅର୍ଚ୍ଚନାର ଭଳି ଜଗବନ୍ଧୁ ନାଁରେ ମଧ୍ୟ ସମାନ ପ୍ରକାରର ଅଭିଯୋଗ ରହିଛି। ପୀଡିତାଙ୍କୁ ଡରାଇବା, ବ୍ଲାକମେଲିଂ, ଦାଦାବଟି ଆଦି ଅଭିଯୋଗ ରହିଛି। ଜଗବନ୍ଧୁଙ୍କ ସଂପୃକ୍ତି ନେଇ ଠୋସ୍‌ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି। ଆବଶ୍ୟକ ପଡ଼ିଲେ ଉଭୟ ସ୍ବାମୀ ଓ ସ୍ତ୍ରୀ ଜଗବନ୍ଧୁ ଏବଂ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଡିସିପି ଶ୍ରୀ ସିଂ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe